ଦକ୍ଷ ପରିଚାଳକର ନାଁ ଧୋନି, କ୍ରିକେଟ୍ ଥିଲା ତାଙ୍କର ନିଃଶ୍ଵାସ-ପ୍ରଶ୍ୱାସ: ବିନା ଧୋନିରେ କେମିତି ବଢ଼ିବ ଦଳ?

ଦକ୍ଷ ପରିଚାଳକର ନାଁ ଧୋନି, କ୍ରିକେଟ୍ ଥିଲା ତାଙ୍କର ନିଃଶ୍ଵାସ-ପ୍ରଶ୍ୱାସ: ବିନା ଧୋନିରେ କେମିତି ବଢ଼ିବ ଦଳ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କ୍ରିକେଟର ମହେନ୍ଦ୍ର ସିଂ ଧୋନି। ଟିମ୍ ଇଣ୍ଡିଆର ହିରୋ, ମ୍ୟାଚ୍ ଫିନିସର, ମ୍ୟାଚ୍ ୱିନର ତଥା କ୍ୟାପଟେନ କୁଲ୍ ଶେଷରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି। ୨୦୦୪ରୁ ୨୦୨୦ କ୍ରିକେଟ୍ ଜଗତରେ ଏକ ଲମ୍ବା ସଫର। ସ୍ୱାଧୀନତା ଦିବସରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥିଲେ । ଏବେ ଅବସର ନେବାର ଠିକ୍ ସମୟ । ପୂର୍ବରୁ ଯେଉଁ ବାକ୍ୟ କହି ଆସୁଥିଲେ ଠିକ୍ ସମୟରେ ନେବେ ଠିକ୍ ନିଷ୍ପତ୍ତି, ତାହା କରି ଦେଖାଇଲେ ମାହି। ଅଗଷ୍ଟ ୧୫, ସନ୍ଧ୍ୟା ୭ଟା ୨୯ରେ କ୍ରିକେଟ୍ କ୍ୟାରିୟରରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ। ପ୍ରଶଂସକ ମନରେ ଏମିତି ପ୍ରଶ୍ନ ଉଙ୍କି ମାରିଲା, ମାହି ଭାଇ କ’ଣ ସତରେ ଆଉ ମଇଦାନରେ ଦେଖାଦେବେନି। ୨୦୧୧ ବିଶ୍ୱକପ୍, ୱାଙ୍ଖଡେ ଷ୍ଟାଡିୟମରେ କୁଳଶେଖରାଙ୍କ ବଲକୁ ଛକାମାରି ବିଶ୍ୱକପ୍ ବିଜୟୀ କରାଇଥିବା କ୍ୟାପଟେନ୍ କୁଲଙ୍କ କ୍ରିକେଟ୍ କ୍ୟାରିୟର କଣ ଶେଷ ହେଲା। ହଁ, ଏହା ହିଁ ସତ୍ୟ। ଦୀର୍ଘ ୧୬ ବର୍ଷର କ୍ୟାରିୟରକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ରିକେଟକୁ ଅଲବିଦା କହିଛନ୍ତି ଧୋନି।


ଯେମିତି ଫିଗର, ସେମିତି ଷ୍ଟ୍ରୋକ୍, ନିର୍ଧୂମ ପ୍ରହାର। ମଇଦାନରେ ଚୌକା ଓ ଛକାର ବର୍ଷା। ୨୦୦୫ ପାକିସ୍ତାନ ବିପକ୍ଷ ମ୍ୟାଚରେ ୧୪୮ ରନର ଧୂଆଁଧାର ଇନିଂସ ସତର୍କ ଘଣ୍ଟି ବଜାଇଥିଲେ ମାହି। ଆଗକୁ ମାଡ଼ି ଚାଲିଥିଲେ ସେ। ସଫଳତାର ସିଡି ଚଢ଼ି ମାତ୍ର କମ୍ ସମୟରେ ଅଧିନାୟକ ଦାୟିତ୍ୱ ନେଇଥିଲେ। ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍, ୨୦୧୧ରେ ICC ବିଶ୍ୱକପ୍ , ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ହାସଲ କରି ଦେଶ ପାଇଁ ଗୌରବ ଆଣିଥିଲେ। ବିଶ୍ୱର ଏକମାତ୍ର କ୍ୟାପଟେନ୍ ଭାବେ ICCର ସମସ୍ତ ଫର୍ମାଟରେ ବିଶ୍ୱକପ୍ ହାସଲ କରିଥିଲେ ମାହି। ବିଶ୍ୱକପ୍ ସମେତ ଏସିଆ କପ୍, ଦେଶ ବିଦେଶରେ ଟେଷ୍ଟ ମ୍ୟାଚ୍ ଜିତି ନିଜର ଦବାଦବା ଜାହିର କରିଥିଲେ। ବିଶ୍ୱ କ୍ରିକେଟରେ ସେ ଜଣେ ସଫଳ ଅଧିନାୟକ।
ଧୋନିଙ୍କ ପାଇଁ ଭାରତ ଆଜି ନମ୍ବର ୱାନ୍ ଟିମ୍। ତେବେ, ଅନେକଙ୍କ ମନରେ ଏମିତି ପ୍ରଶ୍ନ ଆସେ ସବୁଠୁ ବରିଷ୍ଠ, ଧୂଆଁଧାର, ମ୍ୟାଚ୍ ୱିନରଙ୍କ ଅବସର ପରେ ଟିମ୍ ଇଣ୍ଡିଆର ଭବିଷ୍ୟତ କ’ଣ। ଆସନ୍ତା ଦିନରେ ଟିମ୍ ଇଣ୍ଡିଆ ଏହି ସଫଳତା ବଜାୟ ରଖିପାରିବ କି ? ବିଦେଶରେ ପରଫରମାନ୍ସ କ’ଣ ରହିବ ଽ ବଡ଼ ବଡ଼ ଟିମକୁ ମୁକାବିଲା କରିବାରେ ଦଳ ସକ୍ଷମ ହେବ କି ?


ଟିମ୍ ଇଣ୍ଡିଆର ସଫଳତମ ଅଧିନାୟକ ମଧ୍ୟରେ ଧୋନିଙ୍କ ନାଁ ଆଗ ଆସେ। ତେବେ, ବର୍ତ୍ତମାନର ଅଧିନାୟକ କୋହଲି ଅଧିକ ମ୍ୟାଚରେ ପ୍ରତିନିଧିତ୍ୱ କରିନାହାନ୍ତି ସତ କିନ୍ତୁ ବିଜୟୀ ପ୍ରତିଶତରେ ଧୋନିଙ୍କ ଠାରୁ ସାମାନ୍ୟ ଆଗରେ ଅଛନ୍ତି। ଧୋନି ୬୦ଟି ଟେଷ୍ଟରୁ ୨୭ଟିରେ ଦଳକୁ ବିଜୟୀ କରାଇଛନ୍ତି। ୧୮ଟିରେ ପରାସ୍ତ ହୋଇଥିବା ବେଳେ ୧୫ଟି ଡ୍ର ରହିଛି। ସେପଟେ, କୋହଲି ୫୫ଟି ଟେଷ୍ଟରୁ ୩୩ଟିରେ ଦଳକୁ ବିଜୟୀ କରାଇଛନ୍ତି। ରାହାଣେଙ୍କ ଅଧିନାୟକତ୍ୱରେ ଦଳ ୨ଟି ଟେଷ୍ଟ ଖେଳି ବିଜୟୀ ହୋଇଛି। ତେଣୁ ଧୋନିଙ୍କ ଅନୁପସ୍ଥିତିରେ ଟେଷ୍ଟ କ୍ରିକେଟରେ ଦଳ ଉନ୍ନତ ପ୍ରଦର୍ଶନ କରିବା କ୍ଷମତା ରଖିଛି। କାରଣ ଦୀର୍ଘଦିନ ଧରି ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ ମାହି। ସେହିପରି, ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦ ଦିନିକିଆ ମ୍ୟାଚ୍ ଖେଳି ୧୧୦ଟିରେ ବିଜୟୀ ହୋଇଥିବା ବେଳେ ୭୪ଟିରେ ପରାସ୍ତ ହୋଇଛି। ତାଙ୍କ ଦିନିକିଆ ବିଜୟ ପ୍ରତିଶତ ରହିଛି ୫୯.୫୨। ବର୍ତ୍ତମାନର ଅଧିନାୟକ ତଥା ରନ୍ ମେସିନ୍ କୋହଲି ୮୯ଟି ମୁକାବିଲା ମଧ୍ୟରୁ ୬୨ଟିରେ ଦଳକୁ ବିଜୟୀ କରାଇଛନ୍ତି। ୨୪ଟିରେ ଦଳ ପରାସ୍ତ ହୋଇଥିବା ବେଳେ ୱିନିଂ ପର୍ସେଣ୍ଟେଇଜ୍ ରହିଛି ୭୧.୮୩। ରାହାଣେ ସମସ୍ତ ୩ଟି ମ୍ୟାଚରେ ଦାୟିତ୍ୱ ନେଇ ଟିମକୁ ଜିତାଇଥିବା ବେଳେ ରୋହିତ ଶର୍ମା ୧୦ଟି ମ୍ୟାଚରୁ ଭାରତକୁ ୮ଟିରେ ବିଜୟର ସ୍ୱାଦ ଚଖାଇଛନ୍ତି। ଫଟାଫଟ୍ କ୍ରିକେଟ୍ ଟି-ଟ୍ୱେଣ୍ଟିରେ କ୍ୟାପଟେନ୍ କୁଲଙ୍କ କ୍ୟାପଟେନସିପରେ ଭାରତ ଖେଳିଛି ୭୨ଟି ମ୍ୟାଚ୍। ଟିମ୍ ଇଣ୍ଡିଆ ୪୧ଟିରେ ବିଜୟୀ ହୋଇଥିବା ବେଳେ ୨୮ଟିରେ ପରାସ୍ତ ହୋଇଛି। ୨୦୦୭ରେ ବିଶ୍ୱକପ୍ ବିଜୟୀ ହୋଇଥିବା ଭାରତ କିନ୍ତୁ ୨୦୧୪ ଫାଇନାଲ୍ ଓ ୨୦୧୬ ସେମିଫାଇନାଲରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା। ସେପଟେ, କୋହଲି ଏଯାଏ ୩୭ଟି ମୁକାବିଲାରେ ନେତୃତ୍ୱ ନେଇ ୨୨ଟିରେ ଦଳକୁ ବିଜୟୀ କରାଇଛନ୍ତି। ୧୧ଟିରେ ଦଳ ପରାସ୍ତ ହୋଇଛି। ଧୋନିଙ୍କ ବିଜୟ ପ୍ରତିଶତ ୫୯.୨୮ ଥିବାବେଳେ କୋହଲିଙ୍କ ବିଜୟ ପ୍ରତିଶତ ରହିଛି ୬୫.୭୧। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଖେଳିଥିବା ୨୦ ମ୍ୟାଚ୍ ମଧ୍ୟରୁ ୧୬ଟିରେ ବିଜୟୀ ହୋଇଛି।

ଏବେ ପ୍ରଶ୍ନ ଉଠୁଛି ବରିଷ୍ଠ ତଥା ସଫଳତମ କ୍ରିକେଟର ଧୋନିଙ୍କ ଅନୁପସ୍ଥିତିରେ ଦଳ ଦେଶ ଓ ବିଦେଶରେ କେମିତି ବିଜୟୀ ହେବ। କ’ଣ ରହିବ ଟିମର ରଣକୌଶଳ। କୋଚ୍, ସିଲେକ୍ସନ କମିଟି, BCCI, ଅଧିନାୟକ ଓ ଖେଳାଳିଙ୍କ ମଧ୍ୟରେ କି ପ୍ରକାର ସମ୍ପର୍କ ରହିବି। କେମିତି ସେମାନେ ଶକ୍ତିଶାଳୀ ଟିମକୁ ପରାସ୍ତ କରିବେ। କାରଣ ଖେଳାଳିଙ୍କ ମଧ୍ୟରେ ସମ୍ପର୍କର ଅଭାବ ରହିଲେ ଏହା ଟିମ୍ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ। ପୂର୍ବରୁ ରୋହିତ ଶର୍ମା ଓ କୋହଲିଙ୍କ ମଧ୍ୟରେ କିଛିଟା ମତଭେଦ ଥିବା ଖବର ବି ସାମ୍ନାକୁ ଆସିଛି। ତେଣୁ ବିଜୟୀ ପାଇଁ ଏକାଠି ଲଢ଼ିବାକୁ ପଡ଼ିବ। ବିପକ୍ଷ ଟିମକୁ ମୈଦାନରେ ପରାସ୍ତ କରିବାକୁ ହେବ। ଏଥିପାଇଁ ଟିମ୍ ୟୁନିଟି, ଟିମ୍ ସ୍ପିରିଟ୍ ଆବଶ୍ୟକ। ଆଶା କରାଯାଏ ଆସନ୍ତା ଦିନରେ ଟିମ୍ ଇଣ୍ଡିଆ ବିଜୟ ଧାରାକୁ ଅବ୍ୟାହତ ରଖିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: