Connect with us

ଦେଶ ଓ ବିଦେଶ

ମାଗିଅଣା ତିଅଣ ସୋଡ଼କାଏ !

Published

on

ପ୍ରିଜମ୍ ନ୍ୟୁଜ (ହିତାଂଶୁ ଶେଖର ମହାନ୍ତ): ପଶ୍ଚିମବଙ୍ଗରେ ବିଜେପିର ଏବେ ବେଳା ଖରାପ ଚାଲିଛି । ବିଧାନସଭା ନିର୍ବାଚନରେ ଟିଏମସିଠାରୁ ମାଡ଼ ଖାଇବା ପରେ ବି ସତେ ଯେମିତି ଦଳର ଦୁର୍ଦ୍ଦଶା କମୁନି । ଦଳ ଟିଏମସିରୁ ମାଗି ଆଣିଥିବା ଧାରକରା ନେତାମାନେ ଜଣକ ପରେ ଜଣେ ପଦ୍ମପୋଖରୀ ଛାଡ଼ି ଚାଲି ଯାଉଛନ୍ତି । ମୁକୁଲ ରାୟଙ୍କ ପଦାଙ୍କ ଅନୁସରଣ କରିବାକୁ ଏବେ ଦଳରେ ତୟାର ଡଜନେରୁ ଅଧିକ ନେତା । ତେବେ ବିଜେପି ନିଜ ଦଳର କ୍ୟାଡ଼ରଭିତ୍ତିକ ନେତାଙ୍କୁ ଟିକେଟ ନ ଦେଇ (ଟିଏମସିରୁ ମାତ୍ର ଦୁଇ କିମ୍ବା ତିନିମାସ ତଳେ ଆମଦାନୀ ହୋଇଥିବା ନେତାଙ୍କୁ ଟିକେଟ୍ ଦେଇ ଦଳ ଆଉ ନିଜ ସମର୍ଥକଙ୍କ ସମର୍ଥନ ହରାଇନାହିଁ ତ !) ଏ ଦୁର୍ଦ୍ଦଶା ଭୋଗୁଛି କି ? ନା, ସେମିତି ହୁଏତ ହୋଇ ନ ଥାଇପାରେ । କାରଣ କିଛି ସମୟ ପୂର୍ବରୁ (ଧରିନିଅନ୍ତୁ ଦୁଇ କିମ୍ବା ତିନି ବର୍ଷ) ପଶ୍ଚିମବଙ୍ଗରେ ବିଜେପିର କୌଣସି ଦୃଷ୍ଟାନ୍ତମୂଳକ ସତ୍ତା ହିଁ ନ ଥିଲା । ତେଣୁ ଦଳରେ ଯେ କର୍ମୀ ଓ ସମର୍ଥକ ଥିଲେ, ଏହା ଭାବିବା ମୂର୍ଖାମୀ ହେବ । ତେଣୁ ଦଳ ଟିଏମସିରୁ ତିଅଣ ମାଗିଆଣି ସୋଡ଼କିବା ଛଡ଼ା ଆଉ ବା ଉପାୟ କ’ଣ ଥିଲା ?

ଗତ ସୋମବାର ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ବିଭିନ୍ନ ସମସ୍ୟା ନେଇ (ଏଇ ଯେମିତି ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଆଲୋଚନା ପାଇଁ) ଭେଟିବାକୁ ଯାଇଥିଲେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ସାଙ୍ଗରେ ଥିଲେ ବିଜେପିର ନବନିର୍ବାଚିତ ବିଧାୟକମାନେ । ତେବେ ସେମାନଙ୍କ ସଂଖ୍ୟା କେତେ ଥିଲା, କହିଲେ ? ଆପଣ ଭାବୁଥିବେ, ଇଏ କେମିତିକା ପ୍ରଶ୍ନ ? ୭୪ଜଣ ଜିତିଛନ୍ତିମାନେ ନିଶ୍ଚୟ ୭୪ ଜଣ ହିଁ ଥିବେ । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଆଜ୍ଞା ନାଇଁ, ଶୁଭେନ୍ଦୁଙ୍କ ସହ ଯାଇଥିଲେ ମାତ୍ର ୫୦ ବିଧାୟକ । ଆଉ ୨୩ ଜଣ ବିଧାୟକ ଥିଲେ ଅନୁପସ୍ଥିତ । ତେବେ ଏପରି ହେବା ପଛରେ କାରଣ କ’ଣ ରହିଛି, ସେକଥା ବୁଝିବାକୁ ହେଲେ ଆମକୁ ଟିକେ ପଶ୍ଚିମବଙ୍ଗ ବିଜେପିର ରାଜନୀତି ଗଣିତକୁ ବୁଝିବାକୁ ପଡ଼ିବ ।

ସମସ୍ତେ ଜାଣନ୍ତି ଯେ, ୨୦୧୯ରେ ୪୦ ସଂସଦୀୟ ଆସନରୁ ୧୮ଟି ଜିତି ବିଜେପି ଏଠାରେ ସମସ୍ତଙ୍କୁ କରି ଦେଇଥିଲା ଆଶ୍ଚର୍ଯ୍ୟଚକିତ । ଏପରିକି ନିଜ ବିଜୟ ନେଇ ଓଭର କନଫିଡେଣ୍ଟ ଥିବା ଡେୟାରିଂ ଲେଡି ମମତା ବାନାର୍ଜୀ ମଧ୍ୟ ପ୍ରମାଦ ଗଣିବା ଆରମ୍ଭ କରି ଦେଇଥିଲେ । ଖାଲି ସିଏ ନୁହନ୍ତି, ୨୦୨୧ ବିଧାନସଭା ନିର୍ବାଚନର ଫଳାଫଳ ନେଇ ଆଗୁଆ ଅଙ୍କ କଷୁଥିବା ବିଶାରଦମାନେ ବି କହିବାରେ ଲାଗିଲେ ଯେ, ଏଥର ବିଧାନସଭାରେ ପଦ୍ମ ଫୁଟିବ । ଆଉ ଦିଦି ଏଠୁ ଯିବେ । ଏଇ ଉପରଠାଉରିଆ କଥାରେ ବିଜେପି ନେତା ଏବଂ କର୍ମୀମାନେ ଭାସିବାରେ ଲାଗିଲେ । ସେମାନଙ୍କ ଏହି ଅବସ୍ଥାକୁ କୁହାଯାଏ, ସ୍ୟାଡୋ ଡ୍ରିମିଂ । ଯାହା ଦିବାସ୍ୱପ୍ନ ନୁହେଁ ଛାୟା ସ୍ୱପ୍ନ । ତା’ ପରେ ବିଜେପିକୁ ଛୁଟିଲା ଅନ୍ୟ ଦଳରୁ ନେତାଙ୍କ ସୁଅ । ଅନ୍ୟ ଦଳ ମାନେ ଟିଏମସି । କ୍ଷମତାର କ୍ରିମ୍ ଚାଖିଥିବା ପୁରୁଣା ନେତାମାନେ ପୁଣି ନୂଆ ବୋତଲରେ ପଶି ଆଉ ପାଞ୍ଚବର୍ଷ ଠେଲି ନେବାକୁ ଚାହିଁଲେ । କିନ୍ତୁ ସେମାନେ ଆଉ ପାର୍ଟିର ବଡ଼ ମୁଣ୍ଡମାନେ ଭୁଲିଗଲେ ଯେ, ‘ୟେ ପବ୍ଲିକ୍ ହୈ, ଯୋ ସବ୍ ଜାନତି ହୈ…।’ ଟିଏମସିରୁ ଜଣେ କି ଦୁଇଜଣ ନୁହେଁ, ପୂରା ୩୫ ଜଣ ଫ୍ରଣ୍ଟ ଲାଇନର ନେତାଙ୍କ ଆଗମନ ହେଲା ପଦ୍ମ ପୋଖରିକୁ । ଆଉ ବିଜେପି ଭାବିଲା, ଏମାନଙ୍କ ସାହାଯ୍ୟରେ ଗିରି ଲଂଘିଯିବ ବୋଲି । ୨୦୧୭ରେ ବିଜେପିରେ ମିଶିଥିବା ମୁକୁଲ ରାୟଙ୍କୁ ଦଳ ରାଷ୍ଟ୍ରୀୟ ଉପ ସଭାପତି ପଦ ଦେଇ ମନେଇ ପାରିଥିଲା ସତ, ହେଲେ ନିର୍ବାଚନ ପରବର୍ତ୍ତୀ ପ୍ରେକ୍ଷାପଟ୍ଟରେ ମମତାଙ୍କୁ ହରାଇଥିବାରୁ ରାଜ୍ୟ ବିଜେପିରେ ଶୁଭେନ୍ଦୁ ଅଧିକାରୀଙ୍କ ଉଚ୍ଚତା ମୁକୁଲଙ୍କଠାରୁ ଅଧିକ ହେଲା । ଏପରି ହେବା ସ୍ୱାଭାବିକ ମଧ୍ୟ । ତେଣୁ ଦଳରେ ତାଙ୍କ କଥା ଶୁଣା ଯାଉନାହିଁ କହି ଓହରିଗଲେ ମୁକୁଲ (ବାଃ, ସିଏ କ’ଣ ଟିଏମସିରେ ମିଶିବାର ବହୁ ପୂର୍ବରୁ ଦିଦିଙ୍କ ସହ ଯୋଗାଯୋଗରେ ନ ଥିବେ !) ନହେଲେ ଦଳରେ ମିଶିବା ସଙ୍ଗେ ସଙ୍ଗେ କାହାକୁ ରାଷ୍ଟ୍ରୀୟ ଉପ ସଭପତି ପଦ ମିଳିଛି ? ମଧ୍ୟପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବି ମିଳିନି ପରା !

ମୂଳ ପ୍ରସଙ୍ଗକୁ ଫେରିବା । ତୃଣମୂଳ କଂଗ୍ରେସ ସହ ଭାରତୀୟ ଜନତା ପାର୍ଟିର ଥିଲା ମୁହାଁମୁହିଁ ଫାଇଟ୍ । ସେଥିରେ ପୁଣି ଦଳ ଭିତରେ ପଦ୍ମ ଚିହ୍ନରେ ଟିଏମସି ନେତାଙ୍କୁ ଲଢ଼ିବା ଦେଖି ବିଜେପିର ମୂଳ ଭୋଟର (!)ମାନେ ହତୋତ୍ସାହିତ ହୋଇଥିବେ କି ନା ? ବିଜେପିର ଆଚରଣ ଦେଖିଲେ ଜଣା ପଡୁଥିଲା, ଦଳରେ କ୍ୟାଡରଭିତ୍ତିକ ନେତାଙ୍କ ମରୁଡ଼ି ପଡ଼ିଛି ବୋଲି । ଟିଏମସିରୁ ମାତ୍ର କେଇମାସ ପୂର୍ବରୁ ବା ନିର୍ବାଚନ ତାରିକ ଘୋଷଣା ହେବାର ମାସକ ପୂର୍ବରୁ ଆସିଥିବା ଏମିତି କେତେ ନେତାଙ୍କୁ ଖାଲି ଆପଣେଇ ନ ଥିଲା, ଟିକେଟ ଦେଇ ଆପ୍ୟାୟିତ ବି କରିଥିଲା ବିଜେପି । ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀ, ଉତ୍ତର କ୍ରିଷ୍ଣାନଗରରୁ ମୁକୁଲ ରାୟ, ଦୋମଜୁରରୁ ରାଜୀବ ବାନାର୍ଜୀ, ବାଲିରୁ ବୈଶାଳୀ ଡାଲମିଆ, ଡାଇମଣ୍ଡ ହାର୍ବରରୁ ଦୀପକ ହାଲଦାର, ସିଙ୍ଗୁରରୁ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଉତ୍ତର-ପଶ୍ଚିମ ରାଣାଘାଟରୁ ପାର୍ଥସାରଥୀ ଚାଟାର୍ଜୀ, ଜଗତଦଳରୁ ଅରିନ୍ଦମ ଭଟ୍ଟାଚାର୍ଯ୍ୟ, ନଟବାରୀରୁ ମିହିର ଗୋସ୍ୱାମୀ, ମଣ୍ଟେଶ୍ୱରରୁ ସୈକତ ପାଞ୍ଜା, କାଲନାରୁ ବିଶ୍ୱଜିତ କୁଣ୍ଡୁ, ପଣ୍ଡାବେଶ୍ୱରରୁ ଜିତେନ୍ଦ୍ର ତିୱାରୀ, ପୂର୍ବ ଦୁର୍ଗାପୁରରୁ ଦିପ୍ତାଂଶୁ ଚୌଧୁରୀ… ତାଲିକା ଆହୁରି ଲମ୍ବା । ଥରେ ଭାବିଲେ ଦେଖି, ଯଦି ଏତେ ସଂଖ୍ୟାରେ ନେତା ଅନ୍ୟ ଦଳରୁ ଆମଦାନୀ ହୋଇଥିବେ, ତେବେ ନିର୍ବାଚନ ଜିତିବା ପରେ ମଧ୍ୟ ସେମାନଙ୍କ ଆନୁଗତ୍ୟ କାହାପ୍ରତି ଅଧିକ ରହିବ? ଏମାନଙ୍କ ମନରୁ ତ’ ଘାସଫୁଲର ଛବି ମଧ୍ୟ ଠିକରେ ଲିଭି ନ ଥିବ, ତାଙ୍କ କାନ୍ଧରେ ପକେଇ ଦିଆଗଲା ଗେରୁଆ ଉତ୍ତରୀୟ ! ତା’ ପରେ ନିର୍ବାଚନ ପରବର୍ତ୍ତୀ ଅବସ୍ଥାରେ ଟିଏମସି କର୍ମୀ ଯେଉଁଭଳି ଉଲୁକୁମତା ହେଲେ, (ଏହାକୁ ଯେଉଁମାନେ ମିଛ କହି ହାଲୁକାରେ ନେଉଛନ୍ତି, ସେମାନେ ହେଉଛନ୍ତି ପଞ୍ଜୁରୀରୁ ବାହାରେ ଥିବା ସେହି ଶାରୀଟି ଭଳି, ଯିଏ ବିରାଡ଼ିକୁ ସାମ୍ନାରେ ଦେଖି ଆଖି ବୁଜିଦେଇ ଭାବେ ମୁଁ ନିରାପଦ) ଯେଉଁଭଳି ହତ୍ୟା, ରକ୍ତପାତ, ଗୃହଦାହ, ଲୁଣ୍ଠନ, ବଳାତ୍କାର ହେଲା, ସେଥିରେ କେଉଁ ଲୋକଟିଏ ଅବା ବିଜେପି ଛାଡ଼ି ପଳାଇ ନ ଯିବ ? ଯେଉଁଠି ଏ ମେଗା (!) ଅରାଜକତା ପଛରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତ ରହୁଛି, ସେଠି କିଏ ବା ଆଉ କ’ଣ କରିବ । ପୋଲିସ ତ’ ଅତ୍ୟାଚାରୀଙ୍କ ବିରୋଧରେ ଏଫଆଇଆର ବି ରଖିଲା ନାହିଁ । ତେବେ ମୁକୁଲ ଟିଏମସିକୁ ବାହୁଡ଼ିବା ପରେ ମମତା କହିଲେ, ‘ଘର ପୁଅ ଘରକୁ ବାହୁଡ଼ିଲା’ । କାରଣ ସେ ଠିକ୍ ଜାଣିଥିଲେ, ତାଙ୍କ ପଛେ ପଛେ ଆଉ କେଇଜଣ ଚେଲାଚାମୁଣ୍ଡା ତାଙ୍କ ଶିବିରରେ ପଶିବେ । ଅବଶ୍ୟ ସେମାନଙ୍କ ଆସିବା କିମ୍ବା ଆଉ କେଇଜଣଙ୍କ ଯିବା (!) ବି ଟିଏମସି ଉପରେ ଫରକ ପକାଇବ ନାହିଁ । କିନ୍ତୁ ଏଠି ମମତାଙ୍କ ଲକ୍ଷ୍ୟ ହେଉଛି, ରାଜ୍ୟରେ ଦାନା ବାନ୍ଧୁଥିବା ବିଜେପି ଭାବାପନ୍ନ ଚିନ୍ତାଧାରାକୁ ଉପାଡ଼ି ପକାଇବା । ସେଥିପାଇଁ ସେ ମୁକୁଲଙ୍କ ପାଇଁ ଏତେ ଉତ୍ସାହିତ ହୋଇପଡ଼ିଲେ ।

ତେବେ ବିଜେପି ଏଇଠୁ ଗୋଟେ ଶିକ୍ଷା ପାଇଥିବ । ଶିକ୍ଷା ନେବା ଉଚିତ୍ । ନହେଲେ ପଛରେ ପସ୍ତେଇବାକୁ ପଡ଼ିବ । ଆଉ ତାହା ହେଉଛି, ଦଳ ନିଜ କର୍ମୀଙ୍କୁ ଟିକେଟ ଦେଲେ ଚନ୍ଦନା ବାଉରୀ ପରି ଦିନ ମଜୁରିଆ ବି ‘ଜୀ ଜାନ୍’ ଲଗାଇ ଜିତିବେ ଆଉ ‘ପାରାଚ୍ୟୁଟ୍ ପଲିଟିସିଆନ’ଙ୍କୁ ଟିକେଟ୍ ଦେଲେ ଜିତିବା ପରେ ବି ଭରସା କରିହେବ ନାହିଁ ଯେ, ସେମାନେ ଦଳରେ ରହିବେ ନା ଚାଲିଯିବେ । ପଶ୍ଚିମବଙ୍ଗ ଘଟଣାରୁ ବିଜେପିର ଚୈତନ୍ୟୋଦୟ ହେବ ବୋଲି ଆଶା କରାଯାଏ।

Advertisement
Advertisement
Advertisement

Trending