ଦୀପାବଳୀରେ କେଉଁ ବୋମା ଫୁଟେଇବେ ଦେବେନ୍ଦ୍ର ଫଡନବୀଶ? ଜାଣନ୍ତୁ ପୁରା ଘଟଣା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁମ୍ବାଇ କ୍ରୁଜ ଡ୍ରଗ୍ସକୁ ମାମଲାକୁ ନେଇ ରାଜନୀତି ଥମିବାର ନାଁ ନେଉ ନଥିବା ବେଳେ। ସୋସିଆଲ ମିଡିଆରେ ଚାଲିଛି କାଦୁଅ ଫିଙ୍ଗାଫିଙ୍ଗି। ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲ୍ଲିକ ଏନସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ବିଜେପି ନେତାଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ତାଙ୍କୁ କଡାକଡି ଜବାବ ଦିଆଯାଉଛି। ଏହିକ୍ରମରେ ଆଜି ମଲ୍ଲିକ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶଙ୍କୁ ଆକ୍ଷେପ କରି ଗୁରୁତର ଆରୋପ ଲଗାଇବା ସହ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫଡନବୀଶଙ୍କ ପତ୍ନୀ ଅମୃତାଙ୍କୁ ନିଶା ମାଫିଆ ଜୟଦୀପ ରାଣାଙ୍କ ସହ ଦେଖିବାକୁ ମିଳିଛି। ଏହି ଫଟୋ ନିଜ ଟୁଇଟର ଆକାଉଣ୍ଟରୁ ସେୟାର କରି ନବାବ ମଲ୍ଲିକ ଦେବେନ୍ଦ୍ର ଫଡନବୀଶଙ୍କ ଶାସନ ସମୟରେ ରାଜ୍ୟରେ ନିଶା ମାଫିଆଙ୍କୁ ସଂରକ୍ଷଣ ମିଳିଥିବା ଓ ସେମାନଙ୍କ ସହ ପାରିବାରିକ ସମ୍ପର୍କ ଗଢି ଉଠିଥିବାର ଆରୋପ ଲଗାଇଛନ୍ତି। ତେବେ ଏହାର ଜବାବ ଦେଇଛନ୍ତି ଫଡନବୀଶ। ମଲ୍ଲିକଙ୍କ ଅଭିଯୋଗକୁ ସେ ହାସ୍ୟସ୍ପଦ କହିବା ସହ କହିଛନ୍ତି ଯେ ଯାହାଙ୍କ ସମ୍ପର୍କ ସିଧା ଅଣ୍ଡରୱାର୍ଲଡ ସହ ରହିଛି ସେ ମୋ ବିଷୟରେ କଥା ନ କହିବା ଭଲ। ସେ ଆହୁରି କହିଛନ୍ତି ଯେ ସେୟାର କରାଯାଇଥିବା ଫଟୋଟି ୪ ବର୍ଷ ତଳର ଓ ତାହାକୁ ରିଭର ଆନ୍ଥେମ ଟିମ୍‌ ଉଠାଇଥିଲେ। ମଲ୍ଲିକ ଜାଣିଶୁଣି ମୋ ପତ୍ନୀଙ୍କ ଫଟୋ ଟ୍ୱିଟ୍‌ କରିଛନ୍ତି। ଏହାସହ ଫଡନବୀଶ ଉଲ୍ଲେଖ କରିଛନ୍ତି ଯେ ନବାବ ମଲ୍ଲିକ ଫୁସୁକା ଫୋଟକା ପ୍ରୟୋଗ କରିଛନ୍ତି, କିନ୍ତୁ ଅପେକ୍ଷା କରନ୍ତୁ ଦୀପାବଳି ପରେ ମୁଁ ବଡ ବୋମା ବିସ୍ପୋରଣ କରିବି । ସେପଟେ ନବାବ ମଲ୍ଲିକ ଦାବି କରିଛନ୍ତି ଯେ ଜୟଦୀପର ରାଣା ସେହି ବ୍ୟକ୍ତି ଯିଏ ଅମୃତା ଫଡନବୀଶଙ୍କ ମ୍ୟୁଜିକ ଭିଡିଓ ଲାଗି ଫାଇନାନ୍ସ କରିଥିଲେ। ‘ରିଭର ସଙ୍ଗ’ ନାମକ ଏହି ମ୍ୟୁଜିକ ଭିଡିଓରେ ଅମୃତା ଫଡନବୀଶ ଅଭିନୟ କରିବା ସହ ସୋନୁ ନିଗମଙ୍କ ସାଙ୍ଗରେ ଗୀତ ମଧ୍ୟ ଗାଇଥିଲେ।

Leave a Reply

Your email address will not be published. Required fields are marked *