୫ଶହ ବର୍ଷର ‘ଅଯୋଧ୍ୟା’ ଆହ୍ୱାନ : ଆମ ସମୟର ଏକ ବାସ୍ତବତା…

୫ଶହ ବର୍ଷର ‘ଅଯୋଧ୍ୟା’ ଆହ୍ୱାନ : ଆମ ସମୟର ଏକ ବାସ୍ତବତା…

ପ୍ରିଜମ୍ ନ୍ୟୁଜ୍(ସ୍ୱତନ୍ତ୍ର): ଏଣିକି ଆଉ ଶୁଣିବାକୁ ମିଳିବନି ବିବାଦୀୟ ସ୍ଥାନ, ଆଉ କେହି କହିବେନି ବିବାଦୀୟ ସ୍ଥାନର କୌଣସି ଏକ କୋଣରେ ପୂଜା ପାଉଛନ୍ତି ରାମଲାଲା। ଶହେ କି ଦୁଇ ଶହ ବର୍ଷ ନୁହେଁ ୫ଶହ ବର୍ଷର ଧାର୍ମିକ ଲଢେଇର ବିଜୟ ପରେ ଏବେ ଅଯୋଧ୍ୟାର ପବିତ୍ର ଭୂମିରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ନିର୍ମାଣ ହେବ ଭବ୍ୟ , ଦିବ୍ୟ ଓ ଅଲୌକିକ ମନ୍ଦିର । ରାମଲାଲାଙ୍କ ପାଇଁ ମୁଖ୍ୟ ମନ୍ଦିର ସହ ତିନିଟି ମନ୍ଦିର ନିର୍ମାଣ ହେବ। ୫ଟି ଗୁମଦ ବା ଗମ୍ବୁଜ ରହିବ। ମନ୍ଦିରର ଭୂମି ପୂଜନ ପୂର୍ବରୁ ଭରତ, ଶତ୍ରୁଘ୍ନ ଏବଂ ଲକ୍ଷ୍ମଣଙ୍କୁ ନୂଆ ଆସନରେ ବିରାଜମାନ କରାଯାଇସାରିଛି। ଏବେ ଅପେକ୍ଷା ସେହି ପବିତ୍ର ମୁହୂର୍ତ୍ତକୁ, ଯେଉଁଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଯାଇ ନିଜେ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ କରିବେ। ଦେଶବାସୀଙ୍କ ମନ୍ଦିର ନିର୍ମାଣ ପାଇଁ ୫ଶହ ବର୍ଷର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଯାହାକୁ ନେଇ ଏବେଠାରୁ ଅଯୋଧ୍ୟା ନଗରୀ ଚଳଚଞ୍ଚଳ ଏବଂ ଉତ୍ସବ ମୁଖର ହୋଇ ଉଠିଛି। ଶ୍ରୀରାମ ମନ୍ଦିରର ଭୂମି ପୂଜନ କାଯର୍ଯକ୍ରମକୁ ଆଉ ଅଳ୍ପ ଦିନ ବାକି ରହିଥିବାରୁ ସମସ୍ତ ଆୟୋଜନର ବ୍ଯବସ୍ଥା ଜୋରସୋରରେ କରାଯାଇଛି । ଅଯୋଧ୍ୟା ଗସ୍ତରେ ଯାଇ ନିଜେ ମନ୍ଦିର ନିର୍ମାଣ ଓ ଭୂମି ପୂଜନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଅଯୋଧ୍ୟା ରାମ ମନ୍ଦିର

୫ଶହ ବର୍ଷ ତଳେ ଆମ ପୂର୍ବ ପୁରୁଷମାନେ ଦେଖିଥିବା ସ୍ବପ୍ନ ଆମ ପାଇଁ ଓ ଆମ ସମୟରେ ସତ ହେବାକୁ ଯାଉଛି । ଏହା ଆମ ପାଇଁ କମ୍ କଥା ନୁହେଁ । ଆଶା, ଆସ୍ଥା, ବିଶ୍ୱାସ, ଭରସା ସବୁ ରୂପ ନେଇ ସାରିଛି। ଏବେ ଭକ୍ତର ଭାବ ସହ ସହ ଭକ୍ତଙ୍କ ମିଳନ ହେବ। ଧର୍ମୀୟ ଭାବନାକୁ ଅଧିକ ଶକ୍ତି ଯୋଗାଇଛି ରାମଲାଲାଙ୍କ ଲାଗି ନିର୍ମାଣ ହେବାକୁ ଥିବା ମନ୍ଦିର। ରାମଲାଲାଙ୍କ ପାଇଁ ଆଜି ହିନ୍ଦୁ, ମୁସଲମାନ ଏକ ମନ ଏକ ପ୍ରାଣରେ ମନ୍ଦିର ନିର୍ମାଣର ଅୟମାରମ୍ଭ ବା ଆଦ୍ଯ ପର୍ବକୁ ଉତ୍ସାହ ଓ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।


ଅବଶ୍ଯ ୫ଶହ ବର୍ଷର ଏ ଧାର୍ମିକ ଲଢ଼େଇ ଏତେ ସହଜ ନ ଥିଲା। ବର୍ଷ ବର୍ଷ ଧରି ଲଢ଼ିବାକୁ ପଡ଼ିଥିଲା ନ୍ୟାୟିକ ଲଢ଼େଇ । କେବେ ଲାଗୁଥିଲା ହୁଏତ ରାମଲାଲା ନିଜ ଜନ୍ମ ସ୍ଥାନରେ ଅଲୋଡ଼ା ହୋଇଯିବେ, କେବେ ଲାଗୁଥିଲା ରଘୁବୀର ନିଜ ଲଢେଇ ନିଜେ ଲଢୁଛନ୍ତି ସଫଳତା ନିଶ୍ଚୟ ମିଳିବ । ସାଧୁ ସନ୍ଥଙ୍କ ଶହ ଶହ ପ୍ରୟାସ ବୃଥା ଯାଇନି। ମନ୍ଦିରକୁ ନେଇ ବିଦ୍ରୋହ ହୋଇଛି, ବିରୋଧ ବି ହୋଇଛି । ବିବାଦ ବଢ଼ିଛି, କମିଛି, ମତ-ମତାନ୍ତର ତୀବ୍ର ହୋଇଛି। କେବେ ଧର୍ମକୁ ନେଇ ତ ପୁଣି କେତେ ବେଳେ ଭୂମିକୁ ନେଇ ଦେଶ ଦେଖିଛି ଅନେକ ଅପ୍ରୀତିକର ପରିସ୍ଥିତି । ରାଜନେତାଙ୍କ କୁତ୍ସିତ ରାଜନୀତି ଦେଖିଛି ଶ୍ରୀରାମଙ୍କ ଅଯୋଧ୍ୟା । ତଥାପି ଆଶା ଅତୁଟ ରଖିଥିବା କୋଟି କୋଟି ସନାତନ ଧର୍ମୀ ଓ ଶ୍ରଦ୍ଧାଳୁ ଆଜିର ଦିନକୁ ଅପେକ୍ଷା କରିଥିଲେ ଯାହା ଗତକାଲି ହୋଇ ଇତିହାସ ରଚିବ । କମ୍ ସମୟ ମିଳେ କୌଣସି ଏକ ପ୍ରସଙ୍ଗରେ ନିଜ ମତ ଓ ମନ୍ତବ୍ଯ ଦେବାକୁ। ଧାଁ ଧପଡ଼ ବୃତ୍ତିଗତ ଜୀବନ ତା’ ସାଙ୍ଗକୁ ବ୍ଯକ୍ତିଗତ କାରଣ। କେବେ ସୁଯୋଗ ମିଳେନି ସେଥିପାଇଁ କେବେ ଦୁଃଖ କିମ୍ବା ଖରାପ ଭାବିବାର କାରଣ ମଧ୍ୟ ନାହିଁ।

ଅଯୋଧ୍ୟାର ଦୃଶ୍ୟ

ଅଯୋଧ୍ୟାରେ ନିର୍ମାଣ ହେବ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଦିବ୍ଯ ମନ୍ଦିର । ଆଉ ଏଥିପାଇଁ ଓଡ଼ିଶାରୁ ଯାଇଛି ପବିତ୍ର ଜଳ ଓ ମାଟି । ପୁଣ୍ଯତୋୟା ପ୍ରାଚୀ ନଦୀ ଓ ଚନ୍ଦ୍ରଭାଗା ତୀର୍ଥ ଜଳ ସହ ସୂର୍ଯ୍ୟ ମନ୍ଦିରରୁ ମାଟି ସଂଗୃହିତ କରାଯାଇ ପୂଜାର୍ଚ୍ଚନା ପରେ ଅଯୋଧ୍ୟା ପଠାଯାଇଛି । ବିରଜା କ୍ଷେତ୍ର ଯାଜପୁରରୁ ବି ମାଟି ସହ ବୈତରଣୀ ନଦୀରୁ ପବିତ୍ର ଜଳ ଦଶାଶ୍ୱମେଧ ଘାଟ ନିକଟରେ ପୂଜାର୍ଚ୍ଚନା କରି ପଠାଯାଇଛି। ପ୍ରସ୍ତାବିତ ମନ୍ଦିର ନିର୍ମାଣ କାମ ସଂପୂର୍ଣ୍ଣ ହେବା ଲାଗି ୩ରୁ ସାଢେ ୩ ବର୍ଷ ସମୟ ଲାଗିବ। ତେବେ କୋଭିଡ୍ କଟକଣା ଗାଇଡ ଲାଇନ ନିୟମ ମାନି ୨ଶହ ଶିଳ୍ପୀଙ୍କୁ ନେଇ ମନ୍ଦିର ନିର୍ମାଣ ପାଇଁ ଯୋଜନା କରାଯାଇଛି । ୫ଶହ ବର୍ଷର ଏ ଲଢ଼େଇର ବିଜୟ ପରେ ଆସନ୍ତା ଅଗଷ୍ଟ ୫ରେ ବିଜୟ ଉତ୍ସବ ସ୍ବରୂପ ମନ୍ଦିରର ଭୂମିପୂଜନ ହେବ ।

ପ୍ରସ୍ତାବିତ ମନ୍ଦିରର ଉଚ୍ଚତା ୧୬୧ ଫୁଟ୍ ହେବ। ୧୯୮୮ ମସିହାରେ କରାଯାଇଥିବା ଡିଜାଇନକୁ ବଦଳାଇ ପ୍ରସ୍ତୁତ ହୋଇଥିବା ନୂଆ ଡିଜାଇନକୁ ଅନୁମୋଦନ କରାଯାଇଛି । ପୂର୍ବ ଡିଜାଇନ୍ ଅନୁସାରେ ମନ୍ଦିରକୁ ୨୦ ଫୁଟ୍ ଅଧିକ ଉଚ୍ଚ କରାଯାଇଛି । ୧୯୮୮ ମସିହାରେ କରାଯାଇଥିବା ଡିଜାଇନ ଅନୁସାରେ ମନ୍ଦିରର ଉଚ୍ଚତା ୧୪୧ ଫୁଟ କରିବାକୁ ସ୍ଥିର ହୋଇଥିଲା। ତେବେ ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଓ ବହୁସଂଖ୍ଯାରେ ଶ୍ରଦ୍ଧାଳୁ ମନ୍ଦିର ଦର୍ଶନରେ ଆସିବାର ସମ୍ଭାବନା ଥିବାରୁ ଏହାକୁ ଅଧିକ ଭବ୍ଯ କରିବା ଲାଗି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି । ସେହିପରି ମନ୍ଦିରର ଦୌଘର୍ୟ ୩୬୦ ଫୁଟ୍ ଓ ପ୍ରସ୍ଥ ୨୩୫ ଫୁଟ୍କୁ ବୃଦ୍ଧି କରାଯାଇଛି । ଏହାସହ ମନ୍ଦିରରେ ଆଉ ଦୁଇଟି ମଣ୍ଡପ ନିର୍ମାଣ କରାଯିବାର ଯୋଜନା ରହିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: