‘ନବୀନ ନନ୍ଦିଘୋଷ’ର ସାରଥୀ ସାଜିଲେ ସୁରେଶ

ପ୍ରିଜମ ନ୍ୟୁଜ ବ୍ୟୁରୋ; ନୂଆ ବର୍ଷରୁ ନୂଆ କ୍ୟାବିନେଟ୍ ଟିମ୍ ସହ ‘ନବୀନ ଓଡ଼ିଶା’ର ବିକାଶ ରୁପି ‘ନନ୍ଦିଘୋଷ’କୁ ଆଗକୁ ଆଗେଇ ନେବାକୁ ପ୍ରସ୍ତୁତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତୃତୀୟ ମହଲାରୁ ଆଜ୍ଞାମାଳ ବିଜେ ପରେ ନନ୍ଦିଘୋଷର ନୂଆ ସାରଥୀ ଭାବେ ‘ସୁରେଶ ମହାପାତ୍ର’ଙ୍କୁ ମଙ୍ଗୁଆଳ ଦାୟିତ୍ୱ ଦେଇଛନ୍ତି ମୁଖିଆ । ଏବେ ଓଡ଼ିଶା ପ୍ରଗତୀର ସାଥୀ ନବୀନ ଏବଂ ତାଙ୍କ ଟିମ୍ କୁ ବିକାଶର ନନ୍ଦିଘୋଷରେ ବସାଇ ମାଲ ମାଳ ଡାହୁକ ରୂପି ମିଡିଆର ଡାକରେ ଆଗକୁ ଘର୍ଘର ନାଦରେ ବୋହି ନେବେ ସୁରେଶ । ସୁରେଶଙ୍କ ନୂଆ ଟିମ୍ ର ରୂପରେଖ ମଧ୍ୟ ପ୍ରସ୍ତୁତ ସରିଛି । ଲୋକସେବା ଭବନରେ ହୁଲିଆ ବଦଳାଇ ନୂଆ ସାହେବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇ ନବୀନ ବିକାଶର ଡିଣ୍ଡିମ ପିଟିବେ ତାହାର ଭିଡିଓ ବନାଇବେ ସଭା, ସମିତି ଆଦି ଜରିଆରେ ପ୍ରଚାର ପ୍ରସାର କରିବେ ।

ଆଜି ବଡ଼ ଦିନ ଅବସରରେ ଅଚାନକ ବଡ଼ ନିଷ୍ପତ୍ତି ନେଇଛନ୍ତି ନବୀନ । ୧୯୮୬ ବ୍ଯାଚ୍ର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ମହାପାତ୍ରଙ୍କୁ ପରବର୍ତ୍ତି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୩୧ ତାରିଖରେ ଅସିତ ତ୍ରିପାଠୀ ଅବସର ନେବା ପରେ ଦାୟିତ୍ୱ ସମ୍ଭାଳିବେ ସୁରେଶ ମହାପାତ୍ର। ଏବେ ଉନ୍ନୟନ କମିଶନର ଥିବା ସୁରେଶ ପୂର୍ବରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଜିଲ୍ଲାପାଳ ସହ ଜଳସଂପଦ, ଶକ୍ତି, ଜଙ୍ଗଲ ଓ ପରିବେଶ, ଗୃହ , କୃଷି, ଶିଳ୍ପ ଭଳି ପ୍ରମୁଖ ବିଭାଗରେ କାମ କରିଛନ୍ତି।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ତେବେ ସୁରେଶଙ୍କ ମୁଖ୍ୟ ଶାସନ ସଚିବ କାଯର୍ୟକାଳ ପ୍ରାୟତଃ ୧୩ ମାସ ରହିବ। ଚ୍ୟାଲେଞ୍ଜ ବି ଅନେକ। ବରିଷ୍ଠ ଆଇଏଏସ୍ ଅଫିସରଙ୍କଠୁ ନେଇ ଜିଲ୍ଲାପାଳ ମାନଙ୍କ ସହ ସମନ୍ୱୟ ରକ୍ଷା, କୋଭିଡ ପରବର୍ତ୍ତି ସ୍ଥିତିରେ ରାଜ୍ୟ ଅର୍ଥନୀତିର ବିକାଶ, ସଠିକ୍ ଢଙ୍ଗରେ କରୋନା ଟିକାକରଣ, ଆଇନଶୃଙ୍ଖଳା ପରିସ୍ଥିତିର ସୁପରିଚାଳନା, ଫାଇଭ୍ ଟି ଓ ମୋସରକାର ଭଳି ଯୋଜନାର କାଯର୍ୟକାରିତା ଆଦି ସୁରେଶଙ୍କ ପାଇଁ  ପ୍ରମୁଖ ଆହ୍ବାନ । କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ବି ବଡ଼ ଚ୍ୟାଲେଞ୍ଜ ହେବ ।

https://twitter.com/PrismNewsOdisha/status/1342376927420563456

ଅନ୍ୟପଟେ ଉନ୍ନୟନ କମିଶନର ନିଯୁକ୍ତି ନେଇ ସରପ୍ରାଇଜ୍ ଦେଇଛନ୍ତି ନବୀନ । ୧୯୮୬ ,୮୭, ୮୮ ବ୍ୟାଚର ବହୁ ବରିଷ୍ଠ ଅଧିକାରୀଙ୍କୁ ବାଦ୍ ଦେଇ ଉନ୍ନୟନ କମିଶନର ଭାବେ ୧୯୮୯ ବ୍ୟାଚର ଆଇଏଏସ୍ ଅଫିସର୍ ପ୍ରଦୀପ ଜେନାଙ୍କ ଉପରେ ଭରସା କରିଛନ୍ତି ସରକାର । ପ୍ରଦୀପ ଏବେ ଗ୍ରାମ୍ଯ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ଓ ଏସଆରସି ରହିଛନ୍ତି ।  ଏସ୍ଆରସି ଭାବେ ସଫଳତାର ସହ ବାତ୍ୟା, ବନ୍ୟା ପରିଚଳାନ କରିଥିବା ପ୍ରଦୀପ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଶକ୍ତି, ଜଳସଂପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ କାମ କରିଛନ୍ତି ।

 ଏବର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବ ସେ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ ପ୍ରସଙ୍ଗରେ ପରାମର୍ଶ ଦେବେ । ତେବେ ପଶ୍ଚିମ ଓଡିଶା ବିକାଶ ପରିଷଦରେ ପ୍ରାୟତଃ ରାଜନେତାମାନଙ୍କୁ ନିଯୁକ୍ତି ମିଳିଥାଏ । ଅସିତଙ୍କୁ ଏହି ପଦରେ ନିଯୁକ୍ତି ମିଳିଥିବାରୁ ପଶ୍ଚିମଓଡିଶାର ଅନେକ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି । ସେପଟେ ଅସିତଙ୍କ ପାଇଁ ବି ରାଜନୀତିକୁ ଏଣ୍ଟ୍ରି ମାରିବା ସୁଯୋଗ ଆସିଥିବା କୁହାଯାଉଛି। ଏପରିକି ଆଗାମୀ ଦିନରେ ବଲାଙ୍ଗିର ପଲିଟିକ୍ସରେ ତାଙ୍କ ଭୂମିକାକୁ ନେଇ ବି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଏବେ ଅପେକ୍ଷା ସୁରେଶଙ୍କ ନୂଆ ଟିମ୍ ରେ କିଏ ଇନ୍ ଆଉ କିଏ ଆଉଟ ହେଉଛି । କୁହାଯାଉଛି ସେହି ଏକା ଟିମ୍ କିନ୍ତୁ ଦାୟିତ୍ୱ ଏପଟ ସେପଟ କରି କାମ ଚଳାଇ ନେବ ସେହି ଅଦୃଶ୍ୟ କ୍ଷମତା କେନ୍ଦ୍ର ।

%d bloggers like this: