ଭାରତ-ରୁଷ ସମ୍ପର୍କ: ଆମେରିକା ଓ ଚୀନ ଛାତିରେ ଛନକା

ଭାରତ-ରୁଷ ସମ୍ପର୍କ: ଆମେରିକା ଓ ଚୀନ ଛାତିରେ ଛନକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ଦୀର୍ଘ ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଆହୁରି ମଜଭୁତ ହୋଇଛି। ଅନ୍ୟ ଦେଶ ତୁଳନାରେ ଭାରତ ଗସ୍ତ ପୁଟିନଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି। ଚଳିତବର୍ଷ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରରେ ୩୮ ପ୍ରତିଶତ ବୃଦ୍ଧି ଘଟିଛି। ଆଗକୁ ରୁଷ ଭାରତରେ ୩୮ଶହ କୋଟି ଡଲାର ପୁଞ୍ଜି ନିବେଶ କରିବ। ସୋମବାର ଦୁଇ ନେତାଙ୍କ ମଧ୍ୟରେ ୨୮ଟି ଚୁକ୍ତି ସ୍ବାକ୍ଷରିତ ହେବା ସହ ବିଭିନ୍ନ କ୍ଷେତ୍ରକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ତେବେ ଚୁକ୍ତି ମଧ୍ୟରେ ସବୁଠାରୁ ବଡ଼ ହେଉଛି ଦଶ ବର୍ଷୀୟ ମିଲିଟାରୀ ଚୁକ୍ତି ଏବଂ ୨୦୩୧ ପର୍ଯ୍ୟନ୍ତ ବୈଷୟିକ ସହଯୋଗ।

ପୁଟିନଙ୍କ ଚାରି ବର୍ଷରେ ପ୍ରଥମ ଗସ୍ତ ଏବଂ ରାଷ୍ଟ୍ରପତି ହେବା ଦିନଠାରୁ ଏହା ଥିଲା ନବମ ଗସ୍ତ। ଏହି ଗସ୍ତ ଦୁଇ ଦେଶ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ସାରା ବିଶ୍ବ ପାଇଁ ମଧ୍ୟ ସେତିକି ମହତ୍ତ୍ବ ରଖୁଛି। ଆଫଗାନିସ୍ତାରେ ଆତଙ୍କବାଦ ନିପାତ ନେଇ ଦୁଇ ଦେଶର ପ୍ରତିନିଧି ଆଲୋଚନା କରିଥିବାବେଳେ ସାରା ବିଶ୍ବରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାସହ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଛି। ସେହିପରି ଚେନ୍ନାଇ ଓ ବ୍ଲାଦିବୋସ୍ତକ ମେରିଟାଇମ କରିଡରର ସୁରକ୍ଷା ନେଇ ଦୁଇ ଦେଶ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ଏହି ସାକ୍ଷାତ ଭାରତର ଆମେରିକା ଓ ଚୀନ ସମ୍ପର୍କଠାରୁ ଢେର୍ ଗୁଣା ଅଧିକ ବୋଲି କୁହାଯାଉଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ଆମେରିକା ସହ ଭାରତର ସମ୍ପର୍କ ବେଶ୍ ମଜଭୁତ ହୋଇଛି। ସେହି ଆଧାରରେ ବିଶେଷଜ୍ଞମାନେ ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ସେତେଟା ଗୁରୁତ୍ବପୂର୍ଣ୍ଣ ହେବାନି ବୋଲି କହୁଥିଲେ। କିନ୍ତୁ ମୋଦି ଓ ପୁଟିନଙ୍କ ସାକ୍ଷାତ ପରେ ଏହା ଭୁଲ ସାବ୍ୟସ୍ତ ହୋଇଛି। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ୩୦ ବିଲିୟନ ଡଲାରର କାରବାର ଲକ୍ଷ୍ୟ ରହିଛି। ଏହାସହ ତେଲ, ଗ୍ୟାସ ଓ ପେଟ୍ରୋଲିୟମ କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ବଡ଼ ଆକାରରେ ନିବେଶ କରିବେ। ଦିଲ୍ଲୀ-ମସ୍କୋ ସମ୍ପର୍କରେ କେଁ ପୂରାଇବ ଆମେରିକା ? ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ସହ ହୋଇଥିବା କ୍ବାଡ୍‌ରେ କୁହାଯାଇଥିଲା ଯେ, ଏହି ଚାରିଟି ଦେଶ ମଧ୍ୟରେ ମଜଭୁତ ସଂଗଠନ ରହିଛି। କିନ୍ତୁ ରୁଷ ବୈଦେଶିକ ମନ୍ତ୍ରୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। କାରଣ, ଭାରତ ଓ ରୁଷ ମଧ୍ୟରେ ସମ୍ପର୍କ ବେଶ୍ ଘନିଷ୍ଠ ରହିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ S-400 ଡିଫେନ୍ସ ସିଷ୍ଟମ୍ ଆରମ୍ଭ କରିବାକୁ ଯୋଜନା ରଖିଛି। ମାତ୍ର ଏଥିରେ ଆମେରିକା ହସ୍ତକ୍ଷେପ କରି ଦିଲ୍ଲୀ-ମସ୍କୋ ସମ୍ପର୍କକୁ ପ୍ରଭାବିତ କରିପାରେ ବୋଲି ରୁଷ ଆଶଙ୍କା ପ୍ରକଟ କରିଛି।ଆମେରିକା, ରୁଷ ଓ ଚୀନୱାର୍ଲଡ ଫୋରମ୍‌ରେ ଆମେରିକା ଚୀନର ବିରୋଧୀ। କିନ୍ତୁ ରୁଷ ଚୀନକୁ ସମର୍ଥନ କରିଥାଏ। ତଦନୁଯାୟୀ ରୁଷ ଓ ଚୀନ ମଧ୍ୟରେ ଏକ ସୂକ୍ଷ୍ମ ସକରାତ୍ମକ ସମ୍ପର୍କ ରହିଛି। ଯେହେତୁ ଭାରତ ଓ ଚୀନ ମଧ୍ୟରେ ଗତ କିଛି ବର୍ଷ ଧରି ବିବାଦ ଲାଗି ରହିଛି। ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ହୋଇଥିବା 2+2 ବୈଠକରେ ଉଠିଥିଲା। ଚୀନର ନାଁ ନ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗ ଉଠାଇଥିଲେ। କୋରୋନା ସମୟରେ ପଡ଼ୋଶୀ ଦେଶ ଉତ୍ତର ଦିଗରେ ସାମରିକୀକରଣ ଓ ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରିବା ଘଟଣା ଉତ୍ତେଜନା ସୃଷ୍ଟି କରୁଛି ବୋଲି ରାଜନାଥ କହିଥିଲେ। ଅତୁଟ ଏ ସମ୍ପର୍କ୨୦୧୪ ମସିହାଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରାୟ ୧୯ ଥର ସାକ୍ଷାତ କରିଛନ୍ତି। ବିଭିନ୍ନ ମଞ୍ଚରେ ଏକାଠି ହୋଇ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସେହିପରି BRICS, SCO,ଜାତିସଂଘ, G-20ରେ ଏକାଠି ସଦସ୍ୟ ଅଛନ୍ତି। ଏହି ସବୁ ମଞ୍ଚ ଦୁଇ ଦେଶକୁ ନିକଟତର ହେବାର ସୁଯୋଗ ଦେଇଛି। ଭାରତ ଖୁବଶୀଘ୍ର S-400 ଡିଫେନ୍ସ ମିଶାଇଲ ସିଷ୍ଟମ ଲଞ୍ଚ କରିବାକୁ ଯାଉଛି। ଏହା ଚୀନ ଓ ଆମେରିକା ପାଇଁ ଆଦୌ ଶୁଭଙ୍କର ନୁହେଁ। ବିଶେଷ କରି ଚୀନ ପାଇଁ ଏହା ଏକ ସ୍ବତନ୍ତ୍ର ଡିଫେନ୍ସ ସିଷ୍ଟମ୍ ସାବ୍ୟସ୍ତ ହେବ। ସେହିପରି ଆମେରିକା ଏହି କାରବାରକୁ ପ୍ରଥମରୁ ହିଁ ବିରୋଧ କରି ଆସୁଛି। ତେଣୁ ଭାରତ ଏହାର ଆରମ୍ଭ କଲେ ଆମେରିକା ମଧ୍ୟ ଭାରତ ଉପରେ ଅସନ୍ତୁଷ୍ଟ ହେବ। ତେଣୁ ଦେଖିବା କଥା, ଭାରତ ଆମେରିକା ଓ ରୁଷ ମଧ୍ୟରେ ନିଜ ସମ୍ପର୍କକୁ କେତେ ସନ୍ତୁଳିତ କରିପାରୁଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: