ବାବୁ ହେବ ତ ଏମିତି, ୧୦ କି.ମି ଚାଲିଚାଲି ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଖେ ପହଞ୍ଚାଇଲେ କୋରୋନା ଟିକା

ବାବୁ ହେବ ତ ଏମିତି, ୧୦ କି.ମି ଚାଲିଚାଲି ଉପାନ୍ତ ଅଞ୍ଚଳରେ ଲୋକଙ୍କ ପାଖେ ପହଞ୍ଚାଇଲେ କୋରୋନା ଟିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିଭିନ୍ନ ସମୟରେ ଆପଣ ଅଧିକାରୀ ମାନଙ୍କର ସ୍ଵଚ୍ଛାଚାରିତା, ଲାଞ୍ଚୁଆ ପ୍ରବୃତ୍ତି ବିଷୟରେ ଶୁଣିଥିବେ। ହେଲେ ଆଜି ଆମେ ଆପଣଙ୍କୁ ଜଣେ ଏପରି ଜିଲ୍ଲାପାଳଙ୍କ ବିଷୟରେ କହୁଛୁ ଯାହାଙ୍କ କାମ ବିଷୟରେ ଜାଣିଲେ ପ୍ରଶଂସା ନକରି ରହି ପାରିବେ ନାହିଁ। ଦେଶରେ କୋରୋନା ମହାମାରୀକୁ ରୋକିବାକୁ ସରକାର ମାଗଣା ଟିକାକରଣ ଅଭିଯାନ ଚାଲୁ କରିଥିବା ବେଳେ ଦେଶର ଏପରି କିଛି ଅଗମ୍ୟ ସ୍ଥାନମାନ ରହିଛି ଯେଉଁଠାରେ ଲୋକମାନେ ଟିକା ଶୀଘ୍ର ପାଇବା କଷ୍ଟସାଧ୍ୟ ହୋଇପାରେ। କାରଣ ସେହି ସ୍ଥାନମାନଙ୍କୁ ଯିବା ପାଇଁ ଯାନବାହାନ ତ ଦୂରର କଥା ଭଲ ରାସ୍ତା ଟିକିଏ ନାହିଁ। ହେଲେ କେତେକ ଦାୟିତ୍ବବାନ ଅଧିକାରୀମାନେ ନିଜେ ଏହି ଅଞ୍ଚଳକୁ ଯାଇ ଲୋକଙ୍କୁ ଟିକାକରଣ କରୁଛନ୍ତି। ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି।
ଆଲିପୁରଦାର ଜିଲ୍ଲା ଡିଏମ ସୁରେନ୍ଦ୍ର କୁମାର ମୀନା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଜଙ୍ଗଲ ଏବଂ ପାହାଡ ଘେରା ଅଞ୍ଚଳରେ ଦଶ କିଲୋମିଟରରୁ ଅଧିକ ରାସ୍ତା ଚାଲି ଚାଲି ଆଦମା ନାମକ ଏକ ଉପାନ୍ତ ଗ୍ରାମରେ ପହଞ୍ଚିଥିଲେ। ଏବଂ ସେଠାରେ ସେ ୪୫ ବର୍ଷରୁ ଅଧିକ ବର୍ଷ ବୟସ୍କଙ୍କୁ ଟିକାକରଣ କରିଥିଲେ। ଡିଏମ ମୀନାଙ୍କର ସେହି ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ସୁରକ୍ଷା କର୍ମୀ ଏବଂ ଅଧିକାରୀଙ୍କ ସହ ପାହାଡ ଅଞ୍ଚଳ ଦେଇ ଗାଁ ଆଡକୁ ଯାଉଛନ୍ତି।
ଶନିବାର ଦିନ ସେ ଗଣମାଧ୍ୟମକୁ କହିଛନ୍ତି ଯେ ଆଦମା ଏକ ଅତି ଦୂର ପାହାଡ ଗାଁ। ମୁଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସହ ସେଠାକୁ ଚାଲି ଚାଲି ପହଞ୍ଚିଥିଲୁ। ଯାହା ଦ୍ଵାରା ସେଠାରେ ରହୁଥିବା ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟୀକାକରଣ ପାଇଁ ଟିକାକରଣ କେନ୍ଦ୍ରକୁ ଆସିବାକୁ ପଡିବ ନାହିଁ। ଟିକାକରଣ କେନ୍ଦ୍ର ଗାଁଠାରୁ ବହୁତ ଦୂରରେ। ସେ କହିଛନ୍ତି ଯେ, ଟିକାକରଣ ପରେ ଆମେ ଗାଁର ଗ୍ରାମବାସୀଙ୍କ ମଧ୍ୟରେ ମାସ୍କ ଏବଂ ସାନିଟାଇଜର ମଧ୍ୟ ବଣ୍ଟନ କରିଛୁ। ତେବେ ସୋସିଆଲ ମିଡିଆରେ ଡିଏମ ମୀନାଙ୍କର ଏହି ଭିଡ଼ିଓ ଓ ଫଟୋ ବହୁ ମାତ୍ରାରେ ଭାଇରାଲ ହେବା ସହ ଲୋକ କହୁଛନ୍ତି କଲେକ୍ଟର ହେବ ତ ଏମିତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: