ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କ ବ୍ୟାଗରୁ ହଠାତ୍ ବାହାରିଲା ନିଆଁ ପିଣ୍ଡୁଳା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାସ୍ତାରେ ଯାଉଥିବେ ଆଉ ହଠାତ୍ ଆପଣଙ୍କ ବ୍ୟାଗ୍ ବା ପୋଷକରୁ ନିଆଁ ବାହାରିବାକୁ ଲାଗିବ। ତାହାଲେ ଆଶ୍ଚର୍ଯ୍ୟ ହେବା ତ ସ୍ଵାଭାବିକ କଥା । ବାସ୍ତବରେ ସେମିତି ଏକ ଘଟଣା ଚାଇନାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସାଙ୍ଗ ସହିତ ରାସ୍ତାରେ ଯାଉଥିବା ବେଳେ ତାଙ୍କ ବ୍ୟାଗରେ ଥିବା ଫୋନରେ ନିଆଁ ଲାଗି ଜଳିବାକୁ ଆରମ୍ଭ କରିଥିଲା। ଏହି ଭିଡିଓ ସାଉଥ ଚାଇନା ମର୍ନିଂ ପୋଷ୍ଟ ଦ୍ୱାରା ସୋସିଆଲ ମିଡିଆରେ ଅପଲୋଡ୍ କରାଯାଇଛି । ଏହି ୫୧ ସେକେଣ୍ଡର ଭିଡିଓ ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଭିଡିଓଟି ସୋସିଆଲ ମିଡିଆରେ ଅଧିକ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖି ହେଉଛି ଯେ, ବ୍ୟକ୍ତି ଜଣକ ଝିଅଟି ସହିତ ଜନଗହଳିପୂର୍ଣ୍ଣ ରାସ୍ତାରେ ଯାଉଛନ୍ତି ଏବଂ ତାଙ୍କ କାନ୍ଧରେ ଏକ ବ୍ୟାଗ ମଧ୍ୟ ଅଛି, ଯେଉଁଥିରୁ ହଠାତ୍ ନିଆଁ ବାହାରୁଛି। ଏହାକୁ ଭୟ କରି ବ୍ୟକ୍ତି ବ୍ୟାଗକୁ ତଳେ ଫୋପାଡି ଦେଉଛନ୍ତି, ଏବଂ କିଛି ସମୟ ପରେ ନିଆଁ ଲିଭିଆଯାଉଛି। ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ, ରାସ୍ତାରେ ଯାଉଥିବା ଏହି ବ୍ୟକ୍ତି ଜଣକୁ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା, କିନ୍ତୁ ବିସ୍ଫୋରଣ କେଉଁଠାରେ ହୋଇଥିଲା ସେ ବୁଝିପାରି ନଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ ଜାଣିବାକୁ ପାଇଲେ ଯେ ଏହି ବିସ୍ଫୋରଣ ତାଙ୍କ ବ୍ୟାଗରେ ଘଟିଛି ଏବଂ ଏହି ବିସ୍ଫୋରଣ ହେତୁ ତାଙ୍କ ବ୍ୟାଗରେ ନିଆଁ ଲାଗିଯାଇଥିଲା।
ଖବର ଅନୁଯାୟୀ, ତାଙ୍କ ବ୍ୟାଗରେ ଏକ ଫୋନ୍ ଥିଲା, ଯାହା କି ବିସ୍ଫୋରଣ ହୋଇ ଏହି ଭୟାନକ କାଣ୍ଡ ଘଟିଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଗ ଭିତରେ ଏକ ସାମସଙ୍ଗ ସ୍ମାର୍ଟଫୋନ୍ ଥିଲା ଯାହାକୁ ବ୍ୟକ୍ତି ଜଣକ ୨୦୧୬ ମସିହାରେ କିଣିଥିଲେ। ମୋବାଇଲରେ ଦୀର୍ଘ ସମୟ ଧରି ବ୍ୟାଟେରୀ ସମସ୍ୟା ରହିଥିଲା ଏବଂ ଏହି ଅଗ୍ନିକାଣ୍ଡ ଘଟିବା ସମୟରେ ମୋବାଇଲ୍ ଫୋନ୍ ସଂପୂର୍ଣ୍ଣ ଡିସଚାର୍ଜ ହୋଇଯାଇଥିଲା। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ଲୋକମାନେ ଅନେକ ପ୍ରକାରର କମେଣ୍ଟ ଦେଉଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *