ସମ୍ବଲପୁରୀ ଶାଢ଼ୀରେ ବିଦ୍ୟା: ଚମକିଲେ, ପ୍ରଶଂସା କଲେ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସମ୍ବଲପୁରୀ ସିଲ୍କ ଶାଢୀରେ ଚମକିଲେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ୍ । ନିଜ କମେଡି-ଡ୍ରାମା ଫିଲ୍ମ ‘ଶକୁନ୍ତଳା ଦେବୀ’ର ଭରଚୁଆଲ ପ୍ରମୋସନ୍ ପାଇଁ ପିନ୍ଧିଲେ ସମ୍ବଲପୁରୀ ସିଲ୍କ ଶାଢୀ । କଳା ରଙ୍ଗର ବଡିରେ ମାଥେମେଟିକାଲ୍ ଏଜୁକେସନ(ଗାଣିତିକ ସମୀକରଣ)ର ପ୍ରିଣ୍ଟ ଥିବାବେଳେ ବୋର୍ଡରେ ଗୋଲାପୀ ରଙ୍ଗ ଉପରେ ବାନ୍ଧ କଳା ରହିଛି। କଳା-ଗୋଲାପୀ କମ୍ବିନେସନ୍ ଏହି ସମ୍ବଲପୁରୀ ସିଲ୍କ ଶାଢୀରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ବିଦ୍ୟା। ଖୁସି ଜାହିର୍ କରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସମସ୍ତ ସମ୍ବଲପୁରୀ ଶାଢୀ ବୁଣାକାରମାନଙ୍କ ପାଇଁ ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ଦେଇଛନ୍ତି । ସମସ୍ତ ସମ୍ବଲପୁରୀ କାରିଗରଙ୍କୁ ମୋର ନମସ୍କାର ଓ ଅନେକ ଅନେକ ଧନ୍ୟବାଦ । ଶାଢୀ ମତେ ବହୁତ୍ ଭଲ ଲାଗୁଛି । ମୋର ଫିଲ୍ମ ‘ଶକୁନ୍ତଳା ଦେବୀ’ର ଭରଚୁଆଲ ପ୍ରମୋସନ୍ ପାଇଁ ଶାଢୀଟି ପିନ୍ଧି ମୁଁ ବହୁତ୍ ଖୁସି ବୋଲି ବିଦ୍ୟା କହିଛନ୍ତି । ଏହାସହ କୋରୋନା ଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତ ସମସ୍ତଙ୍କ ପାଇଁ କଷ୍ଚ ଦାୟକ। ଆଉ ଏହି ସମୟଟି ମଧ୍ୟ ଗଡିଯିବ ବୋଲି କହି ନିଜର ସମବେଦନା ଜଣାଇଛନ୍ତି ବିଦ୍ୟା ।

ସମ୍ବଲପୁରୀ ଶାଢ଼ୀରେ ବିଦ୍ୟା ବାଲାନ

ତେବେ ବିଦ୍ୟା ପିନ୍ଧିଥିବା ଏହି ଶାଢ଼ୀର ବୁଣାକାର ହେଉଛନ୍ତି ରମାକାନ୍ତ ମେହେର। ସୁବର୍ଣ୍ଣପୁର ଜିଲ୍ଲାରେ ରମାକାନ୍ତଙ୍କ ଘର। ଏହି ଶାଢ଼ୀକୁ ଖୁବ ପ୍ରଶଂସା କରି ବିଦ୍ୟା କହିଛନ୍ତି, ସୋନପୁରରେ ମଲବରୀ ବାଙ୍ଗାଲୋର ରେଶମ ସୂତା ସହିତ ଏହି ଟାଇ ଆଣ୍ଡ ଡାଇ ରେଶମ ଶାଢ଼ୀ ଏକ ମାସ ମଧ୍ୟରେ ବୁଣା ହୋଇଛି। ବିଦ୍ୟା ତାଙ୍କ ପୋଷ୍ଟରେ ରମାକାନ୍ତଙ୍କ ନାଁ ମଧ୍ୟ ନେଇଛନ୍ତି।

ଜୁଲାଇ ୩୧ରେ ଅମାଜନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ଥିବା ବାସ୍ତବ ଜୀବନର ଗାଣିତିକ ପ୍ରତିଭା ଶକୁନ୍ତଳା ଦେବୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ସିନେମା ‘ଶକୁନ୍ତଳା ଦେବୀ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ବିଦ୍ୟା ବାଲାନ। ଏହା ଏକ କମେଡି ଡ୍ରାମା ଫିଲ୍ମ ହୋଇଥିବାବେଳେ ‘ମାନବ କମ୍ପ୍ୟୁଟର’ ଭାବେ ବେଶ୍ ଜଣାଶୁଣା ଶକୁନ୍ତଳା ଦେବୀଙ୍କ ଜୀବନୀ ଉପରେ ଆଧାରିତ ଅଛି। ଅନୁ ମେନନ୍ ଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଏବଂ ବିକ୍ରମ ମାଲହୋତ୍ରାଙ୍କ ଅବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହୋଇଛି । ୮ ମଇ ୨୦୨୦ରେ ଫିଲ୍ମଟି ଥିଏଟର୍ ରିଲିଜ୍ ହେବାକୁ ଥିବାବେଳେ କୋରୋନା କଟକଣା ଯୋଗୁ ଏହା ସମ୍ଭବ ହୋଇପାରିଲା ନାହିଁ । ତେଣୁ ଜୁଲାଇ ୩୧ରେ ପ୍ରାଇମ ଭିଡିଓରେ ସାରା ବିଶ୍ୱରେ ପ୍ରସାରିତ ହେବ । ଫିଲ୍ମକୁ ନେଇ ବିଦ୍ୟା ଯେତିକି ଖୁସି ଅଛନ୍ତି, ତା’ଠୁ ଅଧିକ ସମ୍ବଲପୁରୀ ହେଣ୍ଡଲୁମ୍ ସିଲ୍କ ଶାଢୀ ପିନ୍ଧି ଖୁସ୍ ଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *