ସିବିଆଇ ସୁଆଙ୍ଗ, ବାଦିପାଲା କେବେ?

ପ୍ରିଜମ୍ ନ୍ୟୁଜ (ସ୍ୱତନ୍ତ୍ର): ଚିଟଫଣ୍ଡ ମହାଦୁର୍ନୀତିର ପର୍ଦ୍ଦାଫାସ ହେବାରେ ପାଖାପାଖି ସାତ ବର୍ଷ ପରେ ମଧ୍ୟ ଏହାର ମୁଖ୍ୟ ପ୍ରମୁଖ ଅଭିଯୁକ୍ତମାନେ ଧରା ପଡ଼ିନାହାନ୍ତି। କେତେକ ମୁଣ୍ଡ ଭିତରେ ଥିବାବେଳେ ଆଉ କେତେକ ବଡ଼ ମୁଣ୍ଡ ଏବେ ବି ଖୁଲମଖୁଲା ଘୂରି ବୁଲୁଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହାର ତଦନ୍ତ ହାତକୁ ନେଇ କିଛି ଲୋକ ଦେଖାଣିଆ ପଦକ୍ଷେପ ନେଇ ଚୁପ୍ ବସି ରହୁଛି। ମଝିରେ ମଝିରେ ହଟଚମଟ ସୃଷ୍ଟି କରିବାକୁ କାଁ ଭାଁ ଚଢ଼ାଉ ଓ ଗିରଫଦାରୀ କରି ସିବିଆଇ ରାଜନୈତିକ ସୁଆଙ୍ଗ ସୃଷ୍ଟି କରୁଛି। ଏବେ ପୁଣି ଥରେ ଅଦିନରେ ସିବିଆଇ ମୌସୁମୀ ଆସି ପଶ୍ଚିମବଙ୍ଗ ଓ ଓଡ଼ିଶା ମାହୋଲରେ ବର୍ଷା କରିବାକୁ ଚେଷ୍ଟା କରିଛି। ସେଥିପାଇଁ ପୁଣି ଥରେ ରୋଜ ଭ୍ୟାଲି ଚିଟଫଣ୍ଡ ପେଡ଼ି ଖୋଲି ସିବିଆଇ, ମୁଖ୍ୟ କାର୍ପଟଦାର ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି। ଶନିବାର ଶୁଭ୍ରାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିବ। ଶୁଭ୍ରାଙ୍କ ଗତିବିଧି ଉପରେ ନଜର ରଖି ସିବିଆଇ ଗତବର୍ଷ ନଭେମ୍ୱର ୨୯ରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଥିଲା। ସ୍ବାମୀ ଗୌତମ କୁଣ୍ଡୁ ଜେଲରେ ଥିବା ବେଳେ ତାଙ୍କ ବ୍ୟବସାୟକୁ ଶୁଭ୍ରା କିଭଳି ସୁରୁଖୁରୁରେ ଚଳାଉଥିଲା, ସେ ନେଇ ଅନେକ ଥର ଶୁଭ୍ରାଙ୍କୁ ଜେରା କରିଥିଲା ସିବିଆଇ। ଆଦ୍ରିଜା ନାଁରେ ଶୁଭ୍ରାଙ୍କ ଏକ ଜୁଏଲାରୀ ଦୋକାନ ରହିଥିଲା। ତେବେ ଏସବୁ ଭିତରେ ଶୁଭ୍ରା ଅନେକ ବଡ଼ ବଡ଼ ନାଁ ସିବିଆଇ ଆଗରେ କହିବାର ସମ୍ଭାବନା ରହିଛି।

ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଅଛି। ଏହି ପରିପ୍ରେକ୍ଷୀରେ ସିବିଆଇର ଅଚାନକ୍ ଏଣ୍ଟ୍ରି ରାଜନୈତିକ ମହଲରେ କମ୍ପନ ସୃଷ୍ଟି କରିଛି। ପୂର୍ବରୁ ବହୁବାର ପଶ୍ଚିମବଙ୍ଗର ମମତା ସରକାର ଓ ଓଡ଼ିଶାର ନବୀନ ସରକାର ଉପରେ ରାଜନୈତିକ ଚାପ ପ୍ରୟୋଗ ପାଇଁ କେନ୍ଦ୍ରର ବିଜେପି ସରକାର ସିବିଆଇକୁ ନିଜର ପୋଷା ଗୁଣ୍ଡା ଭାବରେ ବ୍ୟବହାର କରିଛନ୍ତି। ଏହାର ଅନେକ ଉଦାହରଣ ରହିଛି। ଖୁବଶୀଘ୍ର ରାଜ୍ୟର ପୌର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଏକ ବର୍ଷ ପରେ ପଞ୍ଚାୟତ ନିର୍ବାଚନ ମଧ୍ୟ ଅଛି। ତେଣୁ, ପଶ୍ଚିମବଙ୍ଗ ଆଳରେ ଓଡ଼ିଶାରେ ମଧ୍ୟ ଛିଟା ପକାଇବାକୁ ସିବିଆଇର ଏହା ପ୍ରାୟୋଜିତ ନାଟକ ହୋଇ ଥାଇପାରେ। ସେହିପରି ଶୁଭ୍ରା ଯଦି ବିଜେଡିର କୌଣସି ନେତାଙ୍କ ନାଁ ନିଅନ୍ତି, ତେବେ ରାଜ୍ୟ ସରକାର ମଧ୍ୟ ନିଜର ବାଦିପାଲା ଆରମ୍ଭ କରିବେ। କାରଣ, ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିବିଆଇର ଏଣ୍ଟ୍ରିକୁ ନବୀନ ସରକାର ରାଜନୈତିକ ପ୍ରତିଶୋଧ ପରାୟଣର ଆଖ୍ୟା ଦେଇଥିଲେ। ତେଣୁ, ଏଥର ମଧ୍ୟ ଶୁଭ୍ରା ଯଦି ବିଜେଡି ନେତା କି କର୍ମୀଙ୍କ ନାଁ ନିଅନ୍ତି, ତେବେ ପୁଣି ଥରେ ରାଜ୍ୟ ସରକାର ନିଜର ବାଦିପାଲା ଆରମ୍ଭ କରିବେ, ଏଥିରେ ସନ୍ଦେହ ନାହିଁ।

ସିବିଆଇର ଚୂଡ଼ାନ୍ତ ତଦନ୍ତ ଓ ଚିଟଫଣ୍ଡ କେଳେଙ୍କାରୀର ଅସଲ ଦୋଷୀ କେବେ ଧରା ପଡ଼ିବେ, ଏ ବିଷୟରେ କହିବା ମୁସ୍କିଲ। କାରଣ, ସାତ ବର୍ଷ ପରେ ବି ଏହି ମାମଲା ଜାରି ରହିଛି। ଆମର ପ୍ରାଶାସନିକ ହସ୍ତକ୍ଷେପ ଓ ସରକାରୀ କାର୍ଯ୍ୟାନୁଷ୍ଠାନ ଭିତରେ ଚିଟଫଣ୍ଡ ମାମଲାର ତଦନ୍ତ ଏକ ସସପେନ୍ସ ଭିତ୍ତିକ ୱେବସିରିଜ ଭଳି ଆଗକୁ ବଢ଼ୁଛି।