ଧୋନି-ରାଇନାଙ୍କ ସଂଯୋଗ: ଦୁହିଁଙ୍କ ଆରମ୍ଭ ଏକାଭଳି, ୧-୧ ବଲ୍ ଖେଳି ‘୦’ରେ ଆଉଟ୍ ହୋଇଥିଲେ

ଧୋନି-ରାଇନାଙ୍କ ସଂଯୋଗ: ଦୁହିଁଙ୍କ ଆରମ୍ଭ ଏକାଭଳି, ୧-୧ ବଲ୍ ଖେଳି ‘୦’ରେ ଆଉଟ୍ ହୋଇଥିଲେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ୱାଧୀନତା ଦିବସରେ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ଘୋଷଣାର ଏକ ଘଣ୍ଟା ପରେ ସୁରେଶ ରାଇନା ମଧ୍ୟ ସନ୍ନ୍ୟାସ ନେଇ ଘୋଷଣା କରିଥିଲେ। ଦୁହିଁଙ୍କ ବନ୍ଧୁତା ବିଷୟରେ ସାରା ଦୁନିଆ ଯେତିକି ଜାଣିଛି, ଦୁହିଁଙ୍କ ସନ୍ନ୍ୟାସ ନେବାର ନିଷ୍ପତ୍ତି ସେତିକି ଚକିତ କରିଛି। ତେବେ ଆପଣଙ୍କୁ କହି ରଖୁଛୁ ଯେ, ଦୁହିଁଙ୍କ ମଧ୍ୟରେ ଅନେକ ସଂଯୋଗ ରହିଛି।

୨୦୦୪ରେ ଡେବ୍ୟୁ କରିଥିଲେ ମାହି:
ଧୋନି ଓ ରାଇନା ଦୁହେଁ ସୌରଭ ଗାଙ୍ଗୁଲିଙ୍କ କପ୍ତାନୀରେ ଡେବ୍ୟୁ କରିଥିଲେ। ଧୋନି ୨୦୦୪ ମସିହା ଡିସେମ୍ୱରରେ ବାଂଲାଦେଶ ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ମାତ୍ର ଗୋଟିଏ ବଲ୍ ଖେଳି ପ୍ୟାଭିଲିୟନ ଫେରି ଆସିଥିଲେ। ତାଙ୍କୁ ବାଂଲାଦେଶୀ ଅଲରାଉଣ୍ଡର ତାପସ ବୈଶ୍ୟା ରନଆଉଟ୍ କରିଥିଲେ।
୨୦୦୫ରେ ରାଇନା ପ୍ରଥମ ମ୍ୟାଚ୍ ଖେଳିଥିଲେ:
୨୦୦୫ ଜୁଲାଇ ମାସରେ ରାଇନା ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଖେଳିଥିଲେ। ସେ ମଧ୍ୟ ନିଜର ପ୍ରଥମ ମ୍ୟାଚରେ ମାତ୍ର ଗୋଟିଏ ବଲରେ ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରି ଆସିଥିଲେ। ଛଅ ନମ୍ୱରରେ ବ୍ୟାଟିଂ କରିବାକୁ ଆସିଥିବା ରାଇନାଙ୍କୁ ମୁଥୈୟା ମୁରଲୀଧରନ ଏଲବିଡବ୍ଲ୍ୟୁ କରିଥିଲେ।
ଧୋନି ପ୍ରଥମ ସିରିଜର ୩ ମ୍ୟାଚରେ ୧୯ ରନ୍ କରିଥିଲେ:
ଏହି ସିରିଜରେ ଧୋନି ଫ୍ଲପ୍ ରହିଥିଲେ। ସେ ତିନିଟି ଦିନିକିଆରେ ମାତ୍ର ୧୯ ରନ୍ କରିଥିଲେ। କିନ୍ତୁ, ପରବର୍ତ୍ତୀ ସିରିଜରେ ପାକିସ୍ତାନ ବିପକ୍ଷରେ ୧୨୩ ବଲ ଖେଳି ୧୪୮ ରନ୍ କରିଥିଲେ ଏବଂ ସବୁଠୁ ଭରସାଯୋଗ୍ୟ ଖେଳାଳି ହୋଇ ପାରିଥିଲେ। ସେପଟେ ରାଇନା ନିଜର ପ୍ରଥମ ସିରିଜର ତିନିଟି ମ୍ୟାଚରେ ୩୭ ରନ୍ କରିଥିଲେ।


ଧୋନିଙ୍କ ଶେଷ ଦିନିକିଆ ସର୍ବଦା ମନେ ରହିବ:
ଶେଷ ଥର ପାଇଁ ଧୋନି ଗତବର୍ଷ ବିଶ୍ୱକପ ସେମି ଫାଇନାଲରେ ପଡ଼ିଆରେ ଦେଖା ଦେଇଥିଲେ। ୨୦୧୯ ମସିହା ଜୁଲାଇ ୯ରେ ମଞ୍ଚେଷ୍ଟରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଧୋନି ସେମିଫାଇନାଲରେ ୭୨ ବଲରେ ୫୦ ରନ୍ କରିଥିଲେ। ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସହ ଧୋନି ବ୍ୟାଟିଂ କରି ୨୪୦ ରନ୍ ଟାର୍ଗେଟର ପିଛା କରୁଥିଲେ। ଗୁପ୍ଟିଲଙ୍କ ଥ୍ରୋରେ ମାହି ମାତ୍ର କ୍ରିଜ୍ ଠାରୁ ୨ ଇଞ୍ଚ ପଛରେ ରହି ଆଉଟ୍ ହୋଇଥିଲେ। ଭାରତ ୨୨୧ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା ଏବଂ ନ୍ୟୁଜିଲାଣ୍ଡ ଫାଇନାଲକୁ ଯାଇଥିଲା। ଦର୍ଶକ ଉଦାସ ହୋଇ ଯାଇଥିଲେ ଏବଂ ମାହିଙ୍କ ଆଖିରେ ବି ଲୁହ ଦେଖିବାକୁ ମିଳିଥିଲା।
ରାଇନା ୨ ବର୍ଷ ପୂର୍ବେ ଖେଳିଥିଲେ ନିଜର ଶେଷ ମ୍ୟାଚ୍ :
୨୦୧୮ ମସିହା ଜୁଲାଇ ୧୭ରେ ସୁରେଶ ରାଇନା ଇଂଲଣ୍ଡ ବିପକ୍ଷରେ ଲର୍ଡସରେ ନିଜର ଶେଷ ଦିନିକିଆ ଖେଳିଥିଲେ। ଏହି ମ୍ୟାଚରେ ରାଇନା ୪ଟି ବଲ୍ ଖେଳି ମାତ୍ର ୧ ରନ୍ କରିଥିଲେ। ନିଜର ଡେବ୍ୟୁ ମ୍ୟାଚ୍ ଭଳି ଏହି ମ୍ୟାଚରେ ମଧ୍ୟ ରାଇନା ଛଅ ନମ୍ୱର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ସ୍ପିନର ଆଦିଲ ରାସିଦ ରାଇନାଙ୍କୁ ଜୋ ରୁଟ୍ ହାତରେ କ୍ୟାଚ୍ ଦେଇ ଆଉଟ୍ କରିଥିଲେ। ଧୋନିଙ୍କ ଭଳି ରାଇନା ମଧ୍ୟ ନିଜର ଶେଷ ମ୍ୟାଚରେ ଭାରତକୁ ବିଜୟର ସ୍ୱାଦ ଚଖାଇ ପାରି ନ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: