କଳ୍ପନାଚାତୁରୀ ଓ ରଚନାମାଧୁରୀର ପ୍ରେମପରିପ୍ଳୁତ ନାୟକ ଥିଲେ ଗଙ୍ଗାଧର

ପ୍ରିଜମ୍ ନ୍ୟୁଜ୍ (ସମ୍ପାଦକୀୟ):

ମଙ୍ଗଳେ ଅଇଲା ଉଷା, ବିକଚ-ରାଜୀବ ଦୃଶା
ଜାନକୀ-ଦର୍ଶନ-ତୃଷା ହୃଦୟେ ବହି
କର ପଲ୍ଲବେ ନୀହାର- ମୁକ୍ତା ଧରି ଉପହାର
ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି
କଳକଣ୍ଠ କଣ୍ଠେ କହିଲା
ଦରଶନ ଦିଅ ସତୀ ରାତି ପାହିଲା

‘ତପସ୍ୱିନୀ’ କାବ୍ୟର ଏହି ପଂକ୍ତି ଆଜି ବି କୋଟି ଓଡ଼ିଆଙ୍କ ମନପ୍ରାଣରେ ରହିଛି। ଉନବିଂଶ ଶତାବ୍ଦୀର ଶେଷ ଭାଗରେ କବିବର ରାଧାନାଥ ଉତ୍କଳ ସାହିତ୍ୟ ରାଜ୍ୟରେ ଏକ ଅଭିନବ ଯୁଗ ଆରମ୍ଭ କରିଥିଲେ। ସେତେବେଳେ ଇଂରାଜୀ ଶିକ୍ଷା ସଭ୍ୟତାର ପ୍ରଭାବରେ ଶିକ୍ଷିତ ସମାଜର ପଠନ ମନୋବୃତ୍ତିର ପରବର୍ତ୍ତନ ଘଟିଥିଲା। ସେହି ସମୟରେ ଫକୀର ମୋହନ ସେନାପତି, ମଧୁସୂଦନ ରାଓ, ପ୍ୟାରୀମୋହନ, ଗୌରୀଶଙ୍କର, ବିଚିତ୍ରାନନ୍ଦ ପ୍ରମୁଖ ଗଦ୍ୟ, ପଦ୍ୟ, ନାଟକ, ଉପନ୍ୟାସ ଆଦି ଲେଖିବୂା ଆରମ୍ଭ କରିଥିଲେ।ଗଙ୍ଗାଧର ମେହେର ହେଉଛନ୍ତି ଏହି ଯୁଗର କବି। ଯୁଗୋଚିତ ବିଶୁଦ୍ଧ ସାହିତ୍ୟ ସୃଷ୍ଟିରେ, ରଚନାର ମୌଳିକତାରେ ଗଙ୍ଗାଧରଙ୍କ ଅମର ଲେଖନୀରୁ ଗୋଟିଏ ପରେ ଗୋଟିଏ ଅମୃତର ଧାରା ଝରିବାକୁ ଲାଗିଲା। ସମ୍ୱଲପୁର ଜିଲ୍ଲାର ବରପାଲିରେ ଏକ ସାଧାରଣ ତନ୍ତୀ ପରିବାରରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧରଙ୍କ ଜନ୍ମ ଶ୍ରାବଣ ପୂର୍ଣ୍ଣିମା ଦିନ ହିଁ ହୋଇଥିଲା। ପିଲାଟି ଦିନରୁ ଲୁଚି ରହିଥିବା କାବ୍ୟିକ ଚିନ୍ତାଧାରା କାଳକ୍ରମେ ପ୍ରସ୍ଫୁଟିତ ହେବାରେ ଲାଗିଲା। ବିବିଧ ଗ୍ରନ୍ଥାଧ୍ୟୟନ ପ୍ରବୃତ୍ତିରେ ମନୋନିବେଶ କରିବା ବେଳକୁ ଦାରିଦ୍ର୍ୟର ତାଡ଼ନା ତାଙ୍କୁ ଉପହାସ କରିବାକୁ ଲାଗିଲା। ପୁସ୍ତକ କିଣିବାର ଅଭ୍ୟାସ ଧୀରେଧୀରେ ତାଙ୍କୁ ଏକ କ୍ଷୁଦ୍ର ଲାଇବ୍ରେରୀ ଗଢ଼ି ତୋଳିବାରେ ସାହାଯ୍ୟ କଲା।

ସ୍ୱଭାବ କହି ଗଙ୍ଗାଧର ମେହେର

‘ଅହଲ୍ୟାସ୍ତବ’ ରଚନାର ପ୍ରାୟ ଏକ ବର୍ଷ ବ୍ୟବଧାନ ପରେ ନୂଆ ଧରଣର ଲେଖା ‘ଇନ୍ଦୁମତୀ’ ପ୍ରକାଶ ପାଇଥିଲା। ଏହାପରେ ‘ଉତ୍କଳ ଲକ୍ଷ୍ମୀ’, ‘ମହିମା’ ଓ ‘କୀଚକ ବଧ’ ପ୍ରକାଶିତ ହେଲା। ‘କୀଚକ ବଧ’ ଉତ୍କଳ ସାହିତ୍ୟ ଗନ୍ତାଘରର ଏକ ଦୀପ୍ତିମାନ ରତ୍ନ। ଏହି ଲେଖାରୁ ହିଁ ତାଙ୍କର ବିକାଶୋନ୍ମୁଖୀ ମୌଳିକ ପ୍ରତିଭାର ଅଙ୍କୁରୋଦଗମ ହୋଇଥିଲା। ‘କବିତା କଲ୍ଲୋଳ’, ‘ଅଯୋଧ୍ୟା ଦୃଶ୍ୟ’, ‘ତପସ୍ୱିନୀ’, ‘ପ୍ରଣୟ ବଲ୍ଲରୀ’, ‘ଅର୍ଘ୍ୟଥାଳି’ ଗଙ୍ଗାଧରଙ୍କ ଜୀବନର ଅନନ୍ୟ ସୃଷ୍ଟି। ‘ତପସ୍ୱିନୀ’ ହେଉଛି ତାଙ୍କ ପାଇଁ ମୁକୁଟାଳଙ୍କାର। ସେହିପରି ‘ପ୍ରଣୟ ବଲ୍ଲରୀ’ ଥିଲା ତାଙ୍କର କଳ୍ପନାଚାତୁରୀ ଓ ରଚନାମାଧୁରୀର ଏକ ପବିତ୍ର ପ୍ରେମପରିପ୍ଳୁତ।

ନିଜ ‘ଭୁଲିଆ’ ସମାଜର କେତେକ ଅନିଷ୍ଟକାରୀ ପ୍ରଥା ଉଠାଇଦେବା ଉଦ୍ଦେଶ୍ୟରେ ଚାରଆଡ଼େ ବିଜ୍ଞାପନ ପ୍ରଚାର କରି ଏକ ମହାସଭାର ଆହ୍ୱାନ କରିଥିଲେ। ସମାଜ ସଂସ୍କାର ପ୍ରତି ମନୋଭାବ ତାଙ୍କର ଏଥିରୁ ସ୍ପଷ୍ଟ ବାରି ହୁଏ। ମହାସଭାର କେତେଦିନ ପରେ ୧୯୨୪ ମସିହା ଏପ୍ରିଲ ମାସ ୪ ତାରିଖରେ ଚୈତ୍ର ଅମାବାସ୍ୟାର ନିଶାର୍ଦ୍ଧରେ ଚିରଦିନ ଲାଗି ଅସ୍ତମିତ ହୋଇଗଲେ। ଓଡ଼ିଶା ସାହିତ୍ୟର ଏହି ଅନବଦ୍ୟ ସ୍ରଷ୍ଟା ଉତ୍କଳର ସାହିତ୍ୟ ଆକାଶରେ ସବୁଦିନ ପାଇଁ ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ ହୋଇ ରହିଗଲେ।

‘ବିଶ୍ୱ ଦେଖ ମଧୁ ମୟରେ ଜୀବନ ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ ପାପ ମରଣ ଭୟରେ ଜୀବନ’

Leave a Reply

Your email address will not be published. Required fields are marked *