ସେବାରେ ସମର୍ପିତ ଆଶାକର୍ମୀ: କାମ ଅଧିକ, ପ୍ରାପ୍ୟ କମ୍

ସେବାରେ ସମର୍ପିତ ଆଶାକର୍ମୀ: କାମ ଅଧିକ, ପ୍ରାପ୍ୟ କମ୍

(ଭାଗ୍ୟଶ୍ରୀ ମିଶ୍ର): କର୍ମ ହିଁ ଭଗବାନ। ଏହି ଉକ୍ତିକୁ ଯଥାର୍ଥ କରିବାକୁ ଯାଇ କାର୍ଯ୍ୟ ପ୍ରତି ଥିବା ନିଷ୍ଠା ଓ ନିଃସ୍ବାର୍ଥପରତାର ଝଲକ୍ ଏ ସମାଜରେ ଅନେକ ରହିଛି। ଏମିତି ଜଣେ ନାରୀ ହେଉଛନ୍ତି ରାୟଗଡ଼ା କଲ୍ୟାଣସିଂପୁର ବ୍ଲକ୍ ଅନ୍ତର୍ଗତ ଭାଗୁଡ଼ିମାଳ ଗାଁର ସନ୍ଧ୍ୟା କାଡ଼ରେକା । ବୟସ ମାତ୍ର ୨୪ ବର୍ଷ। ପେଶାରେ ସେ ଜଣେ ଆଶାକର୍ମୀ। ନିଃସ୍ବାର୍ଥପର ଭାବେ ଗାଁଲୋକଙ୍କର ସେବା କରନ୍ତି।
ମଫସଲ ଇଲାକାରେ ସେ ହେଉଛନ୍ତି ସର୍ବେସର୍ବା। ଗାଉଁଲି ଲୋକଙ୍କ ସୁଖଦୁଃଖର ସାଥୀ। କୋଭିଡ୍ ସମୟରେ ଲୋକଙ୍କୁ ଟିକା ପାଇଁ ବୁଝାସୁଝା କରିଥିଲେ। ଅନ୍ଧବିଶ୍ବାସର ଅନ୍ଧାରୀ ଗଳିରେ ଜିଉଁଥିବା ଲୋକଙ୍କୁ ସଚେତନ କରି ଟିକା ପାଇଁ ପ୍ରବର୍ତ୍ତାଇବା ଥିଲା ତାଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ। ସେହିପରି ଘାଗୁଡ଼ି ମାଳ ଗାଁରୁ କଲ୍ୟାଣ ସିଂ ପୁର ଛକ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ନାହିଁ। ସେଥିପାଇଁ ଗାଁକୁ ଆମ୍ବୁଲାନ୍ସ ଆସିପାରେନି। ଅନେକ ସମୟରେ ରୋଗୀ ଖଟିଆରେ ବୁହା ହୋଇ ଯାଆନ୍ତି। ସେଥିପାଇଁ ସନ୍ଧ୍ୟା ଭୋର୍ ୪ଟାରୁ ଉଠି ଘରର ସବୁ କାମ ସାରି କର୍ମକ୍ଷେତ୍ରକୁ ବାହାରି ଯାଆନ୍ତି। ଗାଁପରେ ଗାଁ ବୋଲି ଲୋକଙ୍କୁ ସଚେତନ କରନ୍ତି।

ତେବେ ସନ୍ଧ୍ୟାଙ୍କ ପାରିବାରିକ ଜଞ୍ଜାଳ ମଧ୍ୟ କଷଟି ପଥରେ ଚାଲିଛି। ଏକ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ସନ୍ଧ୍ୟା। ପରିବାରର ଛାତ ଖସି ପଡ଼ିବା ପରେ ସନ୍ଧ୍ୟାଙ୍କ ପରିବାରରେ ଘୋଟି ଆସିଥିଲା କଳା ବାଦଲ। ତଥାପି ବି ସାହସର ସହିତ ନିଜର ପରିବାର ପ୍ରତିପୋଷଣର ଭାର କାନ୍ଧକୁ ନେଇ ନିଜ ଦୁଇ ପିଲାଙ୍କୁ ପାଠ ପଢ଼ାଉଛନ୍ତି ସନ୍ଧ୍ୟା।
ସେ କୁହନ୍ତି, ‘’କମ୍ ସମୟରେ ଜୀବନ ସାଥୀଙ୍କୁ ହରାଇଛି। ପ୍ରତିକୂଳ ସ୍ଥିତିରେ ଗାଁର ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ମୋର ପ୍ରାଥମିକତା ଭାବି ଆସିଛି। କାମ ଅପେକ୍ଷା ପାରିଶ୍ରମିକ ଯଥେଷ୍ଟ କମ୍ ବୋଲି ପରିବାର ଲୋକେ ଅନେକ ଥର ଚାକିରି ଛାଡ଼ିବାକୁ କହିଛନ୍ତି। ତଥାପି ମୁଁ କାମ କରୁଛି। ଜଣେ ଆଶାକର୍ମୀ ଭାବେ ବେଶ୍ ଖୁସି ଅଛି। ଲୋକଙ୍କ ସେବା କରିବା ସହ ଯାହା କିଛି ପାରିତୋଷିକ ପାଏ, ସେଥିରେ ଦୁଇ ପୁଅଙ୍କ ପାଠପଢ଼ା ଖର୍ଚ୍ଚ ଉଠିଯାଏ। ଦରଦାମ୍ ବୃଦ୍ଧି ଯୋଗୁ ପରିବାର ପ୍ରତିପୋଷଣ ପାଇଁ ନିଜ ଜମିରେ ଚାଷ ବି କରୁଛି। ସେଥିପାଇଁ ସରକାର ଆଶା କର୍ମୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ସହ ସର୍ବ ନିମ୍ନ ମଜୁରୀ ପ୍ରଦାନ କରିବାକୁ ନିବେଦନ କରୁଛି।‘’


ତୃଣମୂଳସ୍ତରରେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଓ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ଗ୍ରାମାଞ୍ଚଳରେ ରହିଛନ୍ତି ଆଶା କର୍ମୀ। ରାୟଗଡ଼ା ଜିଲ୍ଲାରେ ୧୮୨୫ ଜଣ ଆଶାକର୍ମୀ କାର୍ଯ୍ୟ କରୁଛନ୍ତି। କୋରୋନା ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ସମ୍ମୁଖ ଯୋଦ୍ଧା ଭାବେ ଲୋକଙ୍କ ସେବା କରୁଥିଲେ ଆଶାକର୍ମୀ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା ସବୁଠୁ ବଡ଼ କାମ।

ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ୱର ଦାସଙ୍କ କହିବା କଥା, ଆଶାକର୍ମୀମାନେ ନିଃସ୍ୱାର୍ଥପର ଭାବେ ସେବା ଯୋଗାଉଛନ୍ତି। ମାତ୍ର ସେମାନଙ୍କୁ ସର୍ବନିମ୍ନ ମଜୁରୀ ମିଳେ ନାହିଁ। ପାଉଥିବା ପ୍ରୋତ୍ସାହନ ରାଶି ମଧ୍ୟ ଠିକ୍ ସମୟରେ ମିଳେ ନାହିଁ। ତେଣୁ ଏମାନଙ୍କ ପ୍ରତି ଦୃଷ୍ଟି ଦିଆଯିବା ନିହାତି ଜରୁରୀ ବୋଲି ଯୋଗେଶ୍ବର କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: