ବିଜେଡି ଟିକେଟ ମିଳିଲେ ବାଜି ମାରିବେ, ସ୍ୱାଧୀନରୁ ଲଢ଼ିଲେ କଡ଼ା ଟକ୍କର ଦେଇ ପାରିବେ କି ହର?

ବିଜେଡି ଟିକେଟ ମିଳିଲେ ବାଜି ମାରିବେ, ସ୍ୱାଧୀନରୁ ଲଢ଼ିଲେ କଡ଼ା ଟକ୍କର ଦେଇ ପାରିବେ କି ହର?

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଏବେ ଗୋଟିଏ ନାରା ଖୁବ୍ ଜୋରରେ ଶୁଭୁଛି, ‘ହାରିନାହିଁ ହର କି ସରିନାହିଁ ଖେଳ। ଆଗକୁ ଆସୁଛି ପରୀକ୍ଷାର ବେଳ’ । ରାଜନୀତି ଗଣିତରେ ପାସ୍ ହେବ କି କୋଦଳାର ଚଷା ପୁଅ ହର? ନା ବିରୋଧୀଙ୍କ ଗୋଟି ଚାଳନାରେ ଚିତପଟାଙ୍ଗ ହୋଇ ବିଲରେ ମାଟି କାମୁଡିବେ ? ୨୪ ଅଙ୍କ କହୁଛି ଏଥର ଭଲ ରେଜଲ୍ଟ କରିବେ ମୁଁ ସ୍ୱାଧୀନ ଓ ମୋ ନେତା ନବୀନ କହୁଥିବା ଗଞ୍ଜାମ ଜିଲ୍ଲାର ଜଣେ ଚର୍ଚ୍ଚିତ ଓ ଆଗଧାଡ଼ିର ଯୁବ ନେତା ହରପ୍ରସାଦ ସାହୁ । ଏଥର ସେ ବିଜେଡିରୁ ଟିକଟ ଆଶାୟୀ ଅଛନ୍ତି, ଦଳ ସୁପ୍ରିମୋ କୁଆଡ଼଼େ ହର ପ୍ରତି ଏଥର ନରମ ମନଭାବ ଦେଖାଉଥିବା ରାଜ୍ୟ ସାଂଗଠନିକ ପକ୍ଷରୁ ହର ସାହୁଙ୍କୁ ଆଶ୍ୱାସନା ଦିଆଯାଇଛି। ବିଜେଡିର ଅଦୃଶ୍ୟ ଶକ୍ତିରୁ ଅଭୟ ବରଦାନ ପାଇ ଏବେ ଗାଁ ଗାଁ ସହର ସହର ବୁଲୁଛନ୍ତି ହରପ୍ରସାଦ ସାହୁ । ସାଙ୍ଗରେ ପତ୍ନୀ ଏବଂ ଝିଅ ମଧ୍ୟ ହରଙ୍କ ଲଢେଇରେ ସେନାନୀ ସାଜି ସମ୍ମୁଖରୁ ବିରୋଧୀଙ୍କୁ ପ୍ରହାର ଦେଉଛନ୍ତି ।

ଗାଁ ଗାଁ ବୁଲି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଏବଂ କର୍ମୀ ସମ୍ମିଳନୀ ଜରିଆରେ ଲୋକଙ୍କ ନିକଟତର ହେଉଛନ୍ତି ହର ପ୍ରସାଦ ସାହୁ । କୋଦଳାର ପୂର୍ବତନ ନଗରପାଳ ତଥା ବ୍ୟବସାୟୀ ହର ପ୍ରସାଦ ସାହୁ , ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ଏବଂ ଝିଅ ରଞ୍ଜିତା ସାହୁ ୨୪ ନିର୍ବାଚନ ବୈତରଣୀ ପାର୍ ହେବାକୁ ଜି ଜାନ୍ ଲଗାଇ କମର କସୁଛନ୍ତି । କଥା ହେଉଛି ଯଦି ବିଜେଡିରୁ ଟିକଟ ନ ମିଳେ ତେବେ ନବୀନ ମୋ ନେତା କହୁଥିବା ହର ସାହୁ ସ୍ୱାଧୀନରୁ ଲଢ଼ି ପାରନ୍ତି ଏବଂ ନିର୍ବାଚନ ଜିଣି ବିଜେଡିରେ ସାମିଲ ହେବାର ଆଲୋଚନାକୁ ସକରାତ୍ମକ ଢଙ୍ଗରେ ଦେଖୁଛନ୍ତି ହର ସାହୁଙ୍କ ସମର୍ଥକ ।

୨୦୧୯ରେ ବିଧାନସଭା ନିର୍ବାଚନ ଲଢ଼ିନଥିବା ହର ପ୍ରସାଦ ସାହୁ ୨୦୧୪  ବିଧାନସଭା ନିର୍ବାଚନରେ ୪୫,୬୬୧ ଖଣ୍ଡ ଭୋଟ୍ ପାଇଥିଲେ । ବିଜେଡିରୁ ଟିକଟ ନ ମିଳିବାରୁ ସେ ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରି ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୀୟ ବିଜେଡି ପ୍ରାର୍ଥୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଠାରୁ ମାତ୍ର ୨୧, ୫୦୦ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ସେତେବେଳେର କଂଗ୍ରେସ ପ୍ରାର୍ଥୀ ତଥା ଏବେ ବିଜେଡି ଶିବିରରେ ଶରଣ ନେଇଥିବା ସୀତାରାମ ପାଣିଗ୍ରାହୀ ତିନି ନମ୍ବର ସ୍ଥାନରେ ରହି ୯, ୮୪୩ ଖଣ୍ଡ ଭୋଟ୍ ପାଇଥିଲେ । ବିଜେପିର ବିଷ୍ଣୁ ପ୍ରସାଦ ଜେନା ୪,୩୧୫ ଖଣ୍ଡ ଭୋଟ୍ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ ।

୨୦୧୯ ବିଧାନସଭା ନିର୍ବାଚନକୁ କିନ୍ତୁ ବଦଳି ଯାଇଥିଲା କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନର ରଣାଙ୍ଗନା । ଖଲ୍ଲିକୋଟ ରାଣୀଙ୍କୁ ପଛରେ ପକାଇ ଟିକଟ ହାସଲ କରିଥିଲେ ବିଜେଡି ନେତା ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ଲତିକା ପ୍ରଧାନ। ସେହି ନିର୍ବାଚନରେ କିନ୍ତୁ ହର ସାହୁ ମଇଦାନକୁ ଆସିନଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବେ ଦବଦବା ରଖୁଥିବା ହର ସାହୁ ଇଲେକ୍ସନ ବ୍ୟାଟେଲରୁ ନିଜକୁ ଆଉଟ୍ କରିବା ପରେ ବିଜେଡି ପ୍ରାର୍ଥୀ ଲତିକା ପ୍ରଧାନ ୯୨, ୩୪୭ ଖଣ୍ଡ ଭୋଟ୍ ପାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି ପ୍ରାର୍ଥୀ ରଞ୍ଜନ ପୋଲାଇ ଏହି ଆସନରୁ ୨୯ ପ୍ରତିଶତ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେ  ୪୩, ୩୧୯ ଭୋଟ୍ ହାତେଇଥିଲେ ।

ଏଥର କିନ୍ତୁ ମଇଦାନକୁ ଓଲ୍ହାଉଛନ୍ତି ହର ପ୍ରସାଦ ସାହୁ । ନିଜର ସଂଗଠନ ବଢ଼ାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ବି କରୁଛନ୍ତି । ତେବେ ସବୁ କିଛି ନିର୍ଭର କରେ ଟିକଟ ମିଳିବା ଉପରେ । ବିଜେଡିରୁ ସେ ଟିକଟ ହାତେଇଲେ ନିର୍ବାଚନ ଜିତିବା ସହଜ ହେବ ନଚେତ ସ୍ୱାଧୀନରୁ ପୁଣି ଥରେ ବିଧାନସଭାକୁ ଯିବାକୁ ପ୍ରସ୍ତୁତ ହେବେ ହର ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: