ନୂଆ ଫୋନ୍ ସିମ୍ କାର୍ଡ ଦେଇ ୯୦ ବର୍ଷୀୟ ମହିଳାଙ୍କ ଠାରୁ ଠକି ନେଲେ ୩୨ ନିୟୁତ ଡଲାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦିନକୁ ଦିନ ବିଶ୍ୱରେ ଅନଲାଇନ୍ ଠକାମୀ ବଢ଼ିବାରେ ଲାଗିଛି। ଏହି ଅନଲାଇନ୍ ଠକମାନେ ବିଭିନ୍ନ ବର୍ଗର ଲୋକଙ୍କ ମୋବାଇଲକୁ ପ୍ରତିଦିନ ଫୋନ୍ କରି ପୁରସ୍କାର ଜିତିବା, ଲଟେରୀ କିମ୍ବା କ୍ରେଡିଟ୍ କାର୍ଡ ଦେବା ଆଦି ଲୋଭ ଦେଖାଇ ଥାଆନ୍ତି। କିଛି ଲୋକ ସେମାନଙ୍କ ଫାଶରେ ପଡ଼ି ଯାଆନ୍ତି ମଧ୍ୟ।ଏହାସହ ସେମାନେ ମୋଟା ଅଙ୍କର ଅର୍ଥ ହରେଇ ଥାଆନ୍ତି। ତେବେ ଯେତେବେଳେ ସବୁ ସରିଯାଏ ଅନୁତାପ ବିନା ଆଉ କିଛି ନଥାଏ ସେମାନଙ୍କ ପାଖରେ। ତେବେ ସେଇଭଳି ଏକ ମାମଲା ଏବେ ନଜରକୁ ଆସିଛି। ଜଣେ ବୃଦ୍ଧା ମହିଳାଙ୍କଠାରୁ ଫୋନ୍ କଲ ଦ୍ୱାରା ୨ ବିଲିଅନ୍ ରୁ ଅଧିକ ଟଙ୍କା ଠକିନେଇଛନ୍ତି ଏହି ଅନଲାଇନ୍ ଚୋର ମାନେ। ଘଟଣାଟି ପ୍ରାୟ ସମସ୍ତଙ୍କୁ ଆର୍ଶ୍ଚଯ୍ୟ କରିଛି। ଘଟଣାଟି ହଂକଂରେ ଘଟିଛି।

ହଂକଂର ୯୦ ବର୍ଷ ବୟସ୍କା ବୃଦ୍ଧା ମହିଳାଙ୍କ ସହ ଏହି ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ଚୋରମାନେ ଚାଇନାର ବରିଷ୍ଠ ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କ ଠାରୁ ଥର ଥର କରି ଟଙ୍କା ଠକି ନେଇଛନ୍ତି। ପୋଲିସ କହିଛି ଯେ ହଂକଂରେ ଏହି ଚୋରମାନେ ଧନୀ ଲୋକଙ୍କୁ ଟାର୍ଗେଟ କରି ଲୁଟ କରନ୍ତି। ପୋଲିସ କହିବା ଅନୁଯାୟୀ ମହିଳାଙ୍କୁ ଫୋନ୍ କରାଯାଇ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ମଗାଯାଇଥିଲା।
ଏହି ମହିଳା ହଂକଂର ସମୃଦ୍ଧଶାଳୀ ଅଞ୍ଚଳରେ ରୁହନ୍ତି ବୋଲି ପୋଲିସ ସୂଚନା ଦେଇଛି। ଗତ ଗ୍ରୀଷ୍ମ ସମୟରେ ଠକମାନେ ଫୋନ୍ କଲ କରି ମହିଳାଙ୍କ ନିକଟତର ହୋଇଥିଲେ। ସେ ନିଜକୁ ଜଣେ ଚାଇନାର ଅଧିକାରୀ ବୋଲି ପରିଚୟ ଦେଇ ତାଙ୍କୁ ତାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟରେ ରଖାଯାଇଥିବା ରାଶି ଅନୁସନ୍ଧାନକାରୀ ଦଳର ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କହିଥିଲେ। ଯାହା ଫଳରେ ସେ ଯାଞ୍ଚ କରିପାରିବେ ଏବଂ ତାଙ୍କ ଟଙ୍କା ନିରାପଦରେ ରହିପାରିବ। ଏହାର କିଛି ଦିନ ପରେ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସି ତାଙ୍କୁ ଏକ ନୂତନ ମୋବାଇଲ୍ ଏବଂ ସିମ୍ କାର୍ଡ ଦେଇଥିଲେ ଯାହା ଦ୍ଵାରା ମହିଳା ଚାଇନାର ଅଧିକାରୀ (ଠକ୍) ଙ୍କ ସହ କଥା ହୋଇପାରିବେ। ଏହା ପରେ ସେ ମୋଟ ୧୧ ଟି ବ୍ୟାଙ୍କ ଟ୍ରାନ୍ସଫର କରାଯାଇଥିଲା। ପାଞ୍ଚ ମାସ ମଧ୍ୟରେ ମୋଟ ୩୨ ନିୟୁତ ଡଲାର ବା ୨.୪୧ ବିଲିୟନ ଟଙ୍କା ମହିଳାଙ୍କଠାରୁ ଠକି ନେଇଥିଲେ। ଏହି ଘଟଣାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ମହିଳାଙ୍କ ଘରେ କାମ କରୁଥିବା ଚାକରକୁ ସେ ବିଷୟରେ ସନ୍ଦେହ ହୋଇ ଥିଲା ଏବଂ ସେ ମହିଳାଙ୍କ ଝିଅକୁ ଖବର ଦେଇଥିଲେ। ଏହି ଠକାମୀ ବିଷୟରେ ମହିଳାଙ୍କ ଝିଅ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏବେ ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *