ଅନଲାଇନରେ ମିିଳିବ ଖାଲି ବେଡ୍ ତଥ୍ୟ

ଅନଲାଇନରେ ମିିଳିବ ଖାଲି ବେଡ୍ ତଥ୍ୟ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନଲାଇନରେ ମିଳିବ କୋଭିଡ୍ ହସ୍ପିଟାଲରେ ଖାଲି ଥିବା ‘ବେଡ୍’ର ତଥ୍ୟ। କୋଭିଡ୍ ସମୀକ୍ଷା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସଂପ୍ରତି କୋରୋନା ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବା ସହ ଯୋଜନାବଦ୍ଧ ଭାବେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।
ସେହିପରି ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି। କୋଭିଡ୍ କେୟାର ସେଣ୍ଟରଗୁଡ଼ିକୁ କ୍ରିୟାଶୀଳ କରାଯିବା ସହ ସମସ୍ତ କୋଭିଡ୍ ହସ୍ପିଟାଲଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି। ମେଡିକାଲ କଲେଜଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହ ନୂଆ ବେସରକାରୀ ହସ୍ପିଟାଲଗୁଡ଼ିକୁ କୋଭିଡ୍ ହସ୍ପିଟାଲରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ୩୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା କରାଯାଇଛି ଏବଂ ଏହାକୁ ୩୫ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି। ପଡ଼ୋଶୀ ରାଜ୍ୟ ଗୁଡ଼ିକରେ ଅଧିକ କୋଭିଡ୍ ସଂଖ୍ୟା ଥିବାରୁ ସେ ସବୁ ରାଜ୍ୟରୁ ଲୋକଙ୍କ ଚଳାଚଳ ଉପରେ ତୀକ୍ଷଣ ନଜର ରଖାଯାଇଛି। ଖୁବଶୀଘ୍ର ଶଯ୍ୟା ଉପଲବ୍ଧତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ Online Real-time Bed Management System କାର୍ଯ୍ୟକାରୀ କରାଯିବ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର କୋଭିଡ ପରିସ୍ଥିତି ଉପରେ ଏକ ଉପସ୍ଥାପନା ରଖି କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ୫୦,୯୫୮ ଆକ୍ଟିଭ କେସ୍ ରହିଛି ଏବଂ ୭ଟି ଜିଲ୍ଲାରେ ୬୦ ପ୍ରତିଶତ ଆକ୍ଟିଭ୍ କେସ୍ ରହିଛି। ସେ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟରେ ସମୁଦାୟ ୩୧,୪୭୧ଟି ବେଡ୍‌ ରହିଛି ଏବଂ ଆଇସିୟୁ ବେଡ୍ ବ୍ୟତୀତ ୧୭,୪୯୫ଟି ବେଡ୍‌ରେ ଅକ୍‌ସିଜେନର ବ୍ୟବସ୍ଥା କରାଯାଇଛି। ଉଭୟ ସରକାରୀ ଓ ବେସରକରୀ କୋଭିଡ୍ ହସ୍ପିଟାଲ ଗୁଡିକରେ ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଅଧିକ ସଂଖ୍ୟକ ଶଯ୍ୟାରେ ଅକ୍‌ସିଜନ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟରେ ବର୍ତ୍ତମାନ ଦୈନିକ ୪୨.୧୦ ମେଟ୍ରିକ ଟନ୍‌ ଅକ୍‌ସିଜେନ ବ୍ୟବହାର କରାଯାଉଛି ବୋଲି ସୂଚନା ଦେବା ସହିତ ରେମଡେସିଭିର ଓ ଫାଭିପିରାଭିର ଆଦି ସମସ୍ତ ଜରୁରୀ ଔଷଧ ଯଥେଷ୍ଟ ଭାବରେ ଉପଲବ୍ଧ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: