ପାକ୍ ସରକାରଙ୍କ ନିଷ୍ପତ୍ତି: ରାଜ କପୁର ଓ ଦିଲ୍ଲୀପ କୁମାରଙ୍କ ପୈତୃକ ବଙ୍ଗଳା ହେବ ଜାତୀୟ ଐତିହ୍ୟ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ବଲିଉଡର ପ୍ରତିଷ୍ଠିତ ଦୁଇ ଅଭିନେତା ରାଜ୍‌ କପୁର ଓ ଦିଲ୍ଲୀପ କୁମାରଙ୍କ ପୈତୃକ ବଙ୍ଗଳାକୁ ପାକିସ୍ତାନର ଖିବେର-ପଖ୍‌ତୁନ୍‌ଖ୍ବା ସରକାର କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ବିଭାଜନ ପୂର୍ବରୁ ଭାରତୀୟ ଚଳଚ୍ଚିତ୍ର ଜଗତର ଏହି ଅଭିନେତାଦ୍ବୟ ଏହି ବଙ୍ଗଳା ଦୁଇଟିରେ ନିଜ ପିଲା ଦିନ ଓ କିଶୋରାବସ୍ଥା କାଟିଛନ୍ତି। ବଙ୍ଗଳା ଦୁଇଟି ଅତ୍ୟନ୍ତ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାକୁ ଭାଙ୍ଗି ଦେବାକୁ ଧମକ ଦିଆଯାଉଛି। ଏଣୁ ଏହି ବଙ୍ଗଳା ଦୁଇଟିକୁ ପୁନରୁଦ୍ଧାର କରି ଐତିହାସିକ ବଙ୍ଗଳାରେ ପରିଣତ କରିବାକୁ ସ୍ଥାନୀୟ ପ୍ରଶାସନ ଅଣ୍ଟା ଭିଡ଼ିଛନ୍ତି।

ଖିବେର-ପଖ୍‌ତୁନ୍‌ଖ୍ବାର ପ୍ରତ୍ନତତ୍ତ୍ବ ବିଭାଗ ଏହି ଦୁଇ ବଙ୍ଗଳା କିଣିବାକୁ ଯଥେଷ୍ଟ ଅର୍ଥ ବରାଦ କରିବ ବୋଲି ଘୋଷଣା କରିବା ସହ ପେଶାୱରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଦୁଇ ବଙ୍ଗଳାକୁ ରାଷ୍ଟ୍ରୀୟ ଐତିହ୍ୟରେ ପରିଣତ କରାଯିବ। ବିଭାଗର ମୁଖ୍ୟ ଅଧିକାରୀ ଅବଦୁସ୍‌ ସାମେଦ୍‌ ଖାନ୍‌ କହିଛନ୍ତି, ପେଶାୱର୍‌ର ଡେପୁଟି କମିସନର୍‌ଙ୍କୁ ଉକ୍ତ ଦୁଇ ବଙ୍ଗଳାର ଦାମ୍‌ ନିର୍ଦ୍ଧାରଣ କରି କହିବାକୁ ଚିଠି ଲେଖାଯାଇଛି।

ପ୍ରକାଶ‌ଯୋଗ୍ୟ, ରାଜ୍‌ କପୁରଙ୍କ ପୈତୃକ ବଙ୍ଗଳା ‘କପୁର ହାଭେଲି’ ଫାବ୍‌ଲେଦ୍‌ କିସା ଖ୍ବାନି ବଜାରରେ ଅବସ୍ଥିତ। ଏହା ୧୯୧୮ରେ ରାଜ କପୁର୍‌ଙ୍କ ଜେଜେବାପା ଦେୱାନ ବାଶେଶ୍ବରନାଥ କପୁର ନିର୍ମାଣ କରିଥିଲେ। ସେହିପରି ଦିଲ୍ଲୀପ କୁମାରଙ୍କ ପୈତୃକ ବଙ୍ଗଳା ବି ସେହି ଅଞ୍ଚଳରେ ଅବସ୍ଥିତ। ୨୦୧୪ରେ ନୱାଜ ସରିଫ୍‌ ସରକାର ଏହାକୁ ଜାତୀୟ ଐତିହ୍ୟର ମାନ୍ୟତା ଦେଇଥିଲେ।

%d bloggers like this: