ଥାନାରେ ଅଭିଯୁକ୍ତଙ୍କୁ ମିଳୁଛି ଉପହାର, କ’ଣ ଦେଉଛନ୍ତି ଥାନା ବାବୁ…


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗଣ୍ଡଗୋଳ, ମାଡପିଟ୍ ବା କିଛି ଅଘଟଣ ଘଟିଲେ ଲୋକମାନେ ପୋଲିସ ଥାନାକୁ ଯାଇ ଅଭିଯୋଗ କରିଥାନ୍ତି । ସେଠି ପୋଲିସ ଅଭିଯୋଗ ଖଣ୍ଡେ ଲେଖି ସେମାନଙ୍କୁ ଛାଡ଼ି ଦିଏ, ନଚେତ୍ ଅତୀରୁ ଅତି ହେଲେ କାହାକୁ ଠେଙ୍ଗେ ଅଧେ ଦେଇ ହାଜତରେ ପୁରାଏ। ହେଲେ ମୀରଠର ନୌଚନ୍ଦି ପୋଲିସ ଷ୍ଟେସନରେ ଏକ ନିଆରା ଘଟଣା ଦେଖିବାକୁ ମିଳୁଛି। ଏଠାକୁ ଆସୁଥିବା ଅଭିଯୋଗକାରୀଙ୍କ ମଥାରେ ‘ତିଲକ’ ଲଗାଯିବା ସହ ପାଣି ସିଞ୍ଚନ କରାଯାଇ ସେମାନଙ୍କୁ ଶୁଦ୍ଧ କରାଯାଉଛି। କେବଳ ସେତିକି ନୁହେଁ ଗଲା ବେଳେ ଉପହାର ଭାବେ ‘ଗଙ୍ଗାଜଳ’ର ଏକ ବୋତଲ ମଧ୍ୟ ଦିଆଯାଇଛି। ଏନେଇ ଷ୍ଟେସନ ହାଉସ ଅଫିସର (SHO) ପ୍ରେମ ଚାନ୍ଦ ଶର୍ମା କହନ୍ତି ଯେ, ସେ ଭକ୍ତି ସହିତ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବାରେ ବିଶ୍ୱାସ କରନ୍ତି । ମୋର ଏହି ପ୍ରୟାସ ସଫଳ ହେଉଥିବା ଜାଣି ମତେ ବହୁତ ଖୁସି ଲାଗୁଛି । ଲୋକମାନେ ବଦଳିବା ସହ ସ୍ଥାନୀୟ ଅଞ୍ଚଳରେ ବହୁତ କମ୍ ଅପରାଧ ଘଟୁଛି । ସେମାନେ ଏଠାକୁ ଆସି ଶାନ୍ତିରେ ଅଭିଯୋଗ କରୁଛନ୍ତି। ସମଗ୍ର ନୌଚନ୍ଦି ଅଞ୍ଚଳ ଶାନ୍ତ ହୋଇଯାଇଛି ବୋଲି ସେ କୁହନ୍ତି।
ଏହାସହ କହିଛନ୍ତି ଯେ, ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ହୋଲି ଉପହାର ସ୍ୱରୂପ ଶର୍ମା ସେଠାକୁ ଆସୁଥିବା ସମସ୍ତ ଲୋକଙ୍କୁ ‘ଗଙ୍ଗାଜଳ’ ବୋତଲ ଦେବା ସହ ସେମାନଙ୍କୁ ମଦ୍ୟପାନରୁ ଦୂରେଇ ରହିବାକୁ ଅନୁରୋଧ କରିଥିଲେ।
ସେ କହିଛନ୍ତି, ସମାଜରେ ହୋଲି ପର୍ବ ସହିତ ଜଡିତ ବିଭ୍ରାଟକୁ ଦୂର କରିବା ପାଇଁ ଏହା ଏକ ପ୍ରୟାସ। ତେବେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ସେମାନେ SHOଙ୍କ ଏହି କାର୍ଯ୍ୟକଳାପ ବିଷୟରେ କିଛି ଜାଣନ୍ତି ନାହିଁ। ପୋଲିସ ଅଧୀକ୍ଷକ ଭିନେଟ ଭଟ୍ଟନାଗର କହିଛନ୍ତି, ପ୍ରତ୍ୟେକ ପୋଲିସ ଷ୍ଟେସନରେ ସାନିଟାଇଜର ରଖାଯାଇଛି। ହେଲେ ଏଥିପାଇଁ କାହିଁକି ଗଙ୍ଗାଜଳ ବ୍ୟବହୃତ ହେଉଛି ମୁଁ ଜାଣେ ନାହିଁ। ମୁଁ ଏହି ବିଷୟରେ ଅବଗତ ନୁହେଁ।

%d bloggers like this: