ଆସାମ-ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ବୈଜୟନ୍ତଙ୍କ ହସ !

ଆସାମ-ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ: ବୈଜୟନ୍ତଙ୍କ ହସ !

ପ୍ରିଜମ୍ ନ୍ୟୁଜ (EXCLUSIVE):କିଛିଦିନ ପୂର୍ବରୁ ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ସବୁ ରାଜ୍ୟ ଅପେକ୍ଷା ଏଥର ସବୁଠୁ ରୋମାଞ୍ଚ ଥିଲା ପଶ୍ଚିମବଙ୍ଗ ନିର୍ବାଚନ। ଟିଏମସିର ଦୃଢ଼ୋକ୍ତି ବନାମ ବିଜେପିର ଯେଉଁ ଦମ୍ଭୋକ୍ତି ରାଜନୀତି ଦୁନିଆ ଦେଖିଲା, ସେଥିରୁ ଅନେକ କିଛି ଶିଖିବାକୁ ମିଳିଛି। ମାତ୍ର ଦୁଇଟି ଆସନରୁ ବିଜେପିକୁ ୭୭ ଆସନ ଏବଂ ଟିଏମସି ୨୧୩ ଆସନ, ସବୁ ଗଣିତକୁ ଭୁଲ ପ୍ରମାଣିତ କରି ଦେଇଥିଲା। ସେହିପରି ଏହି ନିର୍ବାଚନରେ ଆଉ ଏକ ରାଜ୍ୟ ଥିଲା, ଯାହାର ନିର୍ବାଚନ ଫଳାଫଳ ସେତେଟା ଚର୍ଚ୍ଚିତ ନ ହୋଇଥିଲେ ବି ଗେରୁଆ ଦଳ ପାଇଁ ବେଶ୍ ମାଇନା ରଖିଥିଲା। ଆଉ ବିଜେପିର ଇଜ୍ଜତ ବଞ୍ଚାଇବାକୁ ଯିଏ ମୁଖ୍ୟ ପୁରୋଧ ସାଜିଥିଲେ, ସିଏ ହେଉଛନ୍ତି ଓଡ଼ିଶାର ଅନ୍ୟତମ ଏଲିଟ୍ ଲିଡର୍ ବୈଜୟନ୍ତ ପଣ୍ଡା। ଦଳ ତାଙ୍କୁ ଦୀର୍ଘଦିନ ଧରି କୌଣସି ଗୁରୁଦାୟିତ୍ୱ ଦେଇ ନ ଥିଲା। କିନ୍ତୁ, ଆସାମ ନିର୍ବାଚନ ପୂର୍ବରୁ ବୈଜୟନ୍ତଙ୍କୁ ଦଳ ସେଠାକାର ପ୍ରଭାରୀ କରିବା ସହ ନିର୍ବାଚନ ଦାୟିତ୍ୱ ବି ଦେଇଥିଲା। ଏହା ଥିଲା ଗେରୁଆ ହେବା ପରେ ବୈଜୟନ୍ତଙ୍କ ପ୍ରଥମ ପରୀକ୍ଷା। ଦଳ ସିନା ଦାୟିତ୍ୱ ଦେଇଥିଲା, କିନ୍ତୁ ବୈଜୟନ୍ତ ଦଳର ସ୍ଥିତି ନେଇ ଭଲଭାବେ ଅବଗତ ଥିଲେ। ତେଣୁ, ପରାଜୟର ସ୍ୱାଦ ଚାଖିବାକୁ ଥିବା ଦଳକୁ ବିଜୟ ତିଳକ ଲଗାଇବାକୁ ବୈଜୟନ୍ତ ନିଜର କେତେକ ଓଡ଼ିଆ ନେତାଙ୍କ ସହ ପ୍ରାଣପଣେ ଉଦ୍ୟମ କଲେ। ଆଉ ସେଥିରେ ସେ ସଫଳ ବି ହେଲେ। ଅବଶ୍ୟ ବିଜେପିର ତିନି ଷ୍ଟାର ମୋଦି-ଶାହ ଓ ନଡ୍ଡା ବିଜୟର ଶ୍ରେୟ ବୈଜୟନ୍ତଙ୍କୁ ଦେଇ ନ ଥିଲେ ବି ଆସାମରେ ବୈଜୟନ୍ତଙ୍କ ପରିଶ୍ରମକୁ ନେଇ ଗେରୁଆ ଶିବିରରେ ଜୋରଦାର ଚର୍ଚ୍ଚା ହେଉଥିଲା। ପ୍ରଥମ ଅଣ କଂଗ୍ରେସ ସରକାର ଭାବେ ବିଜେପି ଲଗାତାର ଦ୍ୱିତୀୟ ଥର ଏଠାରେ କ୍ଷମତାକୁ ଫେରିଛି। ଆଉ ହିମନ୍ତ ବିଶ୍ୱଶର୍ମା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି।

ପରୀକ୍ଷାରେ ପାସ୍, ଆଗକୁ ବଡ଼ ଦାୟିତ୍ୱ ?

ଆସାମ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ବୈଜୟନ୍ତ ପଣ୍ଡାଙ୍କ କାଟତି ଦଳରେ ଖୁବ ବଢ଼ିଯାଇଛି। ୨୦୧୯ ନିର୍ବାଚନ ପୂର୍ବରୁ ଦଳ ତାଙ୍କୁ ସାମିଲ କରି କେନ୍ଦ୍ରାପଡ଼ାରୁ ସାଂସଦ ଟିକଟ୍ ଦେଇଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ସେ ହାରିଥିଲେ। ଏହାପରେ ବେଶ୍ କିଛିଦିନ ପାଇଁ ସେ ଖବରରୁ ଦୂରେଇ ଯାଇଥିଲେ। ଦଳ ଦୀର୍ଘଦିନ ଧରି ଅନ୍ୟ ନେତାଙ୍କ ଭଳି ବୈଜୟନ୍ତଙ୍କୁ ମଧ୍ୟ କୌଣସି ବଡ଼ ଦାୟିତ୍ୱ ଦେଇ ନ ଥିଲା। ସେହିପରି ଜାତୀୟ ରାଜନୀତିରେ ବୈଜୟନ୍ତଙ୍କ ବେଶ୍ ଖ୍ୟାତି ରହିଛି। ପୂର୍ବରୁ ସାଂସଦ ଥିଲାବେଳେ ସେ ଜାତୀୟ ରାଜନୀତିରେ ଯେମିତି ଦବଦବା ରଖିଥିଲେ, ତାହା ଆଜି ବି ପ୍ରତିଫଳିତ ହେଉଛି। ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରୀରେ ସଫଳତା ପାଇବା ପରେ ଏବେ ଦଳ ପୂରାପୂରି ଓଡ଼ିଶା ଉପରେ ନଜର ରଖିଛି। ଏଥର ଯଦି ପଶ୍ଚିମବଙ୍ଗରେ ଦଳ ସରକାର ଗଠନ କରିଥା’ନ୍ତା, ତେବେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ାଥା’ନ୍ତା। କିନ୍ତୁ, ଦଳକୁ ବିଜୟୀ ପରିବର୍ତ୍ତେ ବିରୋଧୀ ଦଳ ଭାବେ ସନ୍ତୁଷ୍ଟ ହେବାକୁ ପଡ଼ିଲା। କିନ୍ତୁ, ଆସାମ ସଫଳତା ପରେ ବିଜେପି ପାଇଁ ବୈଜୟନ୍ତ ଯେ ଆଉ କେବଳ ଆସେଟ୍ ହୋଇନାହାନ୍ତି, ଏକଥା ସ୍ପଷ୍ଟ। ଆଗକୁ ବଡ଼ ଓଡ଼ିଆ ନେତା ଭାବେ ମଧ୍ୟ ବିଜେପି ତାଙ୍କୁ ସାମିଲ କରିବ ଏବଂ ଓଡ଼ିଶା ରାଜନୀତିରେ ପୁଣି ଥରେ ବୈଜୟନ୍ତଙ୍କ ଦବଦବା ବଢ଼ିବ।

ବାହାରୁ ଆସିଥିବା ନେତାଙ୍କୁ ଅଧିକ ଭରସୁଛି ବିଜେପି ?

ପଶ୍ଚିମବଙ୍ଗ ନିର୍ବାଚନରେ ନନ୍ଦିଗ୍ରାମରେ ମମତାଙ୍କ ବିରୋଧରେ ନିର୍ବାଚନ ଲଢ଼ି ଜାତୀୟ ରାଜନୀତିକୁ ଦୋହଲାଇ ଦେଇଥିଲେ ଶୁଭେନ୍ଦୁ ଅଧିକାରୀ। ଏହାପରେ ମମତାଙ୍କୁ ପରାସ୍ତ କରି ଦଳ ପାଇଁ ବିଶ୍ୱସ୍ତ ନେତା ପାଲଟିବା ସହ ରାଜନୀତି ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିଥିଲେ। ଟିଏମସିରୁ ଆସି ଗେରୁଆ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଭରସା କରି ସଫଳ ହେଲା। ସେହିପରି ଆସାମ ନିର୍ବାଚନ ସମୟରେ ମଧ୍ୟ କଂଗ୍ରେସ, ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ଆଦି ପାର୍ଟିରୁ ଅନେକ ନେତା ବିଜେପି ଶିବିରରେ ସାମିଲ ହୋଇଛନ୍ତି। ଆଉ ଏସବୁ ନେତାଙ୍କୁ ଲଲିପପ୍ ଦେଇ ଦଳରେ ସାମିଲ କରିବା ପଛରେ ପ୍ରଭାବୀ ବୈଜୟନ୍ତଙ୍କ ହାତ ରହିଥିବା ରାଜନୀତି ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଗେରୁଆ ଅବତାର ଧାରଣ କରିବା ପରେ ଦଳ ପାଇଁ ପରୀକ୍ଷା ଦେଇ ପାସ୍ ବି କରିଛନ୍ତି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ଭାବେ ବିଶ୍ୱଶର୍ମାଙ୍କୁ ଦାୟିତ୍ୱ ଦେଇ ବାହାରୁ ଆସୁଥିବା ନେତାଙ୍କ ପାଇଁ ଏକ ବାର୍ତ୍ତା ଦେଇଛି। ଦଳ ପାଇଁ ଯିଏ କାମ କରିବ, ଦଳ ତାକୁ ପୁରସ୍କାର ଦେବ। ୨୦୦୧ରୁ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ହିମନ୍ତ ବିଶ୍ୱଶର୍ମା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଯାଇଥିଲେ। କିନ୍ତୁ ରାହୁଲ ତାଙ୍କୁ ଭେଟିବା ପରିବର୍ତ୍ତେ ନିଜ କୁକୁର ସହ ଖେଳିବାରେ ବ୍ୟସ୍ତ ରହିଲେ। ଏହା ଶର୍ମାଙ୍କୁ ଖୁବ୍ ବାଧିବାରୁ ସେ କଂଗ୍ରେସ ଛାଡ଼ିଥିଲେ ଏବଂ ବିଜେପିର ହାତ ଧରିଥିଲେ। ୨୦୧୬ରେ ଆସାମରେ କଂଗ୍ରେସକୁ ପରାଜିତ କରିବାରେ ମୁଖ୍ୟ ଭୂମିକା ନିଭାଇଥିଲେ ହିମନ୍ତ। ଏହାପରେ ଦଳ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା। ଶର୍ମା ମଧ୍ୟ ଖୁବ୍ ପରିଶ୍ରମ କରି ଦଳକୁ ବିଜୟର ସ୍ୱାଦ ଚଖାଇଥିଲେ। ଏବେ ଆସାମ ଦାୟିତ୍ୱ ନେଇ ବୈଜୟନ୍ତ ପଣ୍ଡା ସାରା ଦେଶ ସମେତ ଓଡ଼ିଶା ରାଜନୀତିରେ ଏକ ନୂଆ ଅଙ୍କ କଷିବାକୁ ବାଧ୍ୟ କରିଛନ୍ତି। ରାଜନୀତି ମହଲରେ ଯାହା ଚର୍ଚ୍ଚା, ଦଳ ବୈଜୟନ୍ତଙ୍କୁ ନିଶ୍ଚିତ ଭାବେ ପରିଶ୍ରମର ମୂଲ୍ୟ ଦେବ।

ପୁରୁଣା ନେତା ନିରାଶ, ବୈଜୟନ୍ତଙ୍କ ମୁହଁରେ ହସ !
ଆସାମ ନିର୍ବାଚନରେ ଦଳକୁ ସଫଳତାର ସ୍ୱାଦ ଚଖାଇ ଏବେ ବୈଜୟନ୍ତ ଦଳ ପାଇଁ ଗୁଡ ବୟ ଆଖ୍ୟା ପାଇଛନ୍ତି। ତେଣୁ, ବୈଜୟନ୍ତଙ୍କ ପ୍ରତି ଦଳର ଏବେ ସକରାତ୍ମକ ନଜର ରହିଛି। ଆଗାମୀ ଦିନରେ ଦଳ ତାଙ୍କୁ ଓଡ଼ିଶାରେ ବଡ଼ ଦାୟିତ୍ୱ ଦେଇପାରେ। ଅନ୍ୟପଟେ ରାଜ୍ୟ ବିଜେପିରେ ଏବେ କେହି ଟାଣୁଆ ନେତା ନାହାନ୍ତି। ପୂର୍ବରୁ ବସନ୍ତ ପଣ୍ଡା ସଭାପତି ଥିବା ସମୟରେ ବି ଦଳ ବିଜେଡିକୁ ଚେକ୍ ଦେଇ ପାରି ନ ଥିଲା। ସମୀର ମହାନ୍ତି ଦାୟିତ୍ୱ ନେବା ପରେ ମଧ୍ୟ ଦଳର ଯଥା ପୂର୍ବଂ ତଥା ପରଂ ସ୍ଥିତି। କେହି ଜଣେ ହେଲେ ବି ବିଜେପିର ସେମିତି ଷ୍ଟ୍ରଙ୍ଗ୍ ଫେସ୍ ନାହାନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟ ରାଜନୀତିରେ ସକ୍ରିୟତା ଓ ଦବଦବା ଯେତିକି ରହିଥିଲେ ବି ବୈଜୟନ୍ତଙ୍କ ତୁଳନାରେ ଅପେକ୍ଷାକୃତ କମ୍। କାରଣ, ବୈଜୟନ୍ତ ହେଉଛନ୍ତି ଏହି ପୋଖରୀରେ ପୁରଣା ଓ ପଖୋତ୍ ମାଛ। ତେଣୁ, ଅପରାଜିତା ଓ ଧର୍ମେନ୍ଦ୍ର ଦଳ ପାଇଁ କାର୍ଯ୍ୟ କଲେ ବି ବୈଜୟନ୍ତଙ୍କୁ ବିଜେପି ଓଡ଼ିଶା ପାଇଁ ବଡ଼ ଦାୟିତ୍ୱ ଦେଇପାରେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: