କୋଟିପତି ଡ୍ରାଇଭର, ଚଢ଼ାଉ ବେଳେ ଟଙ୍କା ଦେଖି ଉଡ଼ିଗଲା ଆୟକର ବିଭାଗର ହୋସ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚେନ୍ନାଇରେ ଡ୍ରାଇଭରଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଜଣେ ଡ୍ରାଇଭର ଘରେ ଏତେ ପରିମାଣର ଟଙ୍କା ଦେଖିବା ଆୟକର ବିଭାଗର ଅଧିକାରୀ ଚକିତ । ଲକ୍ଷ କି ଦୁଇ ଲକ୍ଷ ନୁହେଁ, ଏକ କୋଟି ଟଙ୍କା ଜବତ କରାଯାଇଛି ଉକ୍ତ ଡ୍ରାଇଭରଙ୍କ ଘରୁ । AIADMK ବିଧାୟକ ଆର. ଚନ୍ଦ୍ରଶେଖର (R Chandrashekhar)ଙ୍କ ଡ୍ରାଇଭର ଅଲଗରାସାମୀଙ୍କ ଘରେ ଚଢ଼ାଉ କରି ଆୟକର ବିଭାଗ (ଇନକମ୍ ଟ୍ୟାକ୍ସ)ର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍ଆଇଟି) ଏକ କୋଟି ଟଙ୍କା ଜବତ କରିଛି । ସୋମବାର ସକାଳେ ଏହି ଚଢ଼ାଉ କରିଥିଲା । ଚନ୍ଦ୍ରଶେଖର ତାମିଲନାଡୁର ତ୍ରିଚି ଜିଲ୍ଲାର ମନପ୍ପରାଇ ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି ।
ଅଲଗରାସାମୀ ଗତ ୯ ବର୍ଷ ଧରି ବିଧାୟକଙ୍କ ସହ କାର୍ଯ୍ୟ କରିଆସୁଥିଲେ । ଏବଂ ଆଇଟି ଅଧିକାରୀ କହିଛନ୍ତି ଯେ, ବିପୁଳ ପରିମାଣରେ ୫୦୦ ଟଙ୍କିଆ ନୋଟ୍ ଜବତ କରାଯାଇଛି । କୋଭିଲପାଟ୍ଟି ଗାଁର ଥାଙ୍ଗାପଣ୍ଡି ଏବଂ ମୁରୁଗନନ୍ଦମ୍ ଠାରେ ବିଧାୟକଙ୍କ ଅନ୍ୟ ଦୁଇ ସହଯୋଗୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା।
୨୦୦୮ ମସିହାରୁ ମନପ୍ପରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିବା ପରେ ଚନ୍ଦ୍ରଶେଖର ଏଠାରେ ପୁନର୍ବାର ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦାବି କରୁଛନ୍ତି। ମଣିଥାନାୟା ମକ୍କାଲ କାଚି (MKM)ର ରାଜ୍ୟ ସାଧାରଣ ସମ୍ପାଦକ ପି. ଅବଦୁଲ ସମାଦ, ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ନିର୍ବାଚନ ତାରିଖ ଘୋଷଣା ପର ଠାରୁ ତାମିଲନାଡୁର ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ କରାଯାଇଛି। ଆୟକର (Income Tax) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଧିକାରୀମାନେ ୧୫ ମାର୍ଚ୍ଚରେ ମକ୍କାଲ ନିଧି ମାୟାମ କୋଷାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଏବଂ ବାସଭବନରୁ ୧୧.୫ କୋଟି ନଗଦ ଟଙ୍କା ଜବତ କରିଥିଲେ।
ତାମିଲନାଡୁରେ ଏପ୍ରିଲ ୬ ତାରିଖରେ ବିଧାନସଭାର ୨୩୪ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ମେ ୨ ତାରିଖରେ ଭୋଟ୍ ଗଣତି କରାଯିବ। ଏହିଥର କେବଳ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି । କରୋନା ଗାଇଡଲାଇନକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ମତଦାନ ସମୟ ମଧ୍ୟ ଏକ ଘଣ୍ଟା ବୃଦ୍ଧି କରାଯାଇଛି |

%d bloggers like this: