ଭାରତରେ ଦୁନିଆର ସବୁଠୁ ଲମ୍ୱା ରେଲୱେ ବ୍ରିଜ୍, ଜାଣନ୍ତୁ କେଉଁଠି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗୁଜରାଟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟ୍ଟେଲଙ୍କ ବିଶ୍ୱର ସବୁଠୁ ବ଼ଡ଼ ପ୍ରତିମୂର୍ତ୍ତି ଗଢ଼ା ହେବାପରେ ଭାରତ ଆଉ ଏକ ରେକର୍ଡ କରିବାକୁ ଯାଉଛି। ମଣିପୁରରେ ଦୁନିଆର ସବୁଠୁ ବଡ଼ ରେଲୱେ ବ୍ରିଜ ନିର୍ମାଣ ହେବ। ଏହାକୁ ଭାରତର ସବୁଠୁ ବଡ଼ ଉପଲବ୍ଧି କୁହାଯାଉଛି। ନର୍ଥଇଷ୍ଟ ଫ୍ରଣ୍ଟିୟର ରେଲୱେ (ଏନ୍ଏଫ୍ଆର)ର ଜଣେ ପ୍ରବକ୍ତା କହିଛନ୍ତି ଯେ, ଏହି ବ୍ରିଜଟି ୧୧୧ କିଲୋମିଟର ଲମ୍ୱ ବିଶିଷ୍ଟ ଜିରିବାମ୍-ତୁପୁଲ-ଇମ୍ଫାଲ ବ୍ରଡଗେଜ୍ ଲାଇନ ପରିଯୋଜନା ଅଧୀନରେ ନିର୍ମାଣ କରାଯିବ। ତେବେ ଏହି ବ୍ରିଜଟି ମଣିପୁରର ଆଇରିଙ୍ଗ ନଦୀରେ ନିର୍ମାଣ କରାଯିବ। ରେଳ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଏହି ବ୍ରିଜର ଉଚ୍ଚତା ୧୪୧ ମିଟର ରହିବ, ଯାହାକି ଇଉରୋପର ମୋଣ୍ଟେନେଗ୍ରୋରେ ଥିବା ୧୩୯ ମିଟର ଉଚ୍ଚତା ବିଶିଷ୍ଟ ବ୍ରିଜରୁ ଆହୁରି ବଡ଼। ଏହି ବ୍ରିଜ ପାଇଁ ପିଲର ଗୁଡ଼ିକ ନିର୍ମାଣ ସରିଲାଣି। ଏଥିପାଇଁ ପ୍ରାୟ ୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।


ସେହିପରି ଅନୁମାନ କରାଯାଉଛି ଯେ, ଏହି ନୂଆ ବ୍ରଡଗେଜ୍ ଲାଇନ୍ ବ୍ରିଜର ଲମ୍ୱ ପ୍ରାୟ ୭୦୩ ମିଟର ହୋଇପାରେ। ଏଥିରେ ୪୫ଟି ସୁଡ଼ଙ୍ଗ ରହିବ। ଏହାର ଏକ ସୁଡ଼ଙ୍ଗର ଲମ୍ୱ ୧୦.୮୦ କିଲୋମିଟର ହେବ। ପୂର୍ବୋତର ରାଜ୍ୟ ଗୁଡ଼ିକ ମଧ୍ୟରେ ଏହି ସୁଡ଼ଙ୍ଗ ସବୁଠୁ ବଡ଼ ହେବ। ତେବେ ଏହି ବ୍ରିଜ ନିର୍ମାଣ ହେଲାପରେ ବିହାରର କିଷନଗଞ୍ଜ ରାସ୍ତା ଏନଜେପି ଠାରୁ ମଣିପୁର, ମିଜୋରାମ, ମେଘାଳୟ, ସିକ୍କିମ ଓ ନାଗାଲାଣ୍ଡକୁ ଯାତ୍ରା ସହଜ ହୋଇପାରିବ।

Leave a Reply

Your email address will not be published. Required fields are marked *