ବିଦେଶରେ ହିମାଳୟ ପୋକର ଚାହିଦା, ୧୦୦୦ ଟଙ୍କାରେ ମିଳେ ଗୋଟିଏ ପୋକ

ବିଦେଶରେ ହିମାଳୟ ପୋକର ଚାହିଦା, ୧୦୦୦ ଟଙ୍କାରେ ମିଳେ ଗୋଟିଏ ପୋକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଶ୍ୱର ବିଭିନ୍ନ ସ୍ଥାନରେ ଜଳବାୟୁ ଯେପରି ଭିନ୍ନ ହୋଇଥାଏ, ସେହି ଅନୁସାରେ ବିଭିନ୍ନ ସ୍ଥାନରେ ଜୀବଜନ୍ତୁ ମଧ୍ୟ ଭିନ୍ନ ହୋଇଥାନ୍ତି। ଏଥିରୁ କୀଟ – ପତଙ୍ଗ ମଧ୍ୟ ବାଦ ପଡ଼ନ୍ତି ନାହିଁ। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରଜାତିର କୀଟ – ପତଙ୍ଗ ଦେଖା ଯାଆନ୍ତି। ସେଥି ମଧ୍ୟରୁ କେତେକ ବିଶେଷ ପ୍ରଜାତି ରହିଛି ଯାହାକି ଲୋକଙ୍କ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର ହୁଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପୋକ ବା କୀଟ ବିଷୟରେ କହିବୁ ଯାହାକି ଅନ୍ୟ କୀଟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବା ସହ ଅତ୍ୟନ୍ତ ମହଙ୍ଗା ହୋଇଥାଏ। ଏହାର କିଲୋ ପ୍ରତି ବଜାର ଦର ୮ରୁ୯ ଲକ୍ଷ ରହିଥାଏ। ଏହା ଏକ ଔଷଧ ଭାବରେ ବ୍ୟବହୃତ ହୁଏ। ଏହି ପୋକଟି ବାଦାମୀ ରଙ୍ଗର ଏବଂ ଏହାର ଲମ୍ବ ଦୁଇ ଇଞ୍ଚ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହାର ସ୍ୱାଦ ଅତ୍ୟନ୍ତ ମିଠା। ହିମାଳୟ ଅଞ୍ଚଳରେ ତିନି ରୁ ପାଞ୍ଚ ହଜାର ମିଟର ଉଚ୍ଚରେ ଦେଖିବାକୁ ମିଳେ ଏହି ବିଶେଷ ପ୍ରଜାତିର ପୋକ।
ତେବେ ହିମାଳୟ ଉପତ୍ୟକା ଗୁଡ଼ିକରେ ଦେଖିବାକୁ ମିଳୁଥିବା ଏହି କୀଟଙ୍କର ଅନେକ ନାମ ରହିଛି। ଭାରତରେ ଏହାକୁ ‘କିଡା ଜଡି’ କୁହାଯାଉଥିବା ବେଳେ ନେପାଳ ଏବଂ ଚାଇନାରେ ଏହାକୁ ‘ୟାରସାଗୁମ୍ବା’ କୁହାଯାଏ। ଯେତେବେଳେ କି ତିବ୍ଦତରେ ଏହାର ନାମ ହେଉଛି ‘ୟାରସାଗନବୁ’ । ଏହା ବ୍ୟତୀତ ଏହାର ବୈଜ୍ଞାନିକ ନାମ ହେଉଛି ‘Ophiocordyceps sinensis’, ଏହାକୁ ଇଂରାଜୀରେ ‘Caterpillar fungus’ କୁହାଯାଏ, କାରଣ ଏହା ଫଙ୍ଗସ୍ ପ୍ରଜାତିର ଅଟେ।
କିଡା ଜଡିକୁ ‘ହିମାଳୟ ଭିୟାଗ୍ରା’ ମଧ୍ୟ କୁହାଯାଏ। ଶକ୍ତି ବୃଦ୍ଧିକାରୀ ଔଷଧ ସହିତ ଏହା ଆହୁରି ଅନେକ ଜିନିଷରେ ବ୍ୟବହୃତ ହୁଏ। ଏହି ପୋକ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଫୁସଫୁସର ଚିକିତ୍ସାରେ ମଧ୍ୟ ବହୁତ ହୋଇଥାଏ। ତେବେ ଏହି ପୋକ ଅତ୍ୟନ୍ତ ଦୁର୍ଲଭ ହୋଇଥିବା ବେଳେ ବହୁତ ମହଙ୍ଗା ମଧ୍ୟ ହୋଇଥାଏ। ପୋକ ଏତେ ମହଙ୍ଗା ଯେ, ପ୍ରାୟ ୧୦୦୦ ଟଙ୍କାରେ କେବଳ ଗୋଟିଏ କିଣିବା ସମ୍ଭବ ହୋଇପାରେ। ଅନ୍ୟପକ୍ଷରେ, ଯଦି ଆପଣ କିଲୋଗ୍ରାମ ଅନୁଯାୟୀ ଦେଖନ୍ତି, ତେବେ ଆନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପ୍ରତି ୮ ରୁ ୯ ଲକ୍ଷ ଟଙ୍କାରେ ବିକ୍ରୀ ହୋଇଥାଏ। ସେଥିପାଇଁ ଏହାକୁ ଦୁନିଆର ସବୁଠାରୁ ଦାମୀ କୀଟ କୁହାଯାଏ। ତେବେ ଆନ୍ତର୍ଜାତୀୟ ବଜାରରେ ଏହି କିଡା ଜଡିର ଦାମ ବହୁତ ହ୍ରାସ ପାଇଛି। ଆଗରୁ ଏହା କିଲୋଗ୍ରାମ ପ୍ରତି ୧୯ ରୁ ୨୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହୋଇଥିବା ବେଳେ ଏବେ କିଲୋଗ୍ରାମ ପ୍ରତି ଆଠରୁ ନଅ ଲକ୍ଷ ଟଙ୍କାକୁ ଖସିଛି।
ଭାରତର ଅନେକ ସ୍ଥାନରେ କ୍ୟାଟପିଲର ଫଙ୍ଗସ୍ ସଂଗ୍ରହ ଆଇନଗତ, କିନ୍ତୁ ଏହାର ବାଣିଜ୍ୟ ବେଆଇନ୍ ଅଟେ। ପୂର୍ବରୁ ନେପାଳରେ ଏହି ପୋକ ନିଷେଧ କରାଯାଇଥିଲା, କିନ୍ତୁ ପରେ ଏହି ନିଷେଧକୁ ହଟାଇ ଦିଆଯାଇଥିଲା। କୁହାଯାଏ ଯେ ଏହାକୁ ଏବେ ନୁହେଁ, ହଜାର ହଜାର ବର୍ଷ ଧରି ଔଷଧ ରୂପେ ବ୍ୟବହାର କରାଯାଉଛି। କୀଟ ସଂଗ୍ରହ କରିବା ପାଇଁ, ଲୋକମାନେ ପର୍ବତ ଉପରେ ତମ୍ବୁ ପକାଇ କିଛି ଦିନ ରହିଥାନ୍ତି।
କିଡା ଜଡି ହିମାଳୟ ଅଞ୍ଚଳରେ ବଢ଼ୁଥିବା କେତେକ ଉଦ୍ଭିଦରୁ ନିର୍ଗତ ରସ ସହିତ ଜନ୍ମ ହୁଅନ୍ତି ବୋଲି କୁହାଯାଏ। ସେମାନଙ୍କର ସର୍ବାଧିକ ବୟସ ମାତ୍ର ଛଅ ମାସ। ପ୍ରାୟତଃ ଏଗୁଡ଼ିକ ଶୀତ ଋତୁରେ ଜନ୍ମ ହୁଅନ୍ତି ଏବଂ ସେମାନେ ମେ-ଜୁନ୍ ସୁଦ୍ଧା ମରିଯାଆନ୍ତି, ଯାହା ପରେ ଲୋକମାନେ ସେମାନଙ୍କୁ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: