ବିଧାନସଭା ନିର୍ବାଚନ ଲଢ଼ିବେନି ଅଖିଳେଶ ଯାଦବ!

ବିଧାନସଭା ନିର୍ବାଚନ ଲଢ଼ିବେନି ଅଖିଳେଶ ଯାଦବ!

ଆଗାମୀ ବର୍ଷ ୟୁପିରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ବିଭିନ୍ନ ଦଳ ପ୍ରସ୍ତୁତି ମଧ୍ୟ ଜୋରଦାର କଲେଣି। ପ୍ରତିଶ୍ରୁତିଠୁ ଆରମ୍ଭ କରି ବୟାନ ବାଜିବି ଯୋରସୋର ହେଉଛି। ୨୦୨୨ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ରାଜନୀତି ସରଗରମ ହୋଇଗଲାଣି । ଗୋଟିଏ ପଟେ କ୍ଷମତାରେ ଥିବା ବିଜେପି ପୁଣିଥରେ ସତ୍ତାକୁ ଫେରିବାକୁ କସରତ ଜାରି ରଖିଥିବା ବେଳେ ପ୍ରମୁଖ ବିରୋଧୀ ଦଳ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟ କସରତ ଆରମ୍ଭ କରିଦେଇଛନ୍ତି। କିନ୍ତୁ ଏହାରି ମଧ୍ୟରେ ବଡ ଘୋଷଣା କରିଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ।
ସେ ଉତ୍ତର ପ୍ରଦେଶରେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବେନି ବୋଲି ଘୋଷଣା କରିଛନ୍ତି। ଆଗମଗଡର ସାଂସଦ ଥିବା ଅଖିଳେଶ ଯାଦବ କହିଛନ୍ତି, ‘ଆମ ଦଳ ଛୋଟ ଦଳମାନଙ୍କ ସହିତ ମେଣ୍ଟ କରିବ । ରାଷ୍ଟ୍ରୀୟ ଲୋକ ଦଳ (RLD) ସହ ମେଣ୍ଟ କରିବା ନେଇ କଥାବାର୍ତ୍ତା ଶେଷ ପର୍ଯ୍ୟାରେ ପହଞ୍ଚିଛି। ବର୍ତ୍ତମାନ ନିର୍ବାଚନ ପାଇଁ ସିଟ୍ ବଣ୍ଟନ କାର୍ଯ୍ୟ ଜାରିରହିଛି ।’
ଏହା ସହିତ ପ୍ରଗତିଶୀଳ ସମାଜବାଦୀ ପାର୍ଟି ସହ ଅଖିଳେଶ ଯାଦବଙ୍କ ଦଳ ମେଣ୍ଟ କରିପାରେ ବୋଲି ସେ ସୂଚନା ଦେଇଛନ୍ତି । ଏହାକୁ ନେଇ ଅଖିଳେଶ କହିଛନ୍ତି, ‘ଯେଉଁ ଛୋଟ ଦଳ ଆମ ସହିତ ମେଣ୍ଟ କରିବାକୁ ଚାହୁଁଛନ୍ତି ଆଗେଇ ଆସନ୍ତୁ କୌଣସି ଅସୁବିଧା ନାହିଁ । ସବୁ ଦଳ ଏବଂ ତାଙ୍କର ନେତାମାନଙ୍କୁ ଉଚିତ ସମ୍ମାନ ମିଳିବ।’ ଏହା ପୂର୍ବରୁ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପ୍ରବଳ ବର୍ଷିଥିଲେ ଅଖିଳେଶ ଯାଦବ । ଅଖିଳେଶ କହିଥିଲେ, ଯୁବ ଚିନ୍ତାଧାରାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି ଯୋଗୀ ସରକାର । ଯିଏ ନିଜେ ଲାପ୍‌ଟପ୍‌ ଏବଂ ମୋବାଇଲ ଚଳାଇବା ସିଖିନାହିଁ ସେ କଣ ଯୁବକମାନଙ୍କ ଅସୁବିଧା ପ୍ରସଙ୍ଗରେ ବୁଝିବ । ସାମଜବାଦୀ ପାର୍ଟିର ବିଜୟ ରଥ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ଭାବେ ଯୋଗୀ ସରକାରକୁ ଟାର୍ଗେଟ କରିଥିଲେ ଅଖିଳେଶ । ଜଣେ ଯୁବ ନେତୃତ୍ବ ହିଁ ଯୁବକମାନଙ୍କ ଅସୁବିଧା ଏବଂ ସେମାନଙ୍କ ଆବଶ୍ୟକ ସମ୍ପର୍କରେ ଜାଣିପାରିବ ବୋଲି କହିଛନ୍ତି ଅଖିଳେଶ । ଏହା ସହିତ ଅଖିଳେଶ କହିଛନ୍ତି, ଭାରତୀୟ ଜନତା ପାର୍ଟି ସମାଜରେ ଜାତି ଏବଂ ଧର୍ମ ଆଧାରରେ ଭେଦଭାବ ଖେଳାଇବାକୁ ଚେଷ୍ଟା କରୁଛି । ଭାରତରେ ସମସ୍ତେ ଭାଇଚାରର ସହ ରହୁଥିବା କଥା ବିଶ୍ବବାସୀ ଜାଣିଛନ୍ତି । କିନ୍ତୁ କିଛି ଲୋକ ଧର୍ମ ଆଧାରରେ ଦେଶ​‌ରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଜନସାଧାରଣ ସେମାନଙ୍କୁ ଉଚିତ ଜବାବ ଦେବେ । ଅନ୍ୟପକ୍ଷରେ ୟୁପିରେ ମହିଳା କାର୍ଡ ଖେଳିଛି କଂଗ୍ରେସ। ଏଠାରେ ୪୦ ପ୍ରତିଶତ ମହିଳା ପ୍ରାର୍ଥୀ ଦେବାକୁ ନିଷ୍ପତି କରିଛି କଂଗ୍ରେସ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: