୩୦ ଟଙ୍କା ଚୋରି କରି ୩୧ ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହୁଏତ ଆଜିକା ସମୟରେ ୩୦ ଟଙ୍କାର ମୂଲ୍ୟ କିଛି ନାହିଁ। ହେଲେ ୩୦ ଟଙ୍କା ଚୋରି କରି ଜଣେ ବ୍ୟକ୍ତିଙ୍କୁ ଜେଲ୍ ଯିବାକୁ ପଡ଼ିଛି। ତାହା ପୁଣି ୩୧ ବର୍ଷ ପରେ। ଚୋରି କରି ଖସି ଯାଇଥିଲେ ମଧ୍ୟ ୩୧ ବର୍ଷ ପରେ ଗିରଫ ହୋଇ କୋର୍ଟରେ ହାଜର ହୋଇଛି। ୧୯୯୦ ମସିହାରେ ଅଭିଯୁକ୍ତ ଜଣେ ଚାଷୀଙ୍କ ପକେଟରୁ ୩୦ ଟଙ୍କା ଚୋରି କରିଥିଲା। ଏବେ ୩୧ ବର୍ଷ ପରେ କୌଥଲ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି। ତେବେ ସେହି ଅପରାଧରେ ଅଭିଯୁକ୍ତକୁ ୧୯୯୦ ମସିହାରେ ପୋଲିସ ଗିରଫ କରିଥିଲା ​​ଏବଂ ତାଙ୍କଠାରୁ ଚୋରି ହୋଇଥିବା ଟଙ୍କା ମଧ୍ୟ ଉଦ୍ଧାର କରିଥିଲା। ​​କିନ୍ତୁ ଡିସେମ୍ବର ୧୯୯୦ ରେ କୋର୍ଟ ତାଙ୍କୁ ଜାମିନରେ ଛାଡି ଦେଇଥିଲେ। ବ୍ୟକ୍ତି ଜଣକ ଜିନ୍ଦ ଜିଲ୍ଲା ଧୋଣ୍ଡି ଗ୍ରାମର ବୋଲି ଜଣା ପଡ଼ିଛି। ତେବେ ଏହାପରେ ସେ କୋର୍ଟରେ ହାଜର ନହେବାରୁ ୧୯୯୬ ମସିହା ସେପ୍ଟେମ୍ବର ମାସରେ ସ୍ଥାନୀୟ କୋର୍ଟରେ ପଳାତକ ଘୋଷିତ ହୋଇଥିଲେ। କିନ୍ତୁ ଏବେ ଯେତେବେଳେ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲେ ସେତେବେଳେ ଜଜ୍ କହିଥିଲେ ଯେ ସେ ପୂର୍ବରୁ ଜେଲ୍ ଦଣ୍ଡ କାଟି ସାରିଥିବାରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଉଛି।
ଘଟଣାରୁ ପ୍ରକାଶ ଯେ, ଜସୱନ୍ତୀ ଗାଁର ବାସିନ୍ଦା କରିମ ସିଂ ଡିସେମ୍ବର ୩, ୧୯୯୦ ରେ କୌଥଲ ସହରର ସଦର ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ସେ କିଓରାକ ଗ୍ରାମ ନିକଟରେ ଥିବା ଏକ ବସ ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ନିକଟକୁ ଆସି ଠିଆ ହେବା ସହ ପକେଟରୁ ୩୦ ଟଙ୍କା ଚୋରି କରିଥିଲା। ତାଙ୍କ ଅଭିଯୋଗ ପରେ ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୩୭୯ ଅନୁଯାୟୀ ଏକ ମାମଲା ରୁଜୁ କରି କୌଥଲ ପୋଲିସ ଘଟଣାର ଗୋଟିଏ ଦିନ ପରେ ଅଭିଯୁକ୍ତକୁ ଗିରଫ କରିଥିଲା ​​ଏବଂ ଚୋରି ହୋଇଥିବା ଟଙ୍କା ମଧ୍ୟ ତାଙ୍କ ନିକଟରୁ ଉଦ୍ଧାର କରିଥିଲା। ତେବେ ଗିରଫ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଡିସେମ୍ବର ୪, ୧୯୯୦ ରେ ଅଭିଯୁକ୍ତ ଜାମିନରେ ମୁକ୍ତ ହୋଇଥିଲା ବୋଲି ଏହି ମାମଲା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ଏହା ପରେ ସେ ଆଉ ଫେରି ନଥିଲେ ଏବଂ ବହୁ ବର୍ଷର ଅପେକ୍ଷା ପରେ ୧୬ ସେପ୍ଟେମ୍ବର ୧୯୯୬ ରେ ତତ୍କାଳୀନ କୌଥଲ ଜୁଡିସିଆଲ ମାଜିଷ୍ଟ୍ରେଟ ବେସର ବର୍ମା ତାଙ୍କୁ ପଳାତକ ଘୋଷିତ କରିଥିଲେ।

Leave a Reply

Your email address will not be published. Required fields are marked *