ଅନ୍ଧବିଶ୍ବାସ ନେଲା ଜୀବନ, ଭଗବାନଙ୍କୁ ଖୁସି କରିବା ପାଇଁ କରତରେ ନିଜ ଗଳା କାଟିଲେ ପୂଜାରୀ

ଅନ୍ଧବିଶ୍ବାସ ନେଲା ଜୀବନ, ଭଗବାନଙ୍କୁ ଖୁସି କରିବା ପାଇଁ କରତରେ ନିଜ ଗଳା କାଟିଲେ ପୂଜାରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅନ୍ଧବିଶ୍ୱାସ ଏପରି ଏକ ଜିନିଷ ଯାହା କି ଥରେ ମନରେ ପସିଲେ ଅନେକଙ୍କ ଜୀବନ ନଷ୍ଟ କରି ଛାଡେ।ଅନ୍ଧବିଶ୍ୱାସ ବସବତି ହୋଇଥିବା ବ୍ୟକ୍ତି ନିଜ ସହ ଅନ୍ୟମାନଙ୍କ ପାଇଁ ବିପଦର କାରଣ ହୋଇଥାଏ। ତେବେ ଏହି ଅନ୍ଧବିଶ୍ୱାସ ପାଇଁ ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତି ଯାହା କରିଛନ୍ତି ଆପଣ ଜାଣିଲେ ତାଜୁବ ହୋଇଯିବେ। ଥାମାକାରୋନ ୱାଙ୍ଗପ୍ରିଚା ନାମକ ୬୮ ବର୍ଷିୟ ବୌଦ୍ଧ ସନ୍ନ୍ୟାସୀ ଜଣକ କରତ ସାହାଯ୍ୟରେ ତାଙ୍କ ଗଳା କାଟିଦେଇଛନ୍ତି। ଥାମାକାରୋନଙ୍କ ମନରେ ଭୁଲ ଧାରଣା ବସାବାନ୍ଧିଥିଲା ଯେ ଯଦି ସେ ତାଙ୍କ ମୁଣ୍ଡ କାଟି ଦିଅନ୍ତି, ତେବେ ସେ ଭଗବାନ ଭାବରେ ଅବତାରିତ ହେବେ।

ଏପ୍ରିଲ୍ ୧୫ ତାରିଖରେ ଏହି ଘଟଣା ଘଟିଥିବାର ରିପୋର୍ଟରେ ଦର୍ଶାଯାଇଛି। ଥାଇଲ୍ୟାଣ୍ଡର ନୋଙ୍ଗ ବୁଆ ଲମ୍ଫୁ ପ୍ରଦେଶରେ ଥିବା ଏକ ମନ୍ଦିରରେ ଥାମାକାରୋନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଥାମାକାରୋନ ୱାଟ ଫୁ ହିନ୍ ମନ୍ଦିରରେ ପୁରୋହିତ ଥିଲେ। ସେ ଏକ ବଡ଼ କରତ ସାହାଯ୍ୟରେ ମନ୍ଦିର ପରିସରରେ ନିଜ ଗଳା କାଟିଦେଇଥିବାର ଜଣାପଡିଛି। ତାଙ୍କୁ ଲାଗୁଥିଲା ଯେ ସେ ନିଜକୁ ବଳି ଦେଇ ଭଗବାନ ହୋଇପାରିବେ। ତେବେ ସ୍ଥାନୀୟ ଲୋକଙ୍କ ଅନୁଯାୟୀ ପୁରୋହିତ ଗତ ପାଞ୍ଚ ବର୍ଷ ଧରି ଏହି ରୀତିନୀତି ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏ ବିଷୟରେ ପୂର୍ବରୁ ଅନେକ ଲୋକଙ୍କୁ ସୂଚନା ମଧ୍ୟ ଦେଇଥିଲେ। ସମସ୍ତେ ଭାବୁଥିଲେ ପୁରୋହିତ ଥଟ୍ଟା କରୁଛନ୍ତି। ସେ ପ୍ରକୃତରେ ଏହା କରିବେ ବୋଲି କେହି ଆଶା କରିନଥିଲେ। ଯେତେବେଳେ ଥାମାକାରୋନଙ୍କ ମୃତଦେହ ମିଳିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ତେବେ ଥାମାକାରୋନଙ୍କ ଶବକୁ ପ୍ରଥମେ ତାଙ୍କ ପୁତୁରା ଦେଖିଥିଲେ। ତାଙ୍କ ରକ୍ତ ଜୁଡୁବୁଡୁ ଶବ ପାଖରେ ରହିଥିବା ଏକ ଚିଠିରୁ ଘଟଣା ବିଷୟରେ ସମସ୍ତ କଥା ଜାଣି ହୋଇଥିଲା।

  ସେଥିରେ ଥାମାକାରୋନ ଲେଖିଥିଲେ ଯେ, ସେ ଗତ ପାଞ୍ଚ ବର୍ଷ ଧରି ଏହି ରୀତିନୀତି ପାଇଁ ପ୍ରସ୍ତୁତ ହେଉଥିଲେ। ମୃତ୍ୟୁ ପରେ, ସେ ବର୍ତ୍ତମାନ ଈଶ୍ୱରଙ୍କ ଅବତାରରେ ଜନ୍ମ ହେବେ। ଗତ ୧୧ ବର୍ଷ ଧରି ଥାମାକାରୋନ ମନ୍ଦିରରେ ପୁରୋହିତ ଭାବେ କାର୍ଯ୍ୟ କରି ଆସୁଥିଲେ। ତେବେ ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ୩୦୦ରୁ ଅଧିକ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ ମନ୍ଦିର ପରିସରରେ ବୋଲି ଜଣାପଡ଼ିଛି। ତେବେ ଏହିଭଳି ଘଟଣାଟି ଅନେକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଅନ୍ଧବିଶ୍ବାସର କରୁଣ ପରିଣତି ବିଷୟରେ ସୂଚାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: