ୟୁକ୍ରେନ-ରୁଷିଆ ଯୁଦ୍ଧ: ସମୟ ଗଡୁଛି, ଭୟ ବଢୁଛି

ୟୁକ୍ରେନ-ରୁଷିଆ ଯୁଦ୍ଧ: ସମୟ ଗଡୁଛି, ଭୟ ବଢୁଛି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ବନ୍ଦରନଗରୀ ମାରିଅପୁଲ କବ୍‌ଜା କରିଛନ୍ତି ରୁଷିଆ ସେନା । ଘନ ଘନ ଆକ୍ରମଣ ପରେ ଶେଷରେ ମାରିଅପୁଲ କବ୍‌ଜା କରିବା ସଫଳ ହୋଇଛନ୍ତି ପୁଟିନ ସେନା। ବିଭିନ୍ନ ସହର ସହ ଅନ୍ୟ ସହରର ବଡ଼ ବଡ଼ ଶିକ୍ଷାନୁଷ୍ଠାନ, ହସ୍ପିଟାଲ , ଥିଏଟର ଏବେ ରକେଟ୍‌ ମାଡ଼ରେ ମାଟିରେ ମିଶିଯାଇଛି । ଅନେକ ଥର ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନି । ଏହାରି ଭିତରେ ପୁଣି ଥରେ ତୃତୀୟ ବିଶ୍ବଯୁଦ୍ଧର ଆଶଙ୍କା ବଢ଼ିଛି ।


ସେପଟେ ନାଟୋ ଉପରେ ବର୍ଷିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲିଦିମିର ଜେଲେନ୍ସକି । ଯୁଦ୍ଧରେ ପ୍ରତ୍ୟକ୍ଷ ସମର୍ଥନ ଅଭାବରୁ ରାଗିଯାଇ ଜେଲେନ୍ସକି ନାଟୋ ରୁଷିଆକୁ ଭୟ କରୁଥିବା ସେ କହିଛନ୍ତି । ଏହାସହ ରୁଷିଆ ସହ ଆଲୋଚନା କରିବାକୁ ସେ ଇଚ୍ଛାପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଆଲୋଚନା କରାଇବାକୁ ଚେଷ୍ଟା କରୁଛନ୍ତି । ଜେରୁଜେଲମରେ ଏହି ଆଲୋଚନା ହେବା ନେଇ ଆଶା କରାଯାଉଛି । ସେହିପରି ଆତ୍ମସମର୍ପଣ କରିବାକୁ ସେ ମନା କରିଛନ୍ତି । ଏଥରକ ଶାନ୍ତି ଆଲୋଚନା ବିଫଳ ହେଲେ ତୃତୀୟ ବିଶ୍ବଯୁଦ୍ଧ ହେବ ବୋଲି ସେ କହିଛନ୍ତି । ସେହିପରି ମସ୍କୋ ସହ ସବୁ ପ୍ରକାର କାରବାର ବନ୍ଦ କରିବାକୁ ଜେଲେନ୍ସକି ୟୁରୋପୀୟ ଦେଶଗୁଡ଼ିକୁ ଆହ୍ବାନ ଦେଇଛନ୍ତି । ଏହାସହ ତୁରନ୍ତ ରୁଷିଆ ଉପରେ ଚାପ ପକାଇବାକୁ ସେ କହିଛନ୍ତି ।
ଅନ୍ୟପଟେ ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟକୁ ଦୁର୍ବଳ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ । ଆମେରିକାର ଅନ୍ୟ ସହଯୋଗୀ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତର ପ୍ରତିକ୍ରିୟା ଅସ୍ଥିର ବୋଲି ସେ କହିଛନ୍ତି । ସେପଟେ କିନ୍ତୁ ଅଷ୍ଟ୍ରେଲିଆ ଭାରତର ଆଭିମୁଖ୍ୟକୁ ପ୍ରଶଂସା କରିଛି । ତେବେ ଆସନ୍ତା ୨୫ ତାରିଖରେ ବିଡେନ୍ ପୋଲାଣ୍ଡ ଗସ୍ତ କରିବେ । ୱରସୋରେ ସେ ପୋଲାଣ୍ଡ ରାଷ୍ଟ୍ରପତିଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଏହାସହ ୟୁକ୍ରେନ-ରୁଷିଆ ଯୁଦ୍ଧ ପ୍ରସଙ୍ଗ ବିଷୟରେ ମଧ୍ୟ ଏହି ଗସ୍ତ ସମୟରେ ଆଲୋଚନା କରାଯିବ ।


ଏହାରି ଭିତରେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଶାନ୍ତି ଆଲୋଚନାରେ କୌଣସି ଅଗ୍ରଗତି ହୋଇ ନ ଥିବା କ୍ରେମଲିନ ପକ୍ଷରୁ ସୂଚନା ଦିଆଯାଇଛି । ରୁଷିଆ ଗ୍ରହଣ କରି ନ ପାରିବା ଭଳି ସର୍ତ୍ତ ରଖି ୟୁକ୍ରେନ ଆଲୋଚନା ବାଟ ବନ୍ଦ କରୁଛି । ୟୁକ୍ରେନ୍‌ ଅପେକ୍ଷା ଶାନ୍ତି କଥାବାର୍ତ୍ତା ପାଇଁ ରୁଷିଆ ଅଧିକ ଆଗ୍ରହୀ। କିନ୍ତୁ ୟୁକ୍ରେନ୍‌ ରୁଷ୍‌ ପାଇଁ ଅଗ୍ରହଣୀୟ ପ୍ରସ୍ତାବ ରଖି ଏଥିରେ ବାଧା ସୃଷ୍ଟି କରୁଛି ବୋଲି କ୍ରେମଲିନ ମୁଖପାତ୍ର ଡିମିତ୍ରି ପେସକବ୍‌ କହିଛନ୍ତି ।
ସେହିପରି ଏହି ଯୁଦ୍ଧ ଯୋଗୁ ୟୁକ୍ରେନର ପ୍ରାୟ ୩୫ ଲକ୍ଷ ଲୋକ ଦେଶ ଛାଡ଼ି ସାରିଲେଣି । ଏନେଇ ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି । ଏହା ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ଼ ଶରଣାର୍ଥୀ ସଙ୍କଟ । ତେବେ ଶରଣାର୍ଥୀଙ୍କ ମଧ୍ୟରୁ ସିଂହଭାଗ ପୋଲାଣ୍ଡରେ ଆଶ୍ରୟ ନେଇଥିବା ରିପୋର୍ଟରୁ ଜଣାପଡ଼ିଛି । ଅନ୍ୟପଟେ କ୍ରାମାଟୋରସ୍‌କ୍‌ରେ ରୁଷିଆ ବ୍ୟାନ୍ କରାଯାଇଥିବା ଫସ୍‌ଫରସ୍‌ ବୋମା ବ୍ୟବହୃତ କରୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ ପୋଲିସ ମୁଖ୍ୟ। ୧୯୭୭ ମସିହାରେ ଜେନିଭା ସମ୍ମିଳନୀରେ ଏହି ହ୍ବାଇଟ୍ ଫସ୍‌ଫରସ୍‌ ବୋମାକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏହା ସେବେଠାରୁ ବ୍ୟାନ୍ କରାଯାଇଥିବା ସତ୍ତ୍ବେ ରୁଷିଆ ଏହାକୁ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: