୩୨ ବର୍ଷ ପରେ ମା’ ପାଖେ ପୁଅର ଚିଠି ପହଞ୍ଚାଇଲା ଡାକ ବିଭାଗ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସରକାରୀ ଡାକ ବିଭାଗ ଦ୍ବାରା ଚିଠି ପହଞ୍ଚିବାରେ ବିଳମ୍ବ ହେବା କୌଣସି ନୂଆ କଥା ନୁହେଁ। ଅନେକ କାରଣ ପାଇଁ ଚିଠି ପହଞ୍ଚିବା ବିଳମ୍ୱ ହୋଇଥାଏ। ଅନେକ ସମୟରେ ଗୋଟିଏ କିମ୍ବା ଦୁଇ ସପ୍ତାହ ବିଳମ୍ବରେ ଚିଠି ହେଉ କି ପାର୍ସଲ ଆସି ପହଞ୍ଚି ଥାଏ। ହେଲେ ଯଦି ସପ୍ତାହ ବଦଳରେ ବର୍ଷ ବର୍ଷ ବିଳମ୍ୱରେ ଚିଠି ଆସି ଘରେ ପହଞ୍ଚେ, ତେବେ ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିଲା ଭଳି ଘଟଣା। ବ୍ରିଟେନରେ ଜଣେ ମା’ ସହିତ ମଧ୍ୟ ସମାନ ଘଟଣା ଘଟିଛି। ୩୨ ବର୍ଷ ପରେ ତାଙ୍କ ପୁଅ ଲେଖିଥିବା ଗୋଟିଏ ଚିଠି ମିଳିଛି। କୌତୁହଳର ବିଷୟ ହେଉଛି ଏହି ଚିଠିଟି ତାଙ୍କ ପୁଅ ବିଶ୍ୱବିଦ୍ୟାଳୟରେ ପଢିବା ସମୟରେ ଲେଖିଥିଲେ ଏବଂ ବର୍ତ୍ତମାନ ତାଙ୍କ ପୁଅ ବିବାହ କରିବା ସହ ତାଙ୍କର ସ୍ତ୍ରୀ ପରିବାର ହେଲାଣି।
ଘଟଣାଟି ବ୍ରିଟେନରେ ଘଟିଥିବା ବେଳେ ବ୍ରିଟିଶ ପୋଷ୍ଟ ବିଭାଗର ଏହି କୀର୍ତ୍ତି ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ। ଆମେରିକାର ମିଚିଗାନ୍ ୟୁନିଭରସିଟିରେ ପଢ଼ୁଥିବା ବେଳେ ଉକ୍ତ ମହିଳାଙ୍କ ପୁଅ ୩୦ ଅଗଷ୍ଟ ୧୯୮୯ ରେ ବ୍ରିଟେନରେ ରହୁଥିବା ତାଙ୍କ ମା’ଙ୍କୁ ତାଙ୍କ ଭଲମନ୍ଦ ବିଷୟରେ ଜଣାଇବା ପାଇଁ ଏହି ଚିଠି ଲେଖିଥିଲେ। ହେଲେ ତାହା ବର୍ତ୍ତମାନ ଅର୍ଥାତ୍ ୨୦୨୧ ରେ ତାଙ୍କ ମା’ଙ୍କ ପାଖରେ ପହଞ୍ଚିଛି। ୩୨ ବର୍ଷ ପରେ, ପୁଅର ପୋଷ୍ଟ କାର୍ଡ ପାଇ ମା’ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଖବର ଅନୁଯାୟୀ, ଯେତେବେଳେ ମହିଳାଙ୍କ ପୁଅ ଆଣ୍ଡ୍ରିୟୁ ଲେସଲି ଏହି ବିଷୟରେ ଜାଣିଲେ, ସେତେବେଳେ ସେ ମଧ୍ୟ ବିଶ୍ବାସ କରିପାରିନଥିଲେ ଯେ ତାଙ୍କ ଚିଠି ପହଞ୍ଚିବାକୁ ଏତେ ସମୟ ଲାଗିଛି। ସେ କହିଥିଲେ ଯେ ମିଚିଗାନ୍ ୟୁନିଭରସିଟିରେ ଅଧ୍ୟୟନର ପ୍ରଥମ ଦିନ ସେ ତାଙ୍କ ମା’ଙ୍କୁ ଏହି ଚିଠି ଲେଖିଥିଲେ। ଏହି ଚିଠିରେ ଲେସଲି ତାଙ୍କ ବିଶ୍ୱବିଦ୍ୟାଳୟ ଜୀବନ ଏବଂ ଅଧ୍ୟୟନ ବିଷୟରେ ମାତା, ପିତାଙ୍କୁ ସୂଚନା ଦେଇଥିଲେ। ସେ ଭାବିଥିଲେ ଯେ ଏହି ଚିଠିକୁ ତାଙ୍କ ମା’ ନିଶ୍ଚିତ ଭାବରେ ପାଇଥିବେ, କିନ୍ତୁ ସେ ଜାଣି ନଥିଲେ ଯେ ଚିଠି ପହଞ୍ଚିବା ପାଇଁ ଏତେ ସମୟ ଲାଗିଯିବ।
ଯେତେବେଳେ ଆନ୍ ଲେସଲି ତାଙ୍କ ପୁଅର ଚିଠି ପାଇଥିଲେ, ସେ ପ୍ରଥମେ ତାହା ପଢ଼ିଥିଲେ ମଧ୍ୟ ସେଥିରୁ କିଛି ବୁଝୁ ପାରିନଥିଲେ। ତେବେ ଯେତେବେଳେ ସେ ଏହା ଉପରେ ଲେଖା ହୋଇଥିବା ତାରିଖ ଦେଖିଲେ, ସେତେବେଳେ ସେ ନିଜ ଆଖିକୁ ବି ବିଶ୍ୱାସ କରି ପାରିନଥିଲେ। ଡାକ ବିଭାଗର ବିଳମ୍ବରେ ଆଶ୍ଚର୍ଯ୍ୟ ହୋଇ ଆନ୍ କହିଛନ୍ତି, ଭଲ କଥା ଯେ, ମୁଁ ମଝିରେ ମୋର ଠିକଣା ବଦଳାଇ ନଥିଲି, ନଚେତ୍ ଏହି ଚିଠି ମୋ ପାଖରେ କେବେ ପହଞ୍ଚି ନଥାନ୍ତା। ମତେ ବିଶ୍ବାସ ହେଉ ନାହିଁ ଯେ ଗୋଟିଏ ଚିଠି ପହଞ୍ଚି ବା ପାଇଁ ୩୨ ବର୍ଷ କିପରି ଲାଗିପାରେ?
କୌତୁହଳର ବିଷୟ ହେଉଛି ଯେତେବେଳେ ଆନ୍ ଲେସଲି ରୟାଲ୍ ମେଲ୍ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ , ସେତେବେଳେ ତାଙ୍କ ପାଖରେ କୌଣସି ସଠିକ୍ ଉତ୍ତର ନଥିଲା। ସେମାନେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ ଚିଠି ପହଞ୍ଚିବା ପାଇଁ କାହିଁକି ଏତେ ସମୟ ଲାଗିଲା? ସାଧାରଣତଃ ଏହା ହୁଏ ନାହିଁ। ଯାହା ବି ହେଉ ବର୍ତ୍ତମାନ ପୁଅର ପୋଷ୍ଟ କାର୍ଡ ଦେଖି ମା’ ଆନ୍ କହିଛନ୍ତି ଯେ ଯେଉଁ ଉତ୍ସାହରେ ତାଙ୍କ ପୁଅ ତାଙ୍କ ବିଶ୍ୱବିଦ୍ୟାଳୟ ଜୀବନ ବିଷୟରେ ଚିଠିରେ କହିଥିଲେ, ସେ ସବୁକୁ ସେ ଜାଣିବାର ସୁଯୋଗ ପାଇଲେ ନାହିଁ। ତେବେ ଏହି ଘଟଣା ପାଇଁ ବ୍ରିଟିସ ଡାକ ବିଭାଗକୁ ଲୋକମାନେ ସୋସିଆଲ ମିଡିଆରେ ତାତ୍ସଲ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *