ଏହି ସବୁ ଘରୋଇ ଉପାୟ କଲେ ଅମ୍ଳଜାନ ସ୍ତର ବୃଦ୍ଧି ହୁଏ ! ଜାଣନ୍ତୁ ସତ୍ୟତା

ଏହି ସବୁ ଘରୋଇ ଉପାୟ କଲେ ଅମ୍ଳଜାନ ସ୍ତର ବୃଦ୍ଧି ହୁଏ ! ଜାଣନ୍ତୁ ସତ୍ୟତା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସାରା ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଯେଉଁ ମାତ୍ରାରେ ବଢୁଛି, ସେହି ସମାନ ବେଗରେ ଅକ୍ସିଜେନ୍ ସିଲିଣ୍ଡର ଏବଂ ହସ୍ପିଟାଲରେ ବେଡ୍ ର ଆବଶ୍ୟକତା ମଧ୍ୟ ବଢ଼ିବାରେ ଲାଗିଛି । ଏହି ସମୟରେ ସୋସିଆଲ ମିଡିଆର ଏକ ପୋଷ୍ଟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶରୀରର ଅମ୍ଳଜାନ ସ୍ତର ବୃଦ୍ଧି କରିବା ପାଇଁ ଘରୋଇ ଉପଚାର ବିଷୟରେ କୁହାଯାଉଛି। ଏହି ଭାଇରାଲ ପୋଷ୍ଟକୁ କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଅବ୍ବାସ ନାକଭି ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟରେ କୁହାଯାଇଛି ଯେ, କର୍ପୂର (Camphor), ଲବଙ୍ଗ (Clove), ଜୁଆଣି (Carrom seeds) ଏବଂ ୟୁକେଲିପଟସ୍ ତେଲ (Eucalyptus oil)ର କିଛି ବୁନ୍ଦା ମିଶାଇ ଶୁଙ୍ଘିଲେ ଏହା ସଂକ୍ରମଣ ସମସ୍ୟା ଦୂର କରିବା ସହ ଶରୀରରେ ଅମ୍ଳଜାନ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।


ଭାଇରାଲ୍ ପୋଷ୍ଟରେ ଲେଖାଯାଇଛି – ‘କର୍ପୂର, ଲବଙ୍ଗ, ଜୁଆଣି ଏବଂ ୟୁକେଲିପଟସ୍ ତେଲର କିଛି ବୁନ୍ଦା ମିଶାଇ ଏକ ବଣ୍ଡଲ୍ ପ୍ରସ୍ତୁତ କରନ୍ତୁ । ଏବଂ ତାହାକୁ ଦିନରେ ବହୁବାର ଶୁଙ୍ଘନ୍ତୁ। ଏହା କରିବା ଦ୍ୱାରା ଶରୀରର ଅମ୍ଳଜାନ ସ୍ତର ବଢିଥାଏ ଏବଂ ସଂକ୍ରମଣ ସମସ୍ୟା ଦୂର ହୁଏ। ଏହି ମିଶ୍ରଣର ବଣ୍ଡଲ ଲଦାଖର ପର୍ଯ୍ୟଟକମାନଙ୍କୁ ମଧ୍ୟ ଦିଆଯାଏ, ଯେତେବେଳେ ସେମାନଙ୍କର ଅମ୍ଳଜାନ ସ୍ତର କମିବା ଆରମ୍ଭ କରେ। ସହଜ ଓ ସୁବିଧାରେ ଉପଲବ୍ଧ ଥିବା ଏହା ଏକ ଘରୋଇ ଉପଚାର ବୋଲି ଅନେକ ଦାବି କରୁଛନ୍ତି। ଯଦିଓ ଏହି ଦାବି ପ୍ରମାଣ ହୋଇନାହିଁ ତଥାପି କୁହାଯାଉଛି ଯେ, ଶ୍ବାସ ସହ ଜଡ଼ିତ ସାମାନ୍ୟ ସଂକ୍ରମଣ କ୍ଷେତ୍ରରେ ଏହି ଥେରାପି ଆପଣଙ୍କୁ ଉପଶମ ଦେବାରେ ସାହାଯ୍ୟ କରିବ।


ଚର୍ମରେ କୁଣ୍ଡେଇ ହେବା କିମ୍ବା ଯନ୍ତ୍ରଣା କମାଇବା ପାଇଁ କର୍ପୂର ଘଷା ଯାଏ । କିନ୍ତୁ ବନ୍ଦ ନାକ ଖୋଲିବାରେ କର୍ପୂର ଉପକାରୀ ବୋଲି କୌଣସି ପ୍ରମାଣ ନାହିଁ। ଏଥିସହ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ବନ୍ଦ ନାକ ଖୋଲିବା ଦ୍ୱାରା ଶରୀରରେ ଅମ୍ଳଜାନର ମାତ୍ରା ବଢ଼ିଥାଏ, ତାହା ନୁହେଁ । ସେହିଭଳି ଏପରି କୌଣସି ଅଧ୍ୟୟନ ନାହିଁ, ଯାହା ଦାବି କରିପାରିବ ଯେ ଲବଙ୍ଗ, ଜୁଆଣି ଏବଂ ୟୁଉକ୍ଲିପଟସ୍ ତେଲ ଶରୀରର ଅମ୍ଳଜାନ ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
କରୋନାକୁ ଏଡାଇବା ପାଇଁ କିମ୍ବା କରୋନାରୁ ଆରୋଗ୍ୟ ହେବା ପାଇଁ କାଢ଼ା ପିଇବା ଠାରୁ ଆରମ୍ଭ କରି ବାମ୍ଫ ନେବା ଏବଂ ଆୟୁର୍ବେଦିକ ପ୍ରେସକ୍ରିପସନ୍ ଗ୍ରହଣ କରିବା ଭଳି ଅନେକ ପଦକ୍ଷେପ ସୋସିଆଲ ମିଡିଆରେ ଆଜିକାଲି ଭାଇରାଲ ହେବାରେ ଲାଗିଛି। କିନ୍ତୁ ଆପଣ ଡାକ୍ତରଙ୍କୁ ନ ପଚାରି କୌଣସି ଉପାୟ ଗ୍ରହଣ କରନ୍ତୁ ନାହିଁ, ନଚେତ୍ କରୋନା ଭଲ କରିବା ବାଉଳାରେ ଅନ୍ୟ ରୋଗରେ ପଡ଼ି ପାରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: