ପାଣି ଟାଙ୍କିରେ ଚଢ଼ି ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା

ପାଣି ଟାଙ୍କିରେ ଚଢ଼ି ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନେକ ସମୟରେ ସିନେମାରେ ଘଟୁଥିବା କାହାଣୀର ଦୃଶ୍ୟ ଆମ ଆଖ ପାଖରେ ପୁନରାବୃତ୍ତି ହୋଇଥାଏ । ସେମିତି ଏକ ଘଟଣା ବିହାରର ସୁପୌଲରେ ଘଟିଛି। ଏଠାରେ ପ୍ରେମିକାକୁ ବାହା ହେବା ପାଇଁ ଜଣେ ଯୁବକ ସୋଲେ ଫିଲ୍ମର ଏକ ସିନ କ୍ରିଏଟ୍ କରିଥିଲେ । ସୋଲେ ଚଳଚ୍ଚିତ୍ରରେ ବାସନ୍ତୀଙ୍କ ପ୍ରେମରେ ଯେପରି ବିରୁ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଠିକ୍ ସେହିଭଳି ଜଣେ ଯୁବକ ପାଣି ଟାଙ୍କି ଉପରେ ଚଢ଼ି ୧୨ ଘଣ୍ଟା କାଳ ପ୍ରଶାସନ ଓ ପରିବାର ଲୋକଙ୍କୁ ନାକେଦମ୍ କରି ଥିଲା। ରାତି ୮ ରୁ ସକାଳ ୮ ପର୍ଯ୍ୟନ୍ତ ଚାଲିଥିଲା ଏହି ହାଇ ଭୋଲଟେଜ ଡ୍ରାମା ।
ଏହି ଘଟଣାଟି ନିର୍ମଳା ସବଡିଭିଜନ ମୁଖ୍ୟାଳୟରେ ଘଟିଥିଲା। ଏଠାରେ ଜଣେ ଯୁବକ ଶୁକ୍ରବାର ରାତି ୮ଟାରେ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ ଜିଦ୍ କରି ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା । ବିବାହ କରାଇବାକୁ ପ୍ରଶାସନ ପକ୍ଷରୁ ଆଶ୍ଵାସନା ଦିଆଯିବା ସହ ତଳକୁ ଓହ୍ଲାଇବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଯୁବକ ଜଣକର ନଖରା ସେତିକିରେ ସରିନଥିଲା, କେତେବେଳେ ଝିଅଟିକୁ ସାମ୍ନାକୁ ଆଣିବା ପାଇଁ ତ ଆଉ କେତେବେଳେ ଝିଅର ବାପାଙ୍କୁ ତାଙ୍କ ସାମ୍ନାକୁ ଆଣି ପ୍ରତିଶ୍ରୁତି ଦେବାକୁ କହିଥିଲେ। ଏହିପରି ନାଟକ ରାତିରୁ ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ଚାଲିଥିଲା ।

ଏହି ଘଟଣା ଦେଖି ସେଠାରେ ଆଖପାଖର ବହୁ ଲୋକ ଗଦା ହୋଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ। ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଯୁବକ ତାଙ୍କ ଜିଦରେ ଅଟଳ ଥିଲେ ।ଫାୟାର ବ୍ରିଗେଡର ଗାଡ଼ି ଡକାଯାଇଥିଲେ ମଧ୍ୟ ଯୁବକ ଅବତରଣ କରିନଥିଲେ।
କୁହାଯାଉଛି ଯେ, ପ୍ରଶାନ୍ତ କୁମାର ନାମକ ଏହି ଯୁବକ ଜଣକର ମଧୁବାଣୀ ଜିଲ୍ଲାର ଲୌଖୀ ଥାନା ଅଞ୍ଚଳର ଜଣେ ଝିଅକୁ ଭଲ ପାଉଥିଲେ । ଉଭୟ ପୁଅ ଏବଂ ଝିଅ ବିବାହ ପାଇଁ ରାଜି ଥିବା ବେଳେ ଝିଅର ବାପା ଓ ପରିବାର ଲୋକ ଏଥିପାଇଁ ପ୍ରସ୍ତୁତ ନଥିଲେ । ଅନେକ ବୁଝାବୁଝି କରିବା ପାରେ ବିରକ୍ତ ହୋଇ ପ୍ରଶାନ୍ତ ସୋଲେ ଚଳଚ୍ଚିତ୍ରର ବିରୁଙ୍କ ପଥ ଆପଣେଇବାକୁ ବାଧ୍ୟ ହୋଇଥିଲେ । ଶୁକ୍ରବାର ରାତିରେ ସେ ନିର୍ମଳା ସବଡିଭିଜନ ଡାକ୍ତରଖାନା ନିକଟରେ ଥିବା ଏକ ପାଣି ଟାଙ୍କି ଉପରକୁ ଚଢ଼ିଯାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହା ପୂର୍ବରୁ ପ୍ରଶାନ୍ତ ଏକ ଆତ୍ମହତ୍ୟା ନୋଟ ଲେଖି ତଳେ ଛାଡି ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ବାରମ୍ବାର ତଳକୁ ଓହ୍ଲାଇବାକୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଶାନ୍ତ ଜିଦ୍ ଧରିଥିଲେ ଯେ ଝିଅକୁ ସେଠାକୁ ଡକାଯାଇ ଯେ ପର୍ଯ୍ୟନ୍ତ ବାହାଘର କରାନଯାଇଛି ସେ ପର୍ଯ୍ୟନ୍ତ ଟାଙ୍କିରୁ ତଳକୁ ସେ ଓହ୍ଲାଇବେ ନାହିଁ ବୋଲି ସଫା ସଫା ମନା କରିଦେଇଥିଲେ । ରାତିରୁ ସକାଳ ହୋଇଥିଲେ ମଧ୍ୟ ସେ ଟାଙ୍କି ଉପରେ ବସିଥିଲେ ଜମା ଆସିନଥିଲେ। ଜିଲ୍ଲା ପ୍ରଶାସନ ବହୁ ପରିଶ୍ରମ ପରେ ସକାଳ ୮ଟାରେ ତାଙ୍କୁ ପାଣି ଟାଙ୍କିରୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆଣିବାରେ ସଫଳ ହୋଇଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: