୨୬ ଦିନ ପରେ ଜାମିନ ପାଇଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ

୨୬ ଦିନ ପରେ ଜାମିନ ପାଇଲେ ଶାହାରୁଖ ଖାନଙ୍କ ପୁଅ ଆର୍ୟନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ୨୬ ଦିନ ଧରି ପୁଲିସ୍‌ ହେପାଜତରେ ରହିବା ପରେ ଜାମିନ ପାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ୍।ତାଙ୍କୁ ବମ୍ବେ ହାଇକୋର୍ଟଙ୍କ ଜଣିକିଆ ବେଞ୍ଚ ଜାମିନ ପ୍ରଦାନ କରିଛନ୍ତି। ବମ୍ୱେ ହାଇକୋର୍ଟର ଜଷ୍ଟିସ୍‌ ନୀତିନ ସାମ୍ୱ୍ରୋ ତିନି ଅଭିଯୁକ୍ତଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସହ ତାଙ୍କ ବନ୍ଧୁ ଅର୍ବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିଥିଲେ ମଧ୍ୟ ଏହି ସମସ୍ତ ଅଭିଯୁକ୍ତ ଆଜି ଜେଲରେ ରାତି କାଟିବେ। ଆସନ୍ତାକାଲି ସକାଳେ ହାଇକୋର୍ଟଙ୍କ ରାୟର ବିସ୍ତୃତ ନିର୍ଦ୍ଦେଶନାମା ମିଳିବା ପରେ ଆର୍ୟନ୍, ଅର୍ବାଜ ଓ ମୁନମୁନ ଜେଲରୁ ବାହାରିବେ ବୋଲି କୁହାଯାଇଛି। ଏନସିବି ପକ୍ଷରୁ ଅତରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ଆଜି ଶୁଣାଣି ବେଳେ ଆର୍ୟନଙ୍କ ଜାମିନକୁ ଜୋରଦାର ବିରୋଧ କରିଥିବାର ଜଣାପଡିଛି। କିନ୍ତୁ ସମସ୍ତ ସାକ୍ଷ୍ୟ ପ୍ରମାଣ ତର୍ଜମା କରି କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।
ଏନସିବି ପକ୍ଷରୁ ଶ୍ରୀ ସିଂହ କହିଥିଲେ, ଅକ୍ଟୋବର ୨ରେ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି ହେଉଥିଲା। ସେଦିନ ଗାନ୍ଧି ଜୟନ୍ତୀ ଥିବାରୁ ଅତିକମରେ ଆର୍ୟନ ଓ ତାଙ୍କ ବନ୍ଧୁମାନେ ଏପରି କାମ କରିବାର ନଥିଲା। ସେହିପରି ଆର୍ୟନ୍ ଖାନ ନିୟମିତ ଡ୍ରଗ୍ସ ସେବନ କରୁଥିଲେ ଓ ଡ୍ରଗ୍ସ କିଣୁଥିବାର ପ୍ରମାଣ ରହିଛି। ସେ ଜାମିନରେ ଗଲେ ସବୁ ପ୍ରମାଣକୁ ନଷ୍ଟ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଶ୍ରୀ ସିଂହ ଯୁକ୍ତି ରଖିଥିଲେ। ଏନିସିବି ଆର୍ୟନଙ୍କୁ ଜାମିନ ନମିଳିବା ନେଇ ୩ଟି ପ୍ରମୁଖ ଦାବି ରଖିଛନ୍ତି। ପ୍ରଥମତଃ ସହମତି ଭିତ୍ତିରେ କ୍ରୁଜ୍‌ ଭିତରୁକୁ ଯାଇଥିବା ଡ୍ରଗ୍ସ ସହ ଆର୍ୟନ ଖାନ ଧରା ପଡ଼ିଛନ୍ତି। ଦ୍ୱିତୀୟତଃ ଆର୍ୟନ ଖାନ ଡ୍ରଗ୍ସ ପେଡେଲରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ତୃତୀୟତଃ ତାଙ୍କ ଗିରଫଦାରୀ ବୈଧ। ସେ ଜାମିନରେ ଗଲେ ପ୍ରମାଣ ନଷ୍ଟ କରିପାରନ୍ତି। ଷଡ଼ଯନ୍ତ୍ରକୁ ପ୍ରମାଣ କରିବା କଷ୍ଟକର ହୋଇଯିବ। କେବଳ ଷଡ଼ଯନ୍ତ୍ରକାରୀ ଜାଣିଛନ୍ତି ସେମାନେ କେମିତି ଷଡ଼ଯନ୍ତ୍ର କରିଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି। ଏହାସହ ଡ୍ରଗ୍ସ କାରବାର ସହ ଆର୍ୟନଙ୍କ ଲିଙ୍କ ଥିବା ପୂରା ହ୍ୱାଟସଆପ ଚାଟରୁ ସ୍ପଷ୍ଟ ହୋଇଛି। ଆର୍ୟନ ଡ୍ରଗ୍ସ କ୍ରୁଜ ମଧ୍ୟକୁ ଯାଇଥିବା ଭଲ ଭାବେ ଜାଣିଥିଲେ। ଏହାକୁ ଉଭୟ ଆର୍ୟନ୍ ଓ ଅର୍ବାଜ ସେବନ ପାଇଁ ନେଇଥିଲେ ବୋଲି ଏନସିବି ପକ୍ଷରୁ କୁହାଯାଇଛି।
ଏନସିବି ବର୍ତ୍ତମାନ ସେମାନେ ଡ୍ରଗ୍ସ କେଉଁଠୁ ପାଉଥିଲେ, ତା’ର ମୂଳରେ ପହଞ୍ଚିବାକୁ ଚାହୁଁଛି ବୋଲି କହିଛି। ଏହାସହ ଏନସିବି କହିଛି ଆମକ ପାଖରେ ହ୍ୱାଟସଆପ ଚାଟ ଓ ୬୫ବି ପ୍ରମାଣପତ୍ର ରହିଛି। ଆମେ ଏସବୁର ତଦନ୍ତ କରିବାକୁ ଚାହୁଁଛୁ।” ଶୁଣାଣି ବେଳେ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ସାମ୍ବ୍ରେଙ୍କୁ ଏନସିବି କହିଥିଲା ଯେ “ଆମ ପାଖରେ ପୂରା ହ୍ୱାଟସାଆପ ଚାଟର ରେକର୍ଡ ରହିଛି। ଯାହାକୁ ଆମେ ଶେୟାର କରିପାରିବୁ ନାହିଁ। ଯଦି ଆପଣ କହିବେ, ତା’ହେଲେ କେବଳ କୋର୍ଟଙ୍କୁ ଏହା ଦେଖାଇ ହେବ।” ଏହାର ଜବାବରେ ଜଷ୍ଟିସ ସାମ୍ବ୍ରେ କହିଥିଲେ, “ଯୁକ୍ତି ଉପସ୍ଥାପନ ଶେଷ ହେବା ପରେ ଆମେ ଏହାକୁ ଦେଖିବୁ। କିନ୍ତୁ କେଉଁ ଆଧାରରେ ଆର୍ୟନ ଖାନଙ୍କ ସମ୍ପର୍କ ଡ୍ରଗ୍ସର ବ୍ୟବସାୟିକ ପରିମାଣ ସହ ରହିଥିଲା ବୋଲି ଆପଣ କହୁଛନ୍ତି?” ଏହାପରେ ଏନସିବି ପକ୍ଷରୁ,
ଦୀର୍ଘ ୩ ଦିନ ହେଲା ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଚାଲିଥିଲା। ମଙ୍ଗଳବାର ଆର୍ୟନଙ୍କ ଓକିଲ ମୁକୁଲ ରୋହତଗି ଜାମିନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ବୁଧବାର ଘଟଣାର ଅନ୍ୟ ଦୁଇ ଅଭିଯୁକ୍ତ ଅର୍ବାଜ ମର୍ଚାଣ୍ଟ ଓ ମୁନମୁନ ଧାମେଚାଙ୍କ ଓକିଲ ଜାମିନ ପାଇଁ ନିଜର ପକ୍ଷ ରଖିଥିଲେ। ଆଜି ଏନସିବି ପକ୍ଷରୁ ଅନୀଲ ସିଂହ ଜାମିନକୁ ବିରୋଧ କରି ନିଜର ପକ୍ଷ ରଖିଥିଲେ। ଦୀର୍ଘ ଦେଢ଼ ଘଣ୍ଟାକାଳ ସେ ନିଜର ପକ୍ଷ ରଖିଥିଲେ।
ଏଠାରେ ସୂଚନା ଥାଉ କି, ଅକ୍ଟୋବର ୨ତାରିଖରେ ଏନସିବିର ଗୋଟିଏ ଟିମ ମୁମ୍ବାଇ କ୍ରୁଜ ପାର୍ଟିରେ ରେଡ୍‌ କରି ଆର୍ୟନଙ୍କ ସମେତ ୧୧ ଜଣଙ୍କୁ ଅଟକ ରଖିଥିଲା। ଏହାର ପରଦିନ ଅର୍ଥାତ ଅକ୍ଟୋବର ୩ରେ ୧୧ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା ଏନସିବି। ଏହାର ପରବର୍ତ୍ତୀ ଅବସ୍ଥାରେ ଆଉ ୧୨ ଜଣ ଗିରଫ ହୋଇଥିଲେ। ଆର୍ୟନ ଡ୍ରଗ୍ସ ବିକ୍ରେତାଙ୍କ ସହ ଯୋଗାଯୋଗ ରଖିଥିବାରୁ ତାଙ୍କୁ ଅକ୍ଟୋବର ୮ରେ ଆର୍ଥର ରୋଡ ଜେଲ୍‌କୁ ପଠାଇ ଦିଆଯାଇଥିଲା। ସେବେଠାରୁ ସେ ଜେଲ୍‌ରେ ହିଁ ରହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: