ଆଉ ପାଦେ ଆଗେଇଲା ‘କୋଭାକ୍ସିନ୍’

ଆଉ ପାଦେ ଆଗେଇଲା ‘କୋଭାକ୍ସିନ୍’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦେଶର ସ୍ୱଦେଶୀ କୋରୋନା ଟିକା ‘କୋଭାକ୍ସିନ’ର ଆଜି ଥିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ଆଉ କହିବା ବାହୁଲ୍ୟ, ଏ ପରୀକ୍ଷଣ ଟିକା ଏବଂ ତା’ର ଆତ୍ମପ୍ରକାଶ ପଛରେ ଥିବା ସମସ୍ତଙ୍କୁ ଆଜି ଦେଇଛି ଏକ ଫିଲ୍ ଗୁଡ୍ ଫ୍ୟାକ୍ଟର । କାରଣ ପରୀକ୍ଷଣରୁ ଜଣାପଡ଼ିଛି, କରୋନାକୁ ପ୍ରତିହତ କରିବା ନେଇ ଏହି କୋଭାକ୍ସିନ ଟିକାର ରହିଛି ୭୭.୮ ପ୍ରତିଶତ ସ୍ଥାୟୀ ପ୍ରଭାବ । ତୃତୀୟ ପର୍ଯ୍ୟାୟରେ ୨୫ ହଜାର ୮୦୦ ଜଣଙ୍କ ଉପରେ ପରୀକ୍ଷା କରିବା ପରେ ଏହି ନିଷ୍କର୍ଷ ବାହାରିଥିଲା । ତେବେ ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ କରୋନା ଟିକା ତାଲିକାରେ ନ ଥିଲା କୋଭାକ୍ସିନର ନାଁ । ଏହାକୁ ନେଇ ଛାନିଆ ହୋଇ ପଡ଼ିଥିଲେ କରୋନା ଟିକା ନେଇଥିବା ଭାରତର ନାଗରିକ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ନ କଲେ ସେ ଟିକା ବିଶ୍ୱସ୍ତରୀୟ ହୋଇ ପାରିବ ନାହିଁ । ଏବଂ ଏହା ସ୍ୱାଭାବିକ ଯେ, କୌଣସି ବି ଟିକା ବିଶ୍ୱସ୍ତରୀୟ ନ ହେଲେ ତାକୁ ନେଇଥିବା ଲୋକଙ୍କୁ ଟିକା ନେଇଥିବା ଶ୍ରେଣୀରେ ଗଣିବ ନାହିଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ କୋଭାକ୍ସିନ ଟିକା ନେଇଥିବା ସେହି ଭାରତୀୟ ନାଗରିକଙ୍କର ଚିନ୍ତା ବଢ଼ି ଯାଇଥିଲା, ଯେଉଁମାନେ ବିଦେଶକୁ ଯିବାର ଅଛି ବା ଯେଉଁମାନେ ବିଦେଶରେ ସ୍ଥାୟୀ ଭାବରେ ବସବାସ କରନ୍ତି, କିନ୍ତୁ ଭାରତ ଆସି କୋଭାକ୍ସିନ ଟିକା ନେଇଥିଲେ । (ଅବଶ୍ୟ କୋଭାକ୍ସିନକୁ ଇରାନ, ଫିଲିପାଇନ୍ସ, ମରିସସ, ମେକ୍ସିକୋ, ନେପାଳ, ଗୁଏନା, ପାରାଗୁଏ ଓ ଜିମ୍ବାୱେ ପରି ଦେଶ ମାନ୍ୟତା ଦେଇଥିବାରୁ କୋଭାକ୍ସିନ ଟିକା ନେଇଥିବା ଭାରତୀୟ ସେସବୁ ଦେଶକୁ ଯିବାରେ କିଛି ଅସୁବିଧା ନାହିଁ ।) ଭାରତ ବାୟୋଟେକ୍ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆସନ୍ତାକାଲି (ଜୁନ୍ ୨୩) କୋଭାକ୍ସିନକୁ ଅନୁମୋଦନ ସମ୍ପର୍କିତ ବୈଠକ ଥିବାରୁ ଏହାପୂର୍ବରୁ ଟିକାର ପରୀକ୍ଷଣକୁ ଏହିପରି ବହୁଳ ସଫଳତା ଜରୁରୀ ଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିୟମାନୁଯାୟୀ, କୌଣସି ଏକ ଟିକା ବିଶ୍ୱସ୍ତରରେ ବୈଧ ହେବାକୁ ହେଲେ ତା’ର ଅନୁମୋଦନ ପାଇବାକୁ ହେବ । ହେଲେ କରୋନାର ଭୟାବହତା ମଧ୍ୟରେ ଯେତେବେଳେ କୋଭାକ୍ସିନ୍ ଆତ୍ମପ୍ରକାଶ କଲା, ସରକାର ଏବଂ ଏହାର ଉତ୍ପାଦକ ସଂସ୍ଥା ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନଠାରୁ ଦେଶର ଜନତାଙ୍କ ଜୀବନକୁ ବେଶି ଗୁରୁତ୍ୱ ଦେଇଥିଲେ । ଫଳରେ ଯୁଦ୍ଧକାଳୀନ ଭିତ୍ତିରେ ଏହା ଦେଶବାସୀଙ୍କୁ ଦିଆଯିବାରେ ଲାଗିଲା । ତେବେ ଇତିମଧ୍ୟରେ ଏହା ଭଲ ଫଳ ଦେବାରୁ ଦେଶ ବାହାରେ ମଧ୍ୟ ଏହାର ଡିମାଣ୍ଡ ବଢ଼ିଲା । ଏଥିସହ କିଛି ଦେଶ, ଏଇ ଯେମିତି ଇରାନ, ଫିଲିପାଇନ୍ସ, ମରିସସ, ମେକ୍ସିକୋ, ନେପାଳ, ଗୁଏନା, ପାରାଗୁଏ ଓ ଜିମ୍ବାୱେ ପରି ଦେଶକୁ କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତି ବିମାନ ଯାତ୍ରା କରିପାରିବେ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ ଦେଇ ନ ଥିବାରୁ (ଅସଲରେ ଏଥିପାଇଁ କୋଭାକ୍ସିନ ଆବେଦନ ହିଁ କରି ନ ଥିଲା) ଅନ୍ୟ ବଡ଼ ବଡ଼ ଦେଶଗୁଡ଼ିକୁ ଏହି ଟିକା ନେଇଥିବା ବ୍ୟକ୍ତିଙ୍କ ବିମାନ ଯାତ୍ରା ଉପରେ ରହିଛି କଟକଣା । ଏହାରି ମଧ୍ୟରେ କୋଭାକ୍ସିନର ଉତ୍ପାଦକ ଭାରତ ବାୟୋଟେକକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତୁରନ୍ତ ଏହାର ଉତ୍ପାଦନ ସମ୍ପର୍କିତ ସମସ୍ତ ବୈଧ ପ୍ରମାଣପତ୍ର ଦାଖଲ କରିବାକୁ ତାଗିଦ କରିଥିଲା । କାରଣ ଇତିମଧ୍ୟରେ ତା’ଠାରୁ ଅନୁମୋଦନ ନ ପାଉଣୁ ଭାରତରେ ଆରମ୍ଭ ହୋଇଯାଇଥିଲା କୋଭାକ୍ସିନର ଟିକାକରଣ । ତେବେ ଭାରତ ବାୟୋଟେକ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜୁନ୍ ୨୩ ରେ କୋଭାକ୍ସିନର ଉତ୍ପାଦନ ସମ୍ପର୍କିତ ଡୋଜିୟର ପ୍ରଦାନ କରିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତା’ ପୂର୍ବରୁ କମ୍ପାନୀର ଦାବିକୁ ପ୍ରମାଣିତ କରିବା ଭଳି ଏକ ବଡ଼ ପରୀକ୍ଷଣର ଆବଶ୍ୟକତା ଥିଲା । ଯେଉଁଥିପାଇଁ ୨୫, ୮୦୦ ସାମ୍ପଲ୍ କିଛି ଛୋଟ ସଂଖ୍ୟା ନ ଥିଲା । ଖୁସିର କଥା, ଏ ସମସ୍ତଙ୍କଠାରେ ଟିକାର ସଫଳତା ହାର ୭୭.୮% (ସିଙ୍ଗଲ ଡୋଜ୍) ରହିଲା । ଏବେ ଭାରତ ବାୟୋଟେକ କୋଭାକ୍ସିନ ନିମନ୍ତେ ‘ୟୁରୋପିଆନ ମେଡିସିନ୍ ଏଜେନ୍ସୀ’ର ଅନୁମୋଦନ ପାଇଁ ମଧ୍ୟ ଆବେଦନ କରିବ । କରୋନା ପାଇଁ ଭାରତରେ ବର୍ତ୍ତମାନ ୩ଟି ଟିକାର ବ୍ୟବହାର ହେଉଛି । ଭାରତ ବାୟୋଟେକର କୋଭାକ୍ସିନ ମଧ୍ୟ ଏହି ୩ଟିରୁ ଗୋଟିଏ । ‘କୋଭିଶିଲ୍ଡ’ର ଉତ୍ପାଦକ ହେଉଛି ଆଷ୍ଟ୍ରା ଜେନିକା । ତେବେ ଭାରତରେ ଏହାକୁ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଉତ୍ପାଦନ କରୁଛି । ତା’ ଛଡ଼ା ରୁଷୀୟ କରୋନା ଟିକା ‘ସ୍ଫୁଟନିକ-ଭି’କୁ ମଧ୍ୟ ଭାରତରେ ବ୍ୟବହାର ପାଇଁ ମିଳିଛି ଅନୁମତି । ଭାରତ ବାୟୋଟେକ, ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସହ ମିଶି କୋଭାକ୍ସିନ ଟିକାକୁ ପ୍ରସ୍ତୁତ କରିଥିଲା । ଆଉ ଏହା ପାଲଟିଗଲା ଭାରତରେ ନିର୍ମିତ ପ୍ରଥମ ସ୍ୱଦେଶୀ ଟିକା । ମଝିରେ କୋଭାକ୍ସିନ ଦେଶ ଭିତରେ ବଦନାମ ମୁଣ୍ଡାଇବାକୁ ଯାଉଥିଲା । ହାଇଦ୍ରାବାଦରୁ ଉତ୍ପାଦନ ହେଉଥିବା ଏହି କୋଭିଡ୍ ଟିକାରେ ବାଛୁରୀ ରକ୍ତ ମିଶା ଯାଉଥିବା ନେଇ ଗୁଜବ ହେଉଥିଲା । ଏହା ପଛରେ କେତେ ସତ୍ୟତା ରହିଛି ତାହା ଭିନ୍ନ କଥା, ମାତ୍ର ଧାର୍ମିକ ଭାବନାର ମୂଳାଧାରରେ ବଞ୍ଚୁଥିବା ଏ ଦେଶର ଲୋକଙ୍କୁ ଦୋହଲାଇ ଦେବାପାଇଁ ତାହା ଥିଲା ଯଥେଷ୍ଟ । ତେବେ ଏ ଗୁଜବର ଆୟୂଷ ଅଧିକ ଦିନ ନ ଥିଲା । ଏହାପରେ କୋଭିଡ୍ ଟିକା ଉତ୍ପାଦନ କରୁଥିବା ଏହି ଫାର୍ମ (ଭାରତ ବାୟୋଟେକ) ସାମ୍ପଲ ପରୀକ୍ଷଣର ଡାଟା ଭାରତୀୟ ଡ୍ରଗ୍ ରେଗୁଲେଟରଙ୍କ ସବଜେକ୍ଟ ଏକ୍ସପର୍ଟ କମିଟି (ଏସିସି) ନିକଟରେ ଦାଖଲ କଲା । ଆଉ ଏକ୍ସପର୍ଟ କମିଟିର ପ୍ୟାନେଲ, ସାମ୍ପଲ ଡାଟାକୁ ଅନୁମୋଦନ ଦେଇଦେଲେ । ତୃତୀୟ ପର୍ଯ୍ୟାୟରେ ଏହି ଡାଟା ପରୀକ୍ଷଣ, ଭାରତ ବାୟୋଟେକର ନିଷ୍ପତ୍ତି ଯେ ଠିକ୍ ଥିଲା, ତାହା ପୁନର୍ବାର ପ୍ରମାଣିତ କରିଛି । ଏବେ ସେଇଦିନକୁ ଅପେକ୍ଷା, ଯେଉଁଦିନ କୋଭାକ୍ସିନକୁ ସାରା ଦୁନିଆ ମହାମାରୀ କରୋନା ବିରୋଧରେ ବ୍ରହ୍ମାସ୍ତ୍ର ଭାବରେ ବ୍ୟବହାର କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: