କଂଗ୍ରେସମୁକ୍ତ ଦାକ୍ଷିଣାତ୍ୟ: ରାଷ୍ଟ୍ରପତି ଶାସନରେ ହେବ ପୁଡୁଚେରୀ ନିର୍ବାଚନ

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଅନେକ ପ୍ରୟାସ କରି ଦକ୍ଷିଣାତ୍ୟର କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ କଂଗ୍ରେସ ସରକାରର ପତନ ଘଟାଇଲା ବିଜେପି। ଭି. ନାରାୟଣସ୍ୱାମୀ ସରକାରର ପତନ ପରେ ଦକ୍ଷିଣ ଭାରତରେ ଏକମାତ୍ର କଂଗ୍ରେସ ଶାସନର ଅବସାନ ଘଟିଲା। ପୁଡୁଚେରୀରେ ବୁଧବାର ଜାରି ହୋଇଛି ରାଷ୍ଟ୍ରପତି ଶାସନ। ସୁତରାଂ ଏଥର ପୁଡୁଚେରୀ ରାଷ୍ଟ୍ରପତି ଶାସନ ଅଧୀନରେ ରହି ନିର୍ବାଚନ ଅନୁଷ୍ଠିତ ହେବ। ଅନ୍ୟ ଅର୍ଥରେ କହିଲେ, ଏହି କେନ୍ଦ୍ର ଶାସିତ ଅଞ୍ଚଳ ପୂର୍ଣ୍ଣ ରୂପରେ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ। କାରଣ ନାରାୟଣସ୍ୱାମୀଙ୍କ ସରକାର ସଂଖ୍ୟା ଗରିଷ୍ଠତା ହରାଇ ପତନ ଘଟିଥିଲେ ମଧ୍ଯ ଅନ୍ୟ କୌଣସି ଦଳ କିମ୍ବା ମେଣ୍ଟର ନେତା ସରକାର ଗଠନ ପାଇଁ ଆଗେଇ ଆସିଲେ ନାହିଁ। ନିର୍ବାଚନ ଆଉ ମାତ୍ର ୨-୩ ମାସ ସମୟ ରହିଥିବାରୁ ସରକାର ଗଢ଼ିବାକୁ କେହି ଆଗଭର ହେଲେ ନାହିଁ। ଆଶା କରାଯାଉଥିଲା ଯେ, ଏହି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଏନ ରଙ୍ଗସ୍ୱାମୀଙ୍କ ଏନ ଆର କଂଗ୍ରେସକୁ ଉପରାଜ୍ୟପାଳ ସରକାର ଗଢ଼ିବାକୁ ଡାକିବେ। ଏଭଳି ପରିସ୍ଥିତି ସୃଷ୍ଟି ହେଲେ ଅନ୍ୟ ଦୁଇ ବିରୋଧୀ ଦଳ ଅନ୍ନାଡିଏମକେ ଏବଂ ବିଜେପି ଏହି ସରକାରରେ ଯୋଗ ଦେବେ। କିନ୍ତୁ ସେଭଳି କିଛି ଘଟିଲା ନାହିଁ। ସମ୍ଭବତଃ ଏତେ କମ ଦିନ ପାଇଁ ସରକାରରେ ସାମିଲ ହୋଇ ନିର୍ବାଚନରେ ଭାବମୂର୍ତ୍ତି ଖରାପ କରିବାକୁ ଚାହିଁଲେ ନାହିଁ ଏହି ଦୁଇ ଦଳର କେନ୍ଦ୍ରୀୟ ନେତୃତ୍ୱ। ଉଲ୍ଲେଖଯୋଗ୍ୟ ଯେ, ୩୩ ଆସନ ବିଶିଷ୍ଟ ପୁଡୁଚେରୀ ବିଧାନସଭାରେ ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା ୩୦। ତିନି ସଦସ୍ୟ ମନୋନୀତ।
ଗତ ନିର୍ବାଚନରେ କଂଗ୍ରେସ ୧୫ ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା। କିରଣ ବେଦୀ ସେଠାକୁ ଉପରାଜ୍ୟପାଳ ହୋଇ ଯିବା ପରେ ଭି ନାରାୟଣସ୍ୱାମୀ ସରକାର ପତନର ଅବଗଣନା ଆରମ୍ଭ ହୋଇ ଯାଇଥିଲା। କଂଗ୍ରେସକୁ ବିଭାଜିତ କରି ବିଧାୟକମାନଙ୍କୁ ସରକାରରୁ ଓହରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ସେଥିପାଇଁ ସମ୍ଭବତଃ ଉପରାଜ୍ୟପାଳ କିରଣ ବେଦୀଙ୍କ ସହ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ବିବାଦ ଲାଗି ରହୁଥିଲା। ଆସନ୍ନ ନିର୍ବାଚନ ପରିପ୍ରେକ୍ଷୀରେ କିରଣ ବେଦୀଙ୍କୁ ଉପରାଜ୍ୟପାଳ ପଦରୁ ହଟାଇ ନେଇଛନ୍ତି କେନ୍ଦ୍ର ସରକାର। ଏଥିସହିତ ଶାସକ ମେଣ୍ଟର ଚାରିଜଣ ବିଧାୟକ ଇସ୍ତଫା ଦେବା ଫଳରେ ସଂଖ୍ୟା ଗରିଷ୍ଠତା ହରାଇ କ୍ଷମତାରୁ ବିଦା ହୋଇଛନ୍ତି ନାରାୟଣସ୍ୱାମୀ ସରକାର। ଡିଏମକେ ସହ ମେଣ୍ଟ କରି ସରକାର ଗଢ଼ିଥିଲେ ନାରାୟଣ ସ୍ୱାମୀ। ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୨ ଜଣ ବିଧାୟକ ଇତିମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ଅନ୍ୟମାନେ ସେହିପଥରେ ଯିବାର ସମ୍ଭାବନା ଅଧିକ। ପୁଡୁଚେରୀରେ ଏଭଳି ଘଟିବ ବୋଲି ଅନେକ ଦିନରୁ ଆଶଙ୍କା ଦାନା ବାନ୍ଧିଥିଲା। ଶେଷରେ ତାହା ହିଁ ଘଟିଲା। ଦକ୍ଷିଣ ଭାରତରେ ଆଉ କୌଣସି ସ୍ଥାନରେ ରହିଲା ନାହିଁ କଂଗ୍ରେସ ସରକାର। କେବଳ ଦକ୍ଷିଣ ଭାରତ କାହିଁକି, ଏଵେ ସାରା ଦେଶରେ ମାତ୍ର ତିନି ରାଜ୍ୟରେ କଂଗ୍ରେସ ସରକାର। ରାଜସ୍ଥାନ, ପଞ୍ଜାବ ଓ ଛତିଶଗଡ଼ରେ ପୂର୍ଣ୍ଣ ରୂପରେ କଂଗ୍ରେସ ସରକାର ଥିବା ବେଳେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କଂଗ୍ରେସ ମେଣ୍ଟ ସରକାର ସହଯୋଗୀ। ବିଧାୟକ ସଂଖ୍ୟା ବିଚାରରେ କଂଗ୍ରେସର ଶକ୍ତି ତୁଳନାତ୍ମକ ଭାବେ ଯଥେଷ୍ଟ କମ୍। କଂଗ୍ରେସର ଏଭଳି ଅବସ୍ଥା କାହିଁକି ତାହା ଦଳର ଶୀର୍ଷ ସ୍ଥାନୀୟ ନେତାମାନେ ଉତ୍ତମ ରୂପେ ଅବଗତ ଥିଲେ ମଧ୍ଯ ଏହାର ପ୍ରତିକାର ଉପାୟ ସେମାନଙ୍କ ନିକଟରେ ନାହିଁ। ଫଳରେ ଦେଶ କ୍ରମେ କଂଗ୍ରେସ ମୁକ୍ତ ପଥରେ ଅଗ୍ରସର ହେଉଛି। ତେବେ ଏଆଇସିସିର ପୁଡୁଚେରୀ ଭାରପ୍ରାପ୍ତ ନେତା ଦୀନେଶ ଗୁଣ୍ଡୁରାଓଙ୍କ କହିବା ଅନୁସାରେ ବିଜେପି ମଧ୍ୟପ୍ରଦେଶ, ଗୋଆ, ମଣିପୁର ପରେ ପୁଡୁଚେରୀରେ ଗଣତନ୍ତ୍ରର ହତ୍ୟା କରିଛି। ଇଡି, ଆୟକର ବିଭାଗ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାକୁ କାମରେ ଲଗାଇ, କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେପି ଏକ ନିର୍ବାଚିତ ସରକାରକୁ ଭାଙ୍ଗି ଦେଇଛି। କିନ୍ତୁ କଂଗ୍ରେସର କେତେକ ନେତା ନାରାୟଣସ୍ୱାମୀଙ୍କ ଉପରକୁ ଆଙ୍ଗୁଳି ଉଠାଇଛନ୍ତି। ସେମାନଙ୍କର ପ୍ରଶ୍ନ, ବିଜେପି ଶାସକ ଦଳର ବିଧାୟକଙ୍କ ଉପରେ ଚାପ ପକାଉଥିବା କିମ୍ବା ଟଙ୍କାର ଲୋଭ ଦେଖାଉଥିବା ଜାଣି ମଧ୍ଯ ନାରାୟଣସ୍ୱାମୀ ଚୁପ ବସିଥିଲେ କାହିଁକି ? କଂଗ୍ରେସ ନେତାମାନଙ୍କର ଏଭଳି ପ୍ରଶ୍ନର ଯଥାର୍ଥତା ଥାଇ ପାରେ, ମାତ୍ର ଆସନ୍ନ ନିର୍ବାଚନ ପରିପ୍ରେକ୍ଷୀରେ ଏକ ନିର୍ବାଚିତ ସରକାରକୁ ଭାଙ୍ଗିଦେବାର ଷଡ଼ଯନ୍ତ୍ର କରାଯିବା, ଶେଷରେ ତାହାକୁ ସଫଳ କରିଦେବା ଏକ ଗଣତାନ୍ତ୍ରିକ ଦେଶରେ କେତେ ଯଥାର୍ଥ ? ସାଧାରଣରେ ମଧ୍ଯ ସେହି ପ୍ରଶ୍ନ କରାଗଲାଣି।

%d bloggers like this: