(କିମାଶ୍ଚର୍ଯ୍ୟମ୍-୧୪)- ଜଣେ ଅବୈତନିକ ‘ଟ୍ରୋଲ’ର ଆତ୍ମକହାଣୀ

(କିମାଶ୍ଚର୍ଯ୍ୟମ୍-୧୪)- ଜଣେ ଅବୈତନିକ ‘ଟ୍ରୋଲ’ର ଆତ୍ମକହାଣୀ


(ପରଂବ୍ରହ୍ମ ତ୍ରିପାଠୀ)

ମୁଁ ଜଣେ ଅବୈତନିକ ଟ୍ରୋଲ। ମାନେ, ମୁଁ ଅନ୍ୟମାନଙ୍କୁ ଟ୍ରୋଲ କରିବା ପାଇଁ କୌଣସି ରାଜନୈତିକ ଦଳ କିମ୍ବା ସଙ୍ଗଠନ ଠାରୁ ଦରମା କିମ୍ବା କୌଣସି ଆର୍ଥିକ ଅନୁଗ୍ରହ ନିଏ ନାହିଁ। ମୁଁ ସେମାନଙ୍କ ଆଇଟି ସେଲର ସଦସ୍ୟ ମଧ୍ୟ ନୁହେଁ। ମୋର କୌଣସି ଏକ ନିର୍ଦ୍ଦିଷ୍ଟ ନାଁ ନାହିଁ। କେତେବେଳେ ମୋ ନାଁ, ଲିଙ୍ଗ, ବୟସ, ଧର୍ମ, ଜାତି, ଭୌଗଳିକ ଅବସ୍ଥିତି କଣ ହେବ ତାହା ଅନେକ କାରକ ଉପରେ ନିର୍ଭର କରେ। କେବେ କେବେ ମୁଁ ନିଜ ନାଁ ନେଇ ମଧ୍ୟ ଟ୍ରୋଲ କରେ। ମାତ୍ର ଏପରି ସୁଯୋଗ ବହୁତ କମ ଥର ଆସେ କାରଣ ଦୁନିଆରେ ହାତଗଣତି କିଛି ଜଣ ହିଁ ଅଛନ୍ତି ଯେଉଁମାନଙ୍କୁ ମୁଁ ନିଜ ଅସଲ ନାଁ ନେଇ ଟ୍ରୋଲ କରିପାରିବି ଓ ସେମାନେ ମୋର କୌଣସି କ୍ଷତି କରି ପାରିବେ ନାହିଁ।

ମୋର କାମ ହେଲା ଉଦ୍ଦେଶ୍ୟମୂଳକ ଭାବେ ଆପତ୍ତିଜନକ ଓ ଉତ୍ତେଜକ ମନ୍ତବ୍ୟ ଦେଇ ଆପଣଙ୍କୁ ହଇରାଣ କରିବା, ଆପଣଙ୍କ ମାନସିକ ଶାନ୍ତି ଭଙ୍ଗ କରିବା, ଯଦି ଆପଣ ସେପରି ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତି ତାହାଲେ ସ୍ଥଳ ବିଶେଷରେ ଆପଣଙ୍କ ଧ୍ୟାନ ଆକର୍ଷଣ କରିବା। ଏପରି କାମ ମୁଁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ମସ୍ତିଷ୍କ ସହ ଓ ସୁଚିନ୍ତିତ ଭାବେ କରିଥାଏ। ମୋର ଆପଣଙ୍କ ପ୍ରତି ପ୍ରତିକ୍ରିୟା ବିଭିନ୍ନ କାରଣରୁ ସୃଷ୍ଟି ହୋଇପାରେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୁଁ ଆପଣମାନଙ୍କ ଭିତରୁ ଅନେକଙ୍କୁ ଭେଟେ ଯେଉଁମାନେ ସାମାଜିକ ମାନଦଣ୍ଡରେ ସଫଳ ବୋଲି ପରିଗଣିତ ହୁଅନ୍ତି। ଆପଣଙ୍କ ଭିତରୁ କିଛିଙ୍କ ସାଙ୍ଗସାଥି ଓ ପରିବାର ସହ ଖୁସି ମଉଜର ଫଟୋ ମତେ ବିଚଳିତ କରେ। ଆପଣଙ୍କ ବିଭିନ୍ନ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଆପଣଙ୍କ ମନ୍ତବ୍ୟ, ଫଟୋ କିମ୍ବା ଭିଡିଓ ତଳେ ଅନ୍ୟମାନେ ଦେଉଥିବା ବିପୁଳ ମାତ୍ରାର ସକରାତ୍ମକ ଓ ଉତ୍ସାହଜନକ ପ୍ରତିକ୍ରିୟା ମୋର ଧୈର୍ଯ୍ୟଚ୍ୟୁତିର କାରଣ ସାଜେ। ଆପଣ ମୋର ଚିହ୍ନା ହୋଇଥାନ୍ତୁ କି ନଥାନ୍ତୁ, ଯେହେତୁ ସାମାଜିକ ଗଣମାଧ୍ୟମ ଜରିଆରେ ଆପଣ ମୋ ପାଇଁ ସହଜଲବ୍ଧ, ମୁଁ ଆପଣଙ୍କ ସହ ନିଜକୁ ତୁଳନା କରେ। ମୁଁ ବୁଝିପାରେନି ଆପଣ କେମିତି ସଫଳ ହୋଇଗଲେ ଆଉ ମୁଁ ଯେଉଁଠି କି ସେଇଠି ରହିଗଲି। ଆପଣ କେମିତି ଏତେ ଖୁସିରେ ରହୁଛନ୍ତି? କାହିଁକି ଲୋକ ଆପଣଙ୍କ ମନ୍ତବ୍ୟ ତଳେ ଏତେ ପ୍ରତିକ୍ରିୟା ଦେଉଛନ୍ତି ? ଏହି ପ୍ରକ୍ରିୟାରେ ମତେ ଲାଗେ ଯେ ମୋ ସହ ପକ୍ଷପାତ ହୋଇଛି ଓ ଆପଣ ନିଶ୍ଚିତ କିଛି ଗୋଟେ ଭୁଲ ବାଟ ଅନୁସରଣ କରି ସଫଳ କିମ୍ଵା ସୁଖୀ ହୋଇଛନ୍ତି। ତାପର ମୁହୂର୍ତ୍ତରେ ଆପଣ ମୋ ଚିହ୍ନା ହୁଅନ୍ତୁ କି ଅଚିହ୍ନା, ମୋ ଭିତରେ ଆପଣଙ୍କ ପାଇଁ ଏକା ସାଙ୍ଗରେ ସୃଷ୍ଟି ହୁଏ ଇର୍ଷା, ଅସୁୟା ଓ କ୍ରୋଧ। ତାର ପ୍ରତିଫଳନ ଆପଣ ଦେଖନ୍ତି ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ଆପଣଙ୍କ ଲେଖା ତଳେ ତା ସହ ସମ୍ପର୍କ ଥିବା ବା ନଥିବା ମୋର ପ୍ରତିକ୍ରିୟା ମାଧ୍ୟମରେ।

ଆପଣମାନଙ୍କ ଭିତରୁ ଏମିତି ଅନେକ ଅଛନ୍ତି ଯେଉଁମାନଙ୍କ କଥା ବା ମନ୍ତବ୍ୟ ମତେ ବେଳେ ବେଳେ ଠିକ ବୋଲି ମଧ୍ୟ ଲାଗେ। ତାପରେ ବି ମୁଁ ଚୁପ ରୁହେନାହିଁ। ଆପଣ କହିଥିବା ପ୍ରସଙ୍ଗରେ ମୋର ସାମାନ୍ୟତମ ଧାରଣା ନଥିଲେ ବି ମୁଁ ଉଦ୍ଦେଶ୍ୟ ପ୍ରଣୋଦିତ ମନ୍ତବ୍ୟ ଦେବା ଆରମ୍ଭ କରେ। ଯେହେତୁ ଆପଣ କହୁଥିବା ପ୍ରସଙ୍ଗ ଉପରେ ମୋର ଧାରଣା ନାହିଁ, ଜ୍ଞାନ ନାହିଁ, ତେଣୁ ଆପଣ କଳା କି ଗୋରା, ମୋଟା କି ପତଳା, ହିନ୍ଦୁ କି ମୁସଲମାନ, ବଡ଼ ଜାତିର କି ଛୋଟ ଜାତିର , ଛାଡପତ୍ର ପାଇଛନ୍ତି କି ନାହିଁ, ସେ ସବୁକୁ ଆଲୋଚନା ପ୍ରସଙ୍ଗ ଭିତରକୁ ଆଣିବାକୁ ଚେଷ୍ଟା କରେ। ଏପରି ମନ୍ତବ୍ୟ ଦେବାର କାରଣ ଆପଣ ଉତ୍ଥାପନ କରିଥିବା ପ୍ରସଙ୍ଗ ନୁହେଁ , ବରଂ ଆପଣ ନିଜେ, ଆପଣଙ୍କ ସଫଳତା, ଖୁସି ଓ ସାମାଜିକ ପ୍ରତିଷ୍ଠା ପ୍ରତି ଥିବା ମୋର ଇର୍ଷା, କ୍ରୋଧ ଓ ଅସୁୟା।

ମୋର ନିଜର କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ, ଅର୍ଥନୈତିକ, ସାମାଜିକ ଜୀବନ ଦର୍ଶନ ନାହିଁ। ମୋ ଏକମାତ୍ର ଦର୍ଶନ ହେଲା ଆପଣ ଯାହା ବି ନିଜ ଦର୍ଶନ ଭାବେ ଉପସ୍ଥାପିତ କରିବେ ତାର ବିରୋଧ କରିବା। ଆପଣଙ୍କୁ ନିଜ କଥା ଯେମିତି ଯୁକ୍ତିସଂଗତ ଲାଗେ , ମତେ ବି ମୋ କଥା ଠିକ ସେମିତି ଲାଗେ। ଏଇଟା ଏକ ମାନବୀୟ ପ୍ରବୃତ୍ତି। ଫରକଟି ଏତିକି ଯେ ଆପଣ ନିଜ ବକ୍ତବ୍ୟ ପାଇଁ ଯୁକ୍ତି ପୁସ୍ତକରୁ, ଶ୍ରେଣୀଗୃହରୁ, ବୌଦ୍ଧିକ ଆଲୋଚନାଚକ୍ରରୁ ଗ୍ରହଣ କରନ୍ତି, ଆଉ ମୁଁ ସାମାଜିକ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟରୁ। ଇଏ ମ୍ୟାଗି ନୁଡୁଲର ଯୁଗ ଆଜ୍ଞା। ତାପରେ , ଆପଣ ହେଇଥିବେ ହାବାର୍ଡ ଫେରନ୍ତା, ମାତ୍ର ମୋ ପାଖରେ ଅଛି ହାର୍ଡ ୱାର୍କ। ଆପଣ ଚାରି ଛଅଟି କାଗଜ ବା ପ୍ରମାଣପତ୍ର ଦେଖେଇ ଯେତେବେଳେ ମୋ ବୌଧିକତା ଉପରେ ପ୍ରଶ୍ନ ଚିହ୍ନ ଲଗେଇବାକୁ ଚେଷ୍ଟା କରନ୍ତି, ମୁଁ ଚୁପ ରହିବି କାହିଁକି ଯେ?

କେତେକ ସମୟରେ ଆପଣ ନିଜ ଅଜାଣତରେ ବି ମୋ ଆକ୍ରମଣକୁ ଆମନ୍ତ୍ରଣ ଦିଅନ୍ତି। କିପରି? ଧରନ୍ତୁ ମୋ ରାଗ ହରିବାବୁଙ୍କ ଉପରେ। ପୃଥିବୀର ଯେକୌଣସି ପ୍ରସଙ୍ଗରେ ଆଲୋଚନା ଚାଲିଛି। ମୁଁ ହରିବାବୁଙ୍କୁ ଟ୍ରୋଲ କରି ଚାଲିଛି। ଆପଣ କୁଆଡୁ ଆସିଲେ, ହରିବାବୁଙ୍କ ସପକ୍ଷରେ ଦୁଇ ଧାଡି ଜ୍ଞାନ ଦେଇଦେଲେ। ଏଇ ଦୁଇଧାଡ଼ି ଜ୍ଞାନ ଯେତେବେଳେ ଆପଣ ଦିଅନ୍ତି, ମତେ କାହିଁକି ଲାଗେ ଯେ ଆପଣ ନିଜ ଜ୍ଞାନ ପ୍ରଦର୍ଶନ କରିବା ସହ ଆପଣ ଓ ହରିବାବୁ ବୈଚାରିକ ଦୃଷ୍ଟିକୋଣରୁ ଯେ ମୋ ଠାରୁ ବହୁ ଉର୍ଦ୍ଧ୍ୱରେ ସେ କଥା ପ୍ରମାଣିତ କରିବାକୁ ଚେଷ୍ଟା କରୁଛନ୍ତି। ତାପରେ ଆଉ ମୋ ପାଖରେ ଗତି କଣ? ଆପଣଙ୍କୁ ଟ୍ରୋଲ ନକଲା ଯାଏ ମତେ ଶାନ୍ତି ମିଳେନି। ଆପଣ ପଦେ ଲେଖିଲେ ମୁଁ ଆଠ ପଦ ଲେଖେ। ଆଉ ଆପଣ ଯେତେବେଳେ ‘ମୁର୍ଖଙ୍କ ସହ କଣ ଯୁକ୍ତି କରିବ’ ବୋଲି କହି ଆଲୋଚନାରୁ ଲାଙ୍ଗୁଳ ଜାକି ଭଦ୍ର ଭାବେ ଫେରିଯାଆନ୍ତି, ଆପଣ ବିଶ୍ୱାସ କରିବେନି ମତେ ଗଡ଼ ଜିତିଲା ଭଳି ଲାଗେ। ଆଉ ଏଇ ଗଡ଼ ଜିତିବାର ଅନୁଭଵଟି ଏତେ ରୋମାଞ୍ଚକ ଓ ନିଆରା ଯେ ଆପଣଙ୍କ ଭଳି ଆହୁରି ଶହେ ମତେ କେମିତି ମିଳିବେ, କେମିତି ସେମାନଙ୍କୁ ଚୁପ କରେଇବି, ସେ ଭାବନା ମୋ ଧମନୀରେ ନିଶା ହୋଇ ଦଉଡେ।

ଗାଳି ମୋ ଅମୋଘ ଅସ୍ତ୍ର। ମୁଁ ଜାଣିଛି ଆପଣ ମୋ ସହ ଯୁକ୍ତି ହିଁ କରି ପାରିବେ। ହେଲେ ଆପଣ ଓ ମୋ ଭିତରେ ଥିବା ସବୁଠାରୁ ବଡ଼ ପ୍ରଭେଦଟି କଣ ଜାଣିଛନ୍ତି? ପ୍ରସଙ୍ଗ ଉପରେ ଆପଣ ମୋ ଠାରୁ ଲକ୍ଷେ ଗୁଣ ଅଧିକ ଜାଣିଥିଲେ ବି ଆପଣ ମୋ ଠାରୁ ଅଧିକ ଯୁକ୍ତିସଂଗତ କଥା ଯେ କହି ପାରିବେ ସେ ବିଷୟରେ ଆପଣ ସନ୍ଦିହାନ। ଆଉ ପ୍ରସଙ୍ଗ ବିଷୟରେ କିଛି ନଜାଣିଥିଲେ ବି ଆପଣଙ୍କୁ ହରାଇବା ପାଇଁ ମୁଁ ଯେକୌଣସି ସ୍ତରକୁ ଯାଇ ପାରିବି, ଯେ କୌଣସି ମିଛ କହି ପାରିବି, ଆପଣଙ୍କ ଚଉଦ ପୁରୁଷକୁ ଯେକୌଣସି ଗାଳି ଦେଇ ପାରିବି, ନିଜର ସେ ଦକ୍ଷତା ସମ୍ପର୍କରେ ମୁଁ ସମ୍ପୂର୍ଣ୍ଣ ସଚେତନ। ମୋ ସହ ଯୁକ୍ତି କରି ଆପଣ ମାନବୀୟ ଅଜ୍ଞତାର ପରୀକ୍ଷା ନିଅନ୍ତି ଓ ପରୀକ୍ଷା ଶେଷରେ ଘୁଷୁରୀ ଭଳି ପଙ୍କରେ ଲୋଟି ନିଜ ଭାଗ୍ୟକୁ ଗାଳି ଦିଅନ୍ତି।

ମୁଁ ଅସୁରକ୍ଷିତ ଭାବନାର ମଣିଷଟିଏ। ଆପଣଙ୍କ ଭିତରେ ସାମାନ୍ୟତମ ସୁରକ୍ଷିତ ଭାବ( ସେଇଟା ସାମାଜିକ ହେଉ, ଅର୍ଥନୈତିକ ହେଉ, ପାରିବାରିକ ହେଉ ବା ଯେକୌଣସି ସୁରକ୍ଷା) ମତେ ବେଶୀ ଅସୁରକ୍ଷିତ କରେ। ତାର ନିଦାନ ମୁଁ ପାଏ ଆପଣଙ୍କ ସୁରକ୍ଷା କବଚକୁ ଆଘାତ ଦେଇ, ହେଉ ପଛେ ସେଇଟି ଆଭାସୀ।

ନାଉଗାଁହାଟ, ଜଗତସିଂହପୁର
9717302205

0 Comments

Leave Your Comment

Your email address will not be published. Required fields are marked *

%d bloggers like this: