କନ୍ୟା-420, ମିଛ ବାହାଘର ନାଁରେ ୨୦ ପୁରୁଷଙ୍କୁ ଲଗେଇଲେ ଚୂନ

କନ୍ୟା-420, ମିଛ ବାହାଘର ନାଁରେ ୨୦ ପୁରୁଷଙ୍କୁ ଲଗେଇଲେ ଚୂନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚାଇନାରେ ବାହାଘର ପାଇଁ ଝିଅଟେ ମିଳିବା ଅତ୍ୟନ୍ତ କଷ୍ଟକର। କାରଣ ସେଠାରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ବହୁତ କମ୍ । ଏହି ଦୁର୍ବଳତାର ଫାଇଦା ଉଠେଇ ସେଠାରେ ଝିଅ ମାନେ ପୁଅଙ୍କୁ ମଧ୍ୟ ଠକିବାର ଅନେକ ଘଟଣା ସମ୍ନାକୁ ଆସେ। ସେହିଭଳି ଜଣେ ୩୫ ବର୍ଷିୟ ଚାଇନିଜ୍ ବ୍ୟକ୍ତିଙ୍କ ସହ ବାହାଘର ନାମରେ ଯାହା ଘଟିଛି ଆପଣ ଜାଣିଲେ ତାଯୁବ ହୋଇଯିବେ। ଘଟଣାଟି କୌଣସି ଚଳଚ୍ଚିତ୍ର କାହାଣୀଠୁ କମ ନୁହେଁ। ଏଠାକାର ଜଣେ ଲୁଟେରୀ କନ୍ୟା ଅନେକ ପୁରୁଷଙ୍କୁ ଠକି ଶେଷରେ ଧରା ପଡ଼ିଛନ୍ତି।
ଚାଇନାର ଇନର ମଙ୍ଗୋଲିଆରେ ରହୁଥିବା ଜଣେ ବ୍ୟକ୍ତି ବିବାହ ପାଇଁ ଜଣେ ମ୍ୟାଚ୍ ମେକରଙ୍କ ସାହାଯ୍ୟ ନେଇଥିଲେ। ସେ ଏହି ବ୍ୟକ୍ତିଙ୍କୁ ନାନା ନାମକ ଏକ ଝିଅ ସହିତ ପରିଚିତ କରାଇଲେ ମ୍ୟାଚ୍ ମେକର। କିଛି ଦିନ ଭିଡିଓ କଲ, କଲରେ କଥା ହେବା ପରେ ଦୁହେଁ ପରସ୍ପରକୁ ପସନ୍ଦ କରିଥିଲେ ଏବଂ ବିବାହ କରିଥିଲେ। ତେବେ ଯେତେବେଳେ କନ୍ୟା ବ୍ୟକ୍ତି ଜଣଙ୍କୁ ବିବାହ କରିବା ପାଇଁ ଇନର୍ ମୋଙ୍ଗୋଲିଆକୁ ଆସିଥିଲେ, ସେତେବେଳେ ତାଙ୍କ ପରିବାର ଲୋକ କନ୍ୟାର ପରିବାରକୁ ଭେଟିବାକୁ ଚାହୁଁଥିଲେ। କିନ୍ତୁ ମ୍ୟାଚ୍ ମେକର ସେମାନଙ୍କୁ ଅନେକ ବାହାନା ଦେଖାଇ ଶେଷରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ଉଭୟଙ୍କ ବାହାଘର କରାଇଥିଲେ। ଏବଂ କହିଥିଲେ ଯେ ଯେତେବେଳେ ଝିଅର ପରିବାରର ଲୋକଙ୍କ ସମସ୍ୟା ଟିକିଏ ସମାଧାନ ହୋଇଯିବ, ସେତେବେଳେ ସେମାନେ ବିବାହକୁ ସରକାରୀ କରିବେ। ବାହାଘରରେ ଝିଅକୁ ବର ପକ୍ଷରୁ ଯୌତୁକ ଆକାରରେ ଅଳଙ୍କାର ଏବଂ ଟଙ୍କା ମଧ୍ୟ ଦିଆଯାଇଥିଲା।
ବାହାଘର ପରେ ମଧ୍ୟ ପତ୍ନୀ ଅଧିକାଂଶ ସମୟ ତାଙ୍କ ବାପ ଘରେ ରହୁଥିଲେ। ପ୍ରଥମେ ପ୍ରଥମେ ବ୍ୟକ୍ତି ଜଣଙ୍କ ତାଙ୍କୁ ସନ୍ଦେହ କରିନଥିଲେ, କିନ୍ତୁ ଯେତେବେଳେ ଏହା ବହୁ ସମୟ ଧରି ଚାଲିଥିଲା, ସେତେବେଳେ ସେ ତାଙ୍କ ପତ୍ନୀଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ଏହି ସମୟରେ ସ୍ୱାମୀ ତାଙ୍କ ମା’ଙ୍କୁ ଭେଟିବା ବାହାନାରେ ଯାଇଥିବା ପତ୍ନୀଙ୍କ ଅନୁପସ୍ଥିତିରେ ଏକ ଭିଡିଓ ନେଟୱାର୍କିଂ ସାଇଟ୍ ଦେଖୁଥିଲେ। ଏହି ସମୟରେ ସେ ତାଙ୍କ ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷଙ୍କ ସହ ବିବାହ କରିଥିବାର ଭିଡିଓରେ ଦେଖିବାକୁ ପାଇଥିଲେ। ଏହା ଦେଖି ବ୍ୟକ୍ତି ଜଣଙ୍କର ହୋସ ଉଡ଼ିଗଲା।
ବ୍ୟକ୍ତି ଜଣକ ଭିଡ଼ିଓ ଦେଖିବା ପାରେ ପୁରା ଘଟଣା ଜାଣିବା ପାଇଁ ସେହି ସ୍ଥାନକୁ ଯିବାକୁ ମନସ୍ଥ କରିଥିଲେ। ପତ୍ନୀଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ଭେଟି ସେ ପୁରା କଥା କହିଥିଲେ ଏବଂ ପୋଲିସକୁ ଏ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ତେବେ ଯେତେବେଳେ ପୋଲିସ ଉକ୍ତ ମହିଳାଙ୍କ ବିଷୟରେ ଅନୁସନ୍ଧାନ ଆରମ୍ଭ କରିଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଲେ ଯେ ସେ କେବଳ ଉକ୍ତ ବ୍ୟକ୍ତି ନୁହେଁ ତାଙ୍କ ଭଳି ଆହୁରି ୧୯ ଜଣ ନିରୀହ ପୁରୁଷଙ୍କୁ ବିବାହ କରି ଠକି ଛନ୍ତି।ତେବେ ତାଙ୍କର ଏହି କାର୍ଯ୍ୟରେ ମ୍ୟାଚ୍ ମେକର୍ ତାଙ୍କୁ ସାହାଯ୍ୟ କରୁଥିଲେ ବୋଲି ପୋଲିସ କହିଛି। ସେମାନେ ଏପରି ପୁରୁଷମାନଙ୍କୁ ଟାର୍ଗେଟ କରୁଥିଲେ ଯେଉଁମାନେ ବିବାହ କରିବାକୁ ଚାହୁଁଥିଲେ। ସମସ୍ତଙ୍କୁ ପ୍ରାୟ ସମାନ କାହାଣୀ କହିବା ପରେ ବିବାହ ହେଉଥିଲା। ନା ବିବାହ ସରକାରୀ ଥିଲା ନା ପତ୍ନୀ ତାଙ୍କ ସ୍ୱାମୀଙ୍କ ସହ ରହୁଥିଲେ। ତେବେ ଏହି ଘଟଣା ଜଣା ପଡିବା ପରେ ଉକ୍ତ ମହିଳାଙ୍କ ବିରୋଧରେ ଆହୁରି ଅଭିଯୋଗ ପୋଲିସ ପାଖରେ ଦାଖଲ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: