ସଂସଦରେ ଓଡ଼ିଆ ସିନେମା ‘କ୍ଷଣିକା’

ସଂସଦରେ ଓଡ଼ିଆ ସିନେମା ‘କ୍ଷଣିକା’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସଂସଦରେ ଉଠିଲା ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକା ଦି ଲଷ୍ଟ ଆଇଡିଆ’। ଓଟିଟି ପ୍ଲାଟଫର୍ମରୁ ବାଦ୍ ଦିଆଯିବା ପ୍ରସଙ୍ଗରେ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଏକ ଅଣତାରକା ପ୍ରଶ୍ନରେ ସପ୍ତଗିରି କହିଥିଲେ ଯେ, ଏହା କ’ଣ ସତ କି ଓଡ଼ିଆ ଫିଚର ଫିଲ୍ମ ‘କ୍ଷଣିକା ଦି ଲଷ୍ଟ‍ ଆଇଡିଆ’କୁ ବିନା କୌଣସି ସୂଚନାରେ ଓଟିଟି ପ୍ଲାଟଫର୍ମରୁ ବାଦ ଦିଆଯାଇଥିଲା। ଯଦି ହଁ, ତେବେ କେନ୍ଦ୍ର ସରକାର ଏଭଳି ଆଞ୍ଚଳିକ ଭାଷାଭିତ୍ତିକ ଫିଲ୍ମ ପ୍ରତି ଭେଦଭାବ ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ?

ଏହାର ଉତ୍ତରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସୂଚନା ଦେଇଛନ୍ତି ଯେ, ଓଟିଟି ପ୍ଲାଟଫର୍ମରୁ ଏହି ଫିଲ୍ମ ହଟାଇବା ପାଇଁ କେନ୍ଦ୍ର ସରକାର କୌଣସି ନିର୍ଦ୍ଦେଶ ଦେଇ ନ ଥିଲେ। କେନ୍ଦ୍ରୀୟ ଫିଲ୍ମ ପ୍ରମାଣ ବୋର୍ଡ ବା ସିବିଏଫସି ସାର୍ବଜନିକ ପ୍ରଦର୍ଶନ ପାଇଁ ଅନୁମତି ଦେଇଥାଏ। ଏହି ଫିଲ୍ମ ପ୍ରତି କୌଣସି ଭେଦଭାବ କରାଯାଇନାହିଁ। ଫିଲ୍ମ ‘କ୍ଷଣିକା ଦି ଲଷ୍ଟ ଆଇଡିଆ’କୁ ୨୦୧୭ ମସିହାରେ ୟୁଏ ସାର୍ଟିଫିକେଟ ଦିଆଯାଇଥିଲା। ଆଉ ୨୦୧୭ରେ ଗୋଆରେ ଅନୁଷ୍ଠିତ ହୋଇଥିବା ୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରମା ପକ୍ଷରୁ ଏହି ଫିଲ୍ମ ପ୍ରଦର୍ଶିତ ହୋଇଥିଲା।

୮୯ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ଦୁଇ ସୃଜନକର୍ତ୍ତାଙ୍କ ମଧ୍ୟରେ ସୃଜନୀ ଚେତନାର ପ୍ରତିଫଳନକୁ ଦର୍ଶାଯାଇଛି। କବି ଓ ଚିତ୍ରଶିଳ୍ପୀ ମଧ୍ୟରେ ଏକ ପ୍ରକାର ଚିନ୍ତନକୁ କିଭଳି ନିଜର ବୋଲି ଦାବି କରୁଛନ୍ତି,ତାହା ଏହାର ବିଷୟବସ୍ତୁ। ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ସିନେମା ସ୍ୱସ୍ତିକ ଆର୍ଟ ହାଉସ୍‌ ବ୍ୟାନର୍‌ରେ ନିର୍ମିତ। ଏହି ଚଳଚ୍ଚିତ୍ରରେ ସୁଶାନ୍ତ ମିଶ୍ର,ସ୍ୱସ୍ତିକ ଚୌଧୁରୀ ଏବଂ ଚୌଧୁରୀ ବିକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: