ଏବେ ହେବନି ପୌର ନିର୍ବାଚନ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏବେ ହେବନି ପୌର ନିର୍ବାଚନ। ବିଧାନସଭାରେ ଏଭଳି ଇସାରା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏଭଳି ଆଭାସ ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତର ଅନୁସାରେ, ହାଇକୋର୍ଟଙ୍କ ସ୍ଥଗିତାଦେଶ ପରେ ରାଉରକେଲା ଓ ସମ୍ୱଲପୁରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇନି। ଅନ୍ୟ ୩ଟି ମହାନଗରରେ ପ୍ରଚଳିତ ନିୟମରେ ସଂଶୋଧନ ପରେ ପଦକ୍ଷେପ ନିଆଯିବ। ଆବଶ୍ୟକ ସଂଶୋଧନ ପରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ହୋଇଥାନ୍ତା। କୋଭିଡ୍‌ ଯୋଗୁ ସଂଶୋଧନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ନିୟମରେ ସଂଶୋଧନ ପରେ ପୌର ନିର୍ବାଚନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ଓଡ଼ିଶାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଓ ମହାନଗର ନିଗମକୁ ମିଶାଇ ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ରହିଛି । ଏଥିମଧ୍ୟରୁ ନୂଆକରି ଗଠନ କରାଯାଇଥିବା କେବଳ ୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚିତ ପ୍ରତିନିଧି ଥିବା ବେଳେ ଅନ୍ୟ ୧୧୦ଟିରେ ଦୀର୍ଘବର୍ଷ ତଳୁ କାଉନ୍‍ସିଲର୍‍, କର୍ପୋରେଟର୍‍, ମେୟର, ଡେପୁଟୀ ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଆଦି ନାହାନ୍ତି । ଏମାନଙ୍କ ଅନୁପସ୍ଥିତିରେ ପ୍ରାଶାସନିକ ଅଧିକାରୀମାନେ ଏହି ନଗର ଉନ୍ନୟନ ସଂସ୍ଥାଗୁଡ଼ିକ ଚଳାଉଛନ୍ତି । ଫଳରେ ସାଧାରଣ ଲୋକେ ଅଭାବ ଅସୁବିଧା ଜଣେଇବା ପାଇଁ ନାକେଦମ୍‍ ହେଉଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟିରେ ଅଭିଯୋଗ ଜଣାଇବାକୁ ଥିବା ହେଲ୍ପଲାଇନ୍‍ ନମ୍ବରକୁ ଅନେକ ସ୍ଥଳରେ ଅଚଳ ଷ୍ଟ୍ରୀଟ୍‍ ଲାଇଟ୍‍ ଜଳାଇବା ପାଇଁ ବାରମ୍ବାର ଅଭିଯୋଗ କଲେ ବି ବିଶେଷ କିଛି ଫଳ ହେଉନାହିଁ । ଅନ୍ୟାନ୍ୟ ପୌରସେବା କ୍ଷେତ୍ରରେ ବି ଅନୁରୂପ ସମସ୍ୟା । ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ପାଇଁ ଓଡ଼ିଶାରେ ସାମ୍ବିଧାନିକ ଓ ଆଇନ୍‍ଗତ ବ୍ୟବସ୍ଥା ନ ଥିବା ଏବଂ ଏହି ପ୍ରସଙ୍ଗରେ ବିଭିନ୍ନ ଆଇନ୍ ଅଦାଲତ ବାରମ୍ବାର ସ୍ପଷ୍ଟ ରାୟ ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାର ପୌର ସଂସ୍ଥାଗୁଡ଼ିକ ଲାଗି ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ରଖିବା ଯୋଗୁ ଏକପ୍ରକାର ବିଶୃଙ୍ଖଳା ଉପୁଜିଛି। ୬୫ ପ୍ରତିଶତରୁ ଊର୍ଦ୍ଧ୍ୱ ସ୍ଥାନ ସଂରକ୍ଷଣ ଆଳରେ ୱାର୍ଡଗୁଡ଼ିକର ସଂରକ୍ଷଣ କରାଯିବାରୁ ଏହା ବିରୁଦ୍ଧରେ ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇ ଚୂଡ଼ାନ୍ତ ରୂପ ନେଇଥିଲେ ମଧ୍ୟ ପୌର ସଂସ୍ଥାଗୁଡ଼ିକର ତ୍ରୁଟିପୂର୍ଣ୍ଣ ୱାର୍ଡ ସଂରକ୍ଷଣ ବ୍ୟବସ୍ଥାରେ ଏଯାବତ୍‍ ସଂଶୋଧନ ହୋଇନାହିଁ। ଫଳରେ ୧୧୦ଟି ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧି ନ ଥିବାରୁ ଏଗୁଡ଼ିକରେ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ବଢ଼ିଛି।

%d bloggers like this: