୧୦ ଲକ୍ଷ ଟପିଲା ବିଶ୍ୱରେ କରୋନା ମୃତ୍ୟୁ; ଚିନ୍ତା ବଢ଼ାଉଛି ସଂକ୍ରମଣ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବିଶ୍ବରେ କରୋନା ମୃତ୍ୟୁସଂଖ୍ୟା ୧୦ ଲକ୍ଷ ଟପିଯାଇଛି। ଆମେରିକା, ଭାରତ, ବ୍ରାଜିଲ୍‌ରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ୫୪୦୦ରୁ ଅଧିକ ଲୋକ ପ୍ରତିଦିନ କରୋନାରେ ପ୍ରାଣ ହରାଉଛନ୍ତି। ଏହାର ଅର୍ଥ ପ୍ରତି ଘଣ୍ଟାରେ ୨୨୬ ଜଣଙ୍କ ଜୀବନ ଯାଉଛି ଏବଂ ପ୍ରତି ୧୬ ସେକେଣ୍ଡ୍‌ରେ ଜଣଙ୍କ ଜୀବନ ଯାଉଛି। ଇତିମଧ୍ୟରେ ବିଶ୍ବରେ ମୋଟ୍‌ ସଂକ୍ରମଣ ୩ କୋଟି ୩୬ ଲକ୍ଷ ଟପିଥିବା ବେ‌ଳେ ଭାରତରେ ସଂକ୍ରମଣ ମାମଲା ୬୧ ଲକ୍ଷ ରହିଛି।

ଆମେରିକା ପରେ ଭାରତ ଦ୍ବିତୀୟ କ‌ରୋନା ପ୍ରଭାବିତ ରାଷ୍ଟ୍ର। ଆମେରିକାରେ ସର୍ବାଧିକ ୨ ଲକ୍ଷ ୫ ହଜାର ୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭାରତରେ ୯୬ ହଜାର ୩୧୮ ଏବଂ ବ୍ରାଜିଲ୍‌ରେ ୧ ଲକ୍ଷ ୪୨ ହଜାର ୫୮ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କଲମ୍ବିଆରେ ୮ ଲକ୍ଷ ୧୮ ହଜାର ୨୦୩ ମାମଲା ଥିବାବେଳେ ୨୫ ହଜାର ୬୪୧ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଭାରତରେ ଆରୋଗ୍ୟ ହର ବୃଦ୍ଧି ପାଇ ୮୩ ପ୍ରତିଶତ ଅତିକ୍ରମ କରିଛି।

ସେପଟେ ପାଖାପାଖି ମାସେ ପରେ ଦେଶରେ ଦୈନିକ ସଂକ୍ରମଣ ମାମଲା ଆଜି ୭୫ ହଜାରରୁ କମ୍‌ ରହିଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ୧ ହଜାରରୁ କମ୍‌ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦ ହଜାର ୫୮୯ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୭୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୬୧ ଲକ୍ଷ ୪୫ ହଜାର ୨୯୧ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୯୬ ହଜାର ୩୧୮କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୫୧ ଲକ୍ଷ ୧ ହଜାର ୩୯୭ ରହିଛି।

%d bloggers like this: