SUPER EXCLUSIVE INTERVIEW- ପଲିଟିକାଲ ପାୱାର ଥିଲେ ସବୁ ସମ୍ଭବ: ଦୂତି ଚାନ୍ଦ

SUPER EXCLUSIVE INTERVIEW- ପଲିଟିକାଲ ପାୱାର ଥିଲେ ସବୁ ସମ୍ଭବ: ଦୂତି ଚାନ୍ଦ

ପ୍ରିଜମ୍ ନ୍ୟୁଜ (SUPER EXCLUSIVE): ଦୌଡ଼ରାଣୀ ଦୂତି ଚାନ୍ଦ। ଟ୍ରାକ୍ ଭିତରେ ତାଙ୍କ ତେଜ୍ ଯେତିକି ସକ୍ରିୟ ଥାଏ, ବିବାଦ ମଧ୍ୟ ତାଙ୍କୁ ସେତିକି ଘେରିଥାଏ। ବିଶ୍ୱସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ଦୂତି ଚାନ୍ଦ ରାଜ୍ୟ ପାଇଁ ଆଣିଛନ୍ତି ଅନେକ ଗୌରବ। ବିଭିନ୍ନ ସମ୍ମାନର ଅଧିକାରୀ ହେବା ସହ ଏକାଧିକ ପୁରସ୍କାର ସାଉଁଟି ପ୍ରସିଦ୍ଧି ଲାଭ କରିଛନ୍ତି। ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ର ଯାଦୁଗର ସାଜିଥିବା ଦୂତି ଚାନ୍ଦ ଟକିୟୋ ଅଲିମ୍ପିକ୍ସ ପାଇଁ ମନୋନିତ ହୋଇଛନ୍ତି। ପୁଣି ଏକ ସ୍ୱପ୍ନ ପୂରଣ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ଏହାରି ଭିତରେ ଦୂତି ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି ଟକିୟୋ ଅଲିମ୍ପିକ୍ସର ଫାଇନାଲ ପାଇଁ…ଏହା ପୂର୍ବରୁ ପ୍ରିଜମ୍ ନ୍ୟୁଜକୁ ଦୂତି ଦେଇଛନ୍ତି SUPER EXCLUSIVE ସାକ୍ଷାତକାର, ଯେଉଁଥିରେ ସେ କହିଛନ୍ତି ତାଙ୍କ ମନର କଥା, ସ୍ୱପ୍ନର କଥା ଏବଂ ବାସ୍ତବ ଜୀବନର ଅଭିଜ୍ଞତା….
ପ୍ରଶ୍ନ- ଟୋକିୟୋ ଅଲିମ୍ପିକ୍ସ ପାଇଁ କେମିତି ପ୍ରସ୍ତୁତି କରିଛନ୍ତି ?
ଉତ୍ତର- ଟୋକିୟୋ ଅଲିମ୍ପିକ୍ସ ପାଇଁ ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଏଥିପାଇଁ ମଝିରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଲକଡାଉନ୍ ପାଇଁ ଅଭ୍ୟାସ ଠିକ୍ ଭାବେ ହୋଇ ପାରି ନ ଥିଲା। କିନ୍ତୁ ସେସବୁକୁ ଖାତିର ନ କରି ନିଜକୁ ପ୍ରସ୍ତୁତ କରିଛି।
ପ୍ରଶ୍ନ- ସେମି ଫାଇନାଲରେ ପ୍ରବେଶ, ନିହାତି କଠିନ, କିନ୍ତୁ କଠିନକୁ ସରଳ କରି ପାରିବାର କେଉଁ ନିଆରା ଗୁଣ ଦୂତିଙ୍କର ଅଛି, ଯାହାକୁ ନେଇ ସେ ପୂରା କନଫିଡେନ୍ସ ଅଛନ୍ତି ?
ଉତ୍ତର- ସବୁକୁ ଚ୍ୟାଲେଞ୍ଜ ସହ କରିବାକୁ ପଡ଼େ। କ୍ରୀଡ଼ାରେ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। ଫିଜିକାଲି ଷ୍ଟ୍ରଙ୍ଗ କରିବାକୁ ହେଲେ ଲଗାତାର ଭାବେ ଟ୍ରେନିଂ କରିବାକୁ ପଡ଼େ। କୋଭିଡ୍ ସମୟରେ ମଧ୍ୟ ମୁଁ ଅଭ୍ୟାସ କରିଛି। ତେଣୁ, ଅଭ୍ୟାସ ହିଁ ସଫଳତାକୁ ପ୍ରଶ୍ରୟ ଦେଇଥାଏ।
ପ୍ରଶ୍ନ- ପ୍ରତିଯୋଗିତା ପୂର୍ବରୁ ଦୂତି ନିଜକୁ ମାନସିକ ଭାବେ କେମିତି ପ୍ରସ୍ତୁତ କରିଥାନ୍ତି ?
ଉତ୍ତର- ଟ୍ରେନିଂ ଠିକ୍ ଥିଲେ, ପ୍ରତିଯୋଗିତା ଡର ଲାଗେନି। ଯେତେ ଅଭ୍ୟାସ କଲେ ସେତେ ସଫଳତା ମିଳିଥାଏ। ପରୀକ୍ଷାରେ ପାସ୍ କରିବାକୁ ହେଲେ ଭଲ ପାଠ ପଢ଼ିବାକୁ ହୁଏ। ସେହିପରି କ୍ରାଡ଼ୀ କ୍ଷେତ୍ରରେ ମଧ୍ୟ ଅନୁରୂପ ହୋଇଥାଏ। ପ୍ରତିଯୋଗିତାରେ ବିଜୟୀ ହେବାକୁ ହେଲେ ରୀତିମତ ଅଭ୍ୟାସ ଓ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ।
ପ୍ରଶ୍ନ- ଭାରତର ୧୩୦ କୋଟି ଜନତାଙ୍କ ଆଶାକୁ ନେଇ ପଡ଼ିଆକୁ ଓହ୍ଲାଇବା ବେଳେ କେତେ ରୋମାଞ୍ଚିତ ହୁଅନ୍ତି ?
ଉତ୍ତର- ବିଶ୍ୱସ୍ତରରେ ମୁଁ ଭାରତକୁ ପ୍ରତିନିଧିତ୍ୱ କରିଥାଏ। ଓଡ଼ିଶା ମାଟିରେ ଜନ୍ମ। ଓଡ଼ିଶାର କ୍ରୀଡ଼ାବିତ୍ ଭାବେ ବିଶ୍ୱସ୍ତରରେ ପ୍ରଦର୍ଶନ କରିବାକୁ ଖୁବ୍ ଭଲ ଲାଗେ। ଯେତେବେଳେ ଲୋକମାନେ ମୋତେ ଉତ୍ସାହିତ କରିଥାନ୍ତି, ମୋର ସଫଳତାକୁ ନେଇ ଖୁସି ମନାଇଥାନ୍ତି, ସେତେବେଳେ ଗର୍ବ ଲାଗେ। ଆଗକୁ ବଢ଼ିବା ପାଇଁ ଅଧିକ ପ୍ରୋତ୍ସାହନ ମିଳିଥାଏ।
ପ୍ରଶ୍ନ- କ୍ରୀଡ଼ାବିତ୍ ଭାବରେ ଟ୍ରାକରେ ଦୌଡ଼ିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କୁ ନେଇ କ’ଣ ସବୁ ଚିନ୍ତା କରନ୍ତି ?
ଉତ୍ତର- ପ୍ରତିଯୋଗୀଙ୍କୁ ନେଇ ପ୍ରତିଯୋଗିତା। ବାହାର ଦେଶରୁ ଅନେକ ପ୍ରତିଯୋଗୀଙ୍କ ସହ ଦୌଡ଼ିବାକୁ ହୁଏ। ଟ୍ରାକରେ ଥିବାବେଳେ ମନରେ ଟିକେ ଅଧୀରତା ଥାଏ। କିନ୍ତୁ, କିଛି ଫରକ୍ ପଡ଼ି ନ ଥାଏ। କାରଣ, ମୁଁ ପରିଶ୍ରମ କରିଥାଏ। ଆଉ ମୋ ଟାର୍ଗେଟ୍ ଥାଏ ମେଡାଲ ଜିତିବାକୁ। ତେଣୁ, ସାମ୍ନାରେ ଯେତେ ବଡ଼ ପ୍ରତିଯୋଗୀ ଥିଲେ ବି ମୁଁ ଆଦୌ ଭୟ କରେ ନାହିଁ। ବରଂ ମୋ ପରିଶ୍ରମକୁ ମନେ ପକାଇ ସଫଳତା ଆଡ଼କୁ ଗତି କରିଥାଏ।
ପ୍ରଶ୍ନ- ରାଜନୀତି ଓ ପୋଲିସ ସେବାକୁ ମନ ବଳାଇଛନ୍ତି। ଉଭୟ ମଧ୍ୟରୁ କାହାକୁ ବାଛିବେ?
ଉତ୍ତର- ଉଭୟ ପାଇଁ ଇଚ୍ଛୁକ ଅଛି। କ୍ରୀଡ଼ାବିତ୍ ହିସାବରେ ଚାକିରି ପାଇଁ ଇଚ୍ଛା ନାହିଁ। କିନ୍ତୁ, ବିଭାଗରେ ଚାକିରି କଲେ, ସେହି ବିଭାଗ ପାଇଁ ପ୍ରତିନିଧିତ୍ୱ କରିବା ସହଜ ହୋଇଥାଏ। ମୁଁ ଏବେ ଯେଉଁଠାରେ ଚାକିରି କରୁଛି, ସେଠାରେ ଏବେ ଖେଳିବାର ସୁଯୋଗ ନାହିଁ। ତେଣୁ, ପୋଲିସ ଚାକିରି କରିବାକୁ ମନ ବଳାଇଛି। କାରଣ, ଏଥିରେ ଖେଳିବାର ସୁଯୋଗ ଅଛି। ବିଶ୍ୱ ପୋଲିସ ଅଲିମ୍ପିକ୍ସ ପାଇଁ ରାଜ୍ୟରୁ ହେଉ ଅବା ଦେଶରୁ ପ୍ରତିନିଧିତ୍ୱ କରିପାରିବି। ଏହାସହ ଚାକିରି କରି ଲୋକଙ୍କ ସେବା ମଧ୍ୟ କରିପାରିବି। ଏବେ କିଟ୍ ରେ ପାଠ ପଢ଼ୁଛି ବୋଲି ଖେଳିବାର ସୁଯୋଗ ମିଳୁଛି। ଏଠାରେ ପଢ଼ୁ ନ ଥିଲେ ଖେଳିବାର ସୁଯୋଗ ପାଆନ୍ତି ନାହିଁ।
ପ୍ରଶ୍ନ- ଆଉ ରାଜନୀତି….
ଉତ୍ତର- ଜୀବନର ଶେଷ ମୁହୂର୍ତ୍ତରେ ଆଉ କ’ଣ କରିବି ? ସମାଜ ସେବା କରିବା ପାଇଁ ରାଜନୀତି ହେଉଛି ଏକ ମାଧ୍ୟମ। ପିଲାଟି ଦିନରୁ ଦେଶ ପାଇଁ କାମ କରୁଛି, ରାଜ୍ୟ ପାଇଁ ଗୌରବ ଆଣୁଛି। ପଲିଟିକାଲ ପାୱାର ଥିଲେ ଯାହା ସମ୍ଭବ, ତାହା ବିନା ପାୱାରରେ ସମ୍ଭବ ନୁହେଁ। ତେଣୁ, ପଲିଟିକାଲ ପାୱାରରେ ଥାଇ ଲୋକଙ୍କ ସେବା କରିବି। ଲୋକଙ୍କ ପାଇଁ କାମ କରିବାକୁ ହେଲେ କିଛି ପାୱାର ଦରକାର।
ପ୍ରଶ୍ନ- ଆପଣଙ୍କ ପ୍ରେମକୁ ନିଜେ ସାର୍ବଜନୀନ କରିଛନ୍ତି, ଏବେ ବିବାହକୁ ନେଇ କିଛି ନିଷ୍ପତ୍ତି ବଦଳାଇଛନ୍ତି କି?
ଉତ୍ତର- ନା, କୌଣସି ନିଷ୍ପତ୍ତି ବଦଳାଇନି କି ଆଗକୁ ବି ବଦଳିବନି। ଯେ ପର୍ଯ୍ୟନ୍ତ ହୃଦୟ ନିର୍ମଳ, ସେ ପର୍ଯ୍ୟନ୍ତ ପ୍ରେମ ନିର୍ମଳ।
ପ୍ରଶ୍ନ- ଦୂତିଙ୍କ ଆଉ କିଛି ସ୍ୱପ୍ନ ଅଛି, ଯାହାକୁ ସେ ଦିନରାତି ଦେଖୁଛନ୍ତି ?
ଉତ୍ତର- ସ୍ୱପ୍ନ ବହୁତ୍ କିଛି ଅଛି। ରାଜ୍ୟ ଓ ଦେଶ ପାଇଁ କିଛି କରିବାର ଅଛି। ସୁଯୋଗ ମିଳିଲେ ଏକ ଅନ୍ତର୍ଜାତୀୟ ସ୍ତରରେ ଆଥଲେଟ୍ ଏକାଡେମୀ ଖୋଲିବି। ପ୍ରୋତ୍ସାହନ ପାଉ ନ ଥିବା କ୍ରୀଡ଼ାବିତମାନଙ୍କୁ ଖୋଜି ସେଠାରେ ତାଲିମ ଦେବି। ଆଉ ସେମାନଙ୍କୁ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବା ପାଇଁ ପ୍ରସ୍ତୁତ କରିବି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: