ସୋମବାରରୁ ବଜାରରେ କୋରୋନା ଟିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫାଇଜର ଓ ବାୟୋଏନଟେକର କୋରୋନା ଟିକାକୁ ମିଳିଗଲା ମଞ୍ଜୁରୀ। ଆମେରିକା ଓ ୟୁରୋପୀୟ ସଂଘର ନିଷ୍ପତ୍ତି ପୂର୍ବରୁ କୋରୋନା ଟିକା ଫାଇଜରର ବିକ୍ରିକୁ ଅନୁମତି ଦେବାରେ ୟୁନାଇଟେଡ୍ କିଙ୍ଗଡମ୍ ବନିଯାଇଛି ପ୍ରଥମ ପଶ୍ଚିମ ଦେଶ। ଏହି ଟିକା ଆସନ୍ତା ସପ୍ତାହରୁ ଅର୍ଥାତ୍ ସୋମବାରରୁ ବ୍ରିଟେନରେ ଉପଲବ୍ଧ ହେବ। କିଛିଦିନ ପୂର୍ବେ ଟିକାର ଫାଇନାଲ୍ ଟ୍ରାଏଲ୍ ହୋଇଥିଲା। ପରେ ଫାଇଜର କମ୍ପାନୀ ଦାବି କରିଥିଲା ଯେ, କୋରୋନା ବିରୋଧରେ ଲଢ଼ିବାରେ ତାଙ୍କ ଟିକା ୯୬ ପ୍ରତିଶତ ସଫଳ। ଆଉ ବ୍ରିଟେନର ମନ୍ତ୍ରୀ ନଦୀମ ଜହାବୀ ସ୍ପଷ୍ଟ କରିଛନ୍ତି, ଖୁବଶୀଘ୍ର ଭ୍ୟାକସିନ ବିତରଣ ଓ ଟିକାକରଣ ଆରମ୍ଭ କରାଯିବ। ସେପଟେ ଫାଇଜରକୁ ମଞ୍ଜୁରୀ ମିଳିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଏଡନୋମ କହିଛନ୍ତି, ଫାଇଜର୍ ହେଉଛି ବିଶ୍ୱର ପ୍ରଥମ କୋରୋନା ଟିକା, ଯାହାକୁ ବିକ୍ରି ଅନୁମତି ମିଳିଛି। ତେବେ କୋରୋନାର କେତେ ସଂହାରକ ବନୁଛି ଫାଇଜର୍, ଏବେ ତାହାର ହେବ ଅଗ୍ନିପରୀକ୍ଷା।