ଏହି ସମୟରେ ପ୍ରାୟୋଜିତ ପ୍ରଶଂସା କାହିଁକି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତରେ ଆରମ୍ଭ ହୋଇଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରି ଭାରତ ସମେତ ସାରା ଦୁନିଆକୁ ସମ୍ୱୋଧିତ କରିଛନ୍ତି। ସମ୍ୱୋଧନ ସମୟରେ ମୋଦି ଭାବବିହ୍ୱଳ ବି ହୋଇ ପଡ଼ିଥିଲେ। ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ବି ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇଛନ୍ତି। ତେବେ ଟିକାକରଣର ଗୋଟିଏ ଦିନ ପୂର୍ବରୁ ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଏବିପି’ ଏକ ସର୍ଭେ ରିପୋର୍ଟ ପ୍ରସାରଣ କରିଥିଲା। ଏବିପି ସି-ଭୋଟର ପକ୍ଷରୁ କରାଯାଇଥିବା ‘ଦେଶ୍ କା ମୁଡ୍’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠୁ ଲୋକପ୍ରିୟ ଓ ନମ୍ୱର-୧ ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଇଛି। ଦୀର୍ଘ ୨୧ ବର୍ଷର ଶାସନ କାଳ ଭିତରେ ନବୀନ ପଟ୍ଟନାୟକ ଜାତୀୟସ୍ତରରେ ଅନେକ ଥର ସମ୍ମାନିତ ଓ ପ୍ରଶଂସିତ ହୋଇଛନ୍ତି। ହକି ବିଶ୍ୱକପ ଆୟୋଜନ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ତତ୍କାଳ ପଦକ୍ଷେପ ନେଇ ନବୀନ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଛନ୍ତି। କିନ୍ତୁ, ଗତକାଲି ଆଉ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା।

ଏହି ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ସଂସ୍ଥା IANS। ଏହି ସର୍ଭେରେ ଦେଶର ସମସ୍ତ ୫୪୩ ଲୋକସଭା ଆସନରୁ ଲୋକମାନେ ଅଂଶଗ୍ରହଣ କରିଛନ୍ତି। ଏହି ସର୍ଭେରେ ୩୦ ହଜାରରୁ ଅଧିକ ଲୋକ ଜଡିତ ଅଛନ୍ତି। ଗତ ୧୨ ସପ୍ତାହ ମଧ୍ୟରେ ସର୍ଭେ ପ୍ରଶ୍ନର ଉତ୍ତର ନିଆଯାଇଛି। ମୋଦିଙ୍କୁ ଓଡ଼ିଶାରେ ସର୍ବାଧିକ ୮୭.୦୧% ଲୋକ ପସନ୍ଦ କରନ୍ତି। ଏହା ପଛକୁ ରହିଛି ହିମାଚଳ ପ୍ରଦେଶ। ଏହି ରାଜ୍ୟର ସର୍ବାଧିକ ୮୧.୦୩% ମୋଦିଙ୍କୁ ପସନ୍ଦ କରୁଥିବା ସର୍ଭେରୁ ଜଣାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଦେଶରେ ତ ଜଣେ ପ୍ରଧାନମନ୍ତ୍ରୀ, ଲୋକେ ତାଙ୍କୁ ପସନ୍ଦ କରିବେନି ତ ଆଉ କାହାକୁ କରିବେ? ତେଣୁ, ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ ବୋଲି ଜଳଜଳ ହୋଇ ଦିଶୁଛି। କିନ୍ତୁ, ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, ଏହି ସମୟରେ ଏଭଳି ପ୍ରାୟୋଜିତ ପ୍ରଶଂସା କାହିଁକି ?

ସାରାଦେଶ ଏବେ କୋରୋନା ମହାମାରୀ ସହ ଲଢ଼େଇ କରୁଛି। ଦୀର୍ଘ ୯ ମାସର ଲକଡାଉନ୍ ଓ ଶଟଡାଉନ୍ ଭିତରେ ଗୃହବନ୍ଦୀ ଜୀବନ ଜିଇଁ ସାରିବା ପରେ ଏବେ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି। କୋରୋନା ଆଳରେ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଛି। ପିଲା ନିଯୁକ୍ତି ନ ପାଇ ବେକାର ବସିଛନ୍ତି। ସରକାର ନିଯୁକ୍ତି ବାହାର କରୁନାହାନ୍ତି। ଯେତିକି ପ୍ରବେଶିକା ପରୀକ୍ଷା ହୋଇଛି, ସେଥିରୁ ଅର୍ଦ୍ଧାଧିକର ଫଳ ଏଯାଏ ପ୍ରକାଶ ପାଇନି। ଶିଳ୍ପ କ୍ଷେତ୍ରରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ ଏକ ପ୍ରକାର ଠପ୍ ହୋଇଯାଇଛି। ଏସବୁ ଭିତରେ କେଉଁ ମୁଖ୍ୟମନ୍ତ୍ରୀ ନମ୍ୱର-୧ ଓ କେଉଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ନମ୍ୱର-୧ ସର୍ଭେ କ’ଣ ଗୁରୁତ୍ୱପୂର୍ଣ୍ଣ ? ଆଜି ଯାଏ କେତେ ଜାତୀୟ ଗଣମାଧ୍ୟମ ଶିକ୍ଷାକୁ ନେଇ ସର୍ଭେ କରିଛନ୍ତି ? କୋରୋନା ପରେ ଦେଶରେ କେତେ ପ୍ରତିଶତ ଓ କେଉଁ ରାଜ୍ୟର ଛାତ୍ରଛାତ୍ରୀ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ? କେତେ ପ୍ରତିଶତ ଅନଲାଇନ କ୍ଲାସ ସଫଳ ହୋଇଛି? କେତେ ପ୍ରତିଶତ ନିଯୁକ୍ତି ବଢ଼ିଛି ? ବିରୋଧୀଙ୍କୁ ନବୀନ ପଟ୍ଟନାୟକ ନମ୍ୱର-୧ ହେଲେ ଅସୁବିଧା ହେଉଛି। ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାବାସୀ ନମ୍ୱର-୧ କଲେ ଅସୁବିଧା ହେଉଛି। କିନ୍ତୁ, ପିଲା ନିଯୁକ୍ତି ନ ପାଇ ଘରେ ବସି ରହିଲେ, କିଛି ଯାଉନି। ମଣ୍ଡିରେ ଧାନ ପଡ଼ି ରହିଲେ, ବିରୋଧୀଙ୍କ କିଛି ଭାସି ଯାଉନି। ଶୀତ କାକରରେ ଚାଷୀର ପ୍ରାଣ ଗଲେ କାହାର କିଛି ଅସୁବିଧା ହେଉନି। ତେଣୁ, ଶ୍ରେୟ ରାଜନୀତି ଛାଡ଼ି ରାଜନେତାମାନେ ଦେଶର ସ୍ୱାର୍ଥ ନେଇ ରାଜନୀତି କଲେ ଭଲ। କାରଣ, ଲୋକଙ୍କ ପାଇଁ ହିଁ ସେମାନେ ରାଜନୀତିର ସ୍ୱାଦ ଚାଖୁଛନ୍ତି। ତେଣୁ ଜନତା ଜନାର୍ଦ୍ଦନଙ୍କୁ କେବଳ ଭୋଟ ପାଇଁ ଅସ୍ତ୍ର ଭାବରେ ବ୍ୟବହାର ନ କରି ସେମାନଙ୍କ ମଙ୍ଗଳ ପାଇଁ ବି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଛି କରିବେ କି ?

%d bloggers like this: