ଅଥ ରାହୁଲ ଉବାଚ ଇତି !

ଅଥ ରାହୁଲ ଉବାଚ ଇତି !

ପ୍ରିଜମ୍ ନ୍ୟୁଜ୍ (ସଂପାଦକୀୟ): ଗତବର୍ଷ ଏହି ସମୟରେ ସୋନିଆ ଗାନ୍ଧି କଂଗ୍ରେସର କମାଣ ସମ୍ଭାଳିଥିଲେ। ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦଳ ତାଙ୍କୁ ଦାୟିତ୍ୱ ଦେଇଥିଲା। ଇତିମଧ୍ୟରେ ବର୍ଷେ ବିତିଯାଇଛି, କିନ୍ତୁ ଦଳର ଅବସ୍ଥା ଯେଉଁଠି ଥିଲା, ସେଠି ଅଛି ଅବା ତା’ଠାରୁ ଆହୁରି ଖରାପ ଅଛି। ଏହି ଅବସ୍ଥାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଦଳର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ୍ ସାଂସଦ ଶଶୀ ଥରୁର ଏକ ବୟାନ ଦେଇଛନ୍ତି। ତାଙ୍କ କହିବାନୁସାରେ, କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷଙ୍କ ଆବଶ୍ୟକତା ରହିଛି। ଏହାସହ ବର୍ତ୍ତମାନର କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଉପରେ ଅଧିକ ଚାପ ପକାଯିବା ଦଳ ପାଇଁ ଠିକ ହେଉନାହିଁ ବୋଲି ମଧ୍ୟ ଶଶୀ କହିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ଇସ୍ତଫା ଦେବା ପରେ ସୋନିଆ ଗାନ୍ଧିଙ୍କୁ ଅନ୍ତରୀଣ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଦୀର୍ଘ ଦିନ ପରେବି ନୂଆ ଅଧ୍ୟକ୍ଷ ଚୟନ ପ୍ରକିୟା ଆରମ୍ଭ ହେଉ ନ ଥିବାରୁ ଶଶୀ ଥରୁର ଅସନ୍ତୋଷ ପ୍ରକାଶ କରିଛନ୍ତି । ଦଳ ଲକ୍ଷ୍ୟହୀନ ଓ ଦିଶାହୀନ ହେବା ନେଇ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି, ତାକୁ ଦୂର କରି ଯଥାଶୀଘ୍ର ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଚୟନ କରାଯିବା ଆବଶ୍ୟକ। ରାହୁଲଙ୍କ ନିକଟରେ ସାହସ, କ୍ଷମତା ଓ ଯୋଗ୍ୟତା ରହିଛି, ମାତ୍ର ଯଦି ସେ ଅଧ୍ୟକ୍ଷ ହେବାକୁ ଇଚ୍ଛୁକ ନୁହନ୍ତି ତେବେ ଜଣେ ନୂଆ ଅଧ୍ୟକ୍ଷ ଚୟନ କରାଯିବ ଜରୁରୀ ବୋଲି ଶଶୀ କହିଛନ୍ତି। ତେବେ ଶଶୀଙ୍କ ଏହି ବୟାନ ପରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି। କେବଳ ଶଶୀ ଥରୁର ନୁହନ୍ତି, ଦଳରେ ଆହୁରି ଅନେକ ବରିଷ୍ଠ ନେତା ଅଛନ୍ତି, ଯେଉଁମାନେ ଜଣେ ନୂଆ ଅଧ୍ୟକ୍ଷ ଚାହାନ୍ତି ଏବଂ ରାହୁଲଙ୍କ ପସନ୍ଦ କରନ୍ତି ନାହିଁ।

କୋରୋନା ଭଳି ମହାମାରୀ ସମୟରେ ବିରୋଧୀ ଦଳ ଭୂମିକା ନିଭାଇବାରେ କଂଗ୍ରେସର ଯେତିକି ଦାୟିତ୍ୱ ଓ କର୍ତ୍ତବ୍ୟ ରହିବା କଥା, ତାହା ଦଳ ପାଳନ କରୁନାହିଁ। ଏହି ସମୟରେ କଂଗ୍ରେସ ଦଳ ସରକାରଙ୍କ ଦୋଷ, ଦୁର୍ବଳତାକୁ ପଦାରେ ପକାଇବା କଥା। କିନ୍ତୁ, ବିରୋଧୀ ହିସାବରେ ଦଳ କିଛି ବି କରି ପାରୁନାହିଁ। ସେହିପରି ଦେଶର ବେକାରୀ ସମସ୍ୟା, ଅର୍ଥନୀତି, ତୈଳଦର ବୃଦ୍ଧି ଆଦି ଅନେକ ପ୍ରସଙ୍ଗ କଂଗ୍ରେସ ନିକଟରେ ଅଛି। ସେସବୁ ପ୍ରସଙ୍ଗରେ ସରକାରଙ୍କୁ ଘେରିପାରିଲେ ଲୋକଙ୍କ ମନ ଜିଣିବାରେ ଦଳ ହୁଏ ତ ସଫଳ ହୋଇ ପାରନ୍ତା। କିନ୍ତୁ, ମୁଖିଆ ଅଭାବରୁ ଦଳ ଉଧେଇ ପାରୁ ନ ଥିବା ରାଜନୈତିକ ସମୀକ୍ଷକ କହିଛନ୍ତି। ସାରାଦେଶ ଏବେ କୋରୋନା ମହାମାରୀକୁ ନେଇ ଚିନ୍ତିତ ଅଛି। ଚିନ୍ତା ଏବେ ଯେତିକି ନାହିଁ, ଏହାର ପରବର୍ତ୍ତୀ ଅବସ୍ଥାକୁ ନେଇ ଚିନ୍ତା ଆହୁରି ବଢ଼ୁଛି। ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଦେଶ ଯେଉଁ ଅର୍ଥନୈତିକ ସଙ୍କଟାବସ୍ଥା ଦେଇ ଗତି କରିବ, ସେହି ସମୟ ଆସିବାକୁ ଏବେ ଦେଢ଼ରୁ ଦୁଇ ବର୍ଷ ରହିଛି। ଦୁଇ ବର୍ଷ ପରେ ଭାରତ ଆଉ ଏକ ନିର୍ବାଚନର ପ୍ରସ୍ତୁତି କରୁଥିବ। ସେତେବେଳେ କଂଗ୍ରେସ କରିବ କ’ଣ ? ଏବେଠାରୁ ସରକାରଙ୍କୁ ଘେରି ଲୋକଙ୍କ ଆସ୍ଥାଭାଜନ କରିବାକୁ ଦଳ ଯଦି ଚେଷ୍ଟା ନ କରେ, ତେବେ ଆଗାମୀ ନିର୍ବାଚନ ମଧ୍ୟ ବିଜେପି ଅତି ସହଜରେ ହାତେଇ ନେବ। ସହଜରେ ତ ରାମ ମନ୍ଦିର ପ୍ରସଙ୍ଗ, ଧାରା ୩୭୦ ଉଚ୍ଛେଦ ଭଳି ପ୍ରସଙ୍ଗରେ ବିଜେପି ଲୋକଙ୍କ ହୃଦୟ ଜିତି ଏବେ ରାଜ୍ କରୁଛି, ନୂଆ ଶିକ୍ଷାନୀତି ଗେରୁଆ ଦଳକୁ ବୁଷ୍ଟର ଡୋଜ୍ ଭଳି କାମ ଦେଇଛି। ତେଣୁ, କଂଗ୍ରେସ ଏବେଠାରୁ ନ ସୁଧୁରିଲେ ଆଗାମୀ ଦିନରେ କୋଣଠେସା ହୋଇ ପଡ଼ି ରହିଥିବ।

୨୦୧୪ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦର୍ଶାଇ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ସେଥିରେ ଦଳ ଫେଲ୍ ମାରିଥିଲା । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଦଳ ଅନୁରୂପ ରଣନୀତି ପ୍ରସ୍ତୁତ କରି ବିଫଳ ହୋଇଥିଲା । ନ୍ୟାୟ ଯୋଜନା ଘୋଷଣା କରି କିଛିଦିନ ପାଇଁ ଲୋକଙ୍କ ମାନସପଟ୍ଟରେ କଂଗ୍ରେସ ଦଳ ଉଧେଇ ରହିଥିଲା। କିନ୍ତୁ, ବିଜେପିର ଚାଲାକି ରଣନୀତି, ମୋଦିଙ୍କ ବାକ୍ ଚାତୁରୀ ଏବଂ ଅମିତ ଶାହଙ୍କ ବିଚକ୍ଷଣ ରାଜନୈତିକ ଷ୍ଟ୍ରାଟେଜି ପାଇଁ କଂଗ୍ରେସର ‘ନ୍ୟାୟ’ ଫସର ଫାଟି ଯାଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ସାମାନ୍ୟ ଆଶ୍ୱସ୍ତି ପାଇଥିଲା, ଯେତେବେଳେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଦଳର ସରକାର ଗଠନ ହୋଇଥିଲା । ମାତ୍ର, ଏହାର ସଦୁପଯୋଗ କରି ନ ପାରିବାର ପୁଣି ଥରେ ଦଳକୁ ଏହାର ମୂଲ ଚୁକାଇବାକୁ ପଡ଼ିଲା । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପି ହାତ ଧରିବା ପରେ ସେଠାରେ କମଲନାଥ ସରକାର ଭାଙ୍ଗି ଯାଇଥିଲା । ପୁଣି ଥରେ ବିଜେପି ସେଠାରେ ସରକାର ଗଠନ କରି ଏବେ ରାଜ୍ କରୁଛି। ସେହିପରି ରାଜସ୍ଥାନରେ ଯେଉଁଭଳି ଭାବେ ନାଟକ ଚାଲିଛି, ସଚିନ ପାଇଲଟଙ୍କ ରାଗ, ରୁଷା, ମାନ, ଅଭିମାନ କେତେବେଳେ କେଉଁ ମୋଡ଼ ନେବ, ତାହା ଏବେବି ଅନିଶ୍ଚିତତା ଘେରରେ ରହିଛି। ବିଜେପି ସେଠାରେ ବି ପ୍ରତି ମୁହୂର୍ତ୍ତରେ ସୁଯୋଗର ଅପେକ୍ଷାରେ ଅଛି। ରାଜସ୍ଥାନ ରାଜନୈତିକ ସଙ୍କଟରେ ପ୍ରିୟଙ୍କା ଗାନ୍ଧି ଯେଉଁ ଭୂମିକା ନିଭାଇଥିଲେ, ରାହୁଲ ଗାନ୍ଧି ସେହି ଭୂମିକା ନିଭାଇ ପାରି ନ ଥିଲେ। ‘ଆତ୍ମନିର୍ଭର ଭାରତ’ରେ ରାହୁଲଙ୍କ ଭୂମିକା ଓ ରଣନୀତି ସର୍ବଦା ଦୁର୍ବଳତାର ପରିଚୟ ପାଇଛି। ତେଣୁ, ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସ କାହିଁକି ନିଜର ରଣନୀତି ବଦଳାଉ ନାହିଁ ? ଦଳ କେବେ ପରିବାରଭିତ୍ତିକ ହେବା ଛାଡ଼ି ଦଳଭିତ୍ତିକ ହେବ ? ଦଳରେ ଅନେକ ନେତା ଅଛନ୍ତି, ଯେଉଁମାନେ ରାହୁଲ ଗାନ୍ଧି ଓ ତାଙ୍କର ରାଜନୀତିକୁ ଜମାରୁ ପସନ୍ଦ କରନ୍ତି ନାହିଁ । ତଥାପି ବି ଦଳ ରାହୁଲ ଗାନ୍ଧିଙ୍କୁ ଗୁରୁତ୍ୱ ଦେବାର ଅର୍ଥ କ’ଣ ? ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ରାହୁଲଙ୍କ ବିଫଳ ରାଜନୀତି ଦେଶବାସୀ ଦେଖି ସାରିଛନ୍ତି। ସୋନିଆଙ୍କ ବୟସ ଓ ରାହୁଲ ଗାନ୍ଧିଙ୍କ ବିଫଳ ରାଜନୀତି ଯୋଗୁ ଦଳର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ତେଣୁ, ଦଳକୁ ଏବେ ବଞ୍ଚାଇବାକୁ ହେଲେ ପରିବାର ଠାରୁ ବାହାରିବାକୁ ପଡ଼ିବ। କାରଣ, ଇତିହାସରେ ଅନେକ ପ୍ରଧାନମନ୍ତ୍ରୀ କଂଗ୍ରେସରୁ ଓ ଗାନ୍ଧି ପରିବାର ବାହାରୁ ହୋଇଛନ୍ତି । ଦଳରେ ଏବେ ବି ଅନେକ ଭଲ ଓ ବିଚକ୍ଷଣ ରାଜନେତା ଅଛନ୍ତି। କିନ୍ତୁ, ଦଳ ସେମାନଙ୍କୁ ଆଗକୁ ନ ଆଣି ନିଜ ପରିବାରକୁ ହିଁ ଗୁରୁତ୍ୱ ଦେଉଛି ଏବଂ ଭାରତର ସର୍ବ ପୂରାତନ ଦଳକୁ ସମୁଦ୍ରରେ ବୁଡ଼ାଇ ଦେବାକୁ ବସିଛି । ଏଥିରୁ ଉଦ୍ଧାର ପାଇବାକୁ ହେଲେ ଦଳକୁ ନିଜର ରଣନୀତି ବଦଳାଇବାକୁ ପଡ଼ିବ, ନଚେତ୍ ଆଗାମୀ ଦିନରେ ଭାରତୀୟ ରାଜନୀତିରେ କଂଗ୍ରେସ ଦଳ କେବଳ ଏକ ଇତିହାସ ହୋଇ ରହିଯିବ, ଏଥିରେ ସନ୍ଦେହ ନାହିଁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: