ଶ୍ରୀ ଲିଙ୍ଗରାଜଙ୍କ ପାଇଁ ‘ ଏକାମ୍ର ଯୋଜନା’, ଏମିତି ହେବ ନବକଳେବର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଶ୍ରୀ ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକ ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବର ଭବ୍ୟବିକାଶ କରାଯାଇ ଏଠାରେ ଏକ ଆଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତି ପରିବେଶ ସୃଷ୍ଟି କରାଯାଉଛି। ପୂର୍ବରୁ ୧୦ ରୁ ୧୫ ହଜାର ଲୋକ ମନ୍ଦିର ସମ୍ମୁଖରେ ସମବେତ ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହି ନୂଆ ଯୋଜନା ପରେ ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନର ଆଧ୍ୟାତ୍ମିକ ଅନୁଭବ ଲାଭ କରିପାରିବେ। ଶିବରାତ୍ରି ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ।


ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଲୋକ କାଉଡିଆ ଶ୍ରୀ ଲିଙ୍ଗରାଜ ମନ୍ଦିର ଆସିଥାନ୍ତି। ସେମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବରେ ମନ୍ଦିର ଯାଇ ପାଣି ଲାଗି ଓ ପୂଜା କରିପାରିବେ ସେଥିପାଇଁ ଏହି ଯୋଜନାରେ ଦୃଷ୍ଟି ଦିଆଯାଇଛି।
ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ଏବଂ ଏହା ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏକାମ୍ରକ୍ଷେତ୍ରର ଦ୍ବିତୀୟ ଆକର୍ଷଣ କେନ୍ଦ୍ର। ବିନ୍ଦୁ ବିନ୍ଦୁ ତୀର୍ଥରୁ ସୃଷ୍ଟି ହୋଇଥିବା ଏହି ପବିତ୍ର ପୁଷ୍କରିଣୀ ଏକାମ୍ରକ୍ଷେତ୍ରର ଆଧ୍ୟାତ୍ମିକ ଜୀବନର ଅନନ୍ୟ ଅଙ୍ଗ। ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ଏହାର ମଧ୍ୟ ସଂପର୍କ ରହିଛି । ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡା ଠାରୁ ଚନ୍ଦନ ତୀର୍ଥଯାତ୍ରୀମାନେ ସିଧା ଦେଖିପାରିବେ। ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ। ଐତିହାସିକ ଦଲିଲରୁ ଜଣାଯାଏ ଯେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ଅନ୍ୟ କୌଣସି ସ୍ଥାୟୀ ନିର୍ମାଣ ନ ଥିଲା। ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି।


ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ, ଓରିଏଣ୍ଟେସନ୍ ସେଣ୍ଟର, ପାର୍କିଂ, ଫୁଡ୍ ପ୍ଲାଜା, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯାଇ ପ୍ରସ୍ତୁତ କରାଯାଇଛି। ଅନନ୍ୟ କାରୁକାର୍ଯ୍ୟ ସୁଶୋଭିତ ମନ୍ଦିର, ଐତିହ୍ୟ ନଗରୀ ଭୁବନେଶ୍ୱର ଗରିମାକୁ ଆହୁରି ବୃଦ୍ଧି କରିବା ସହିତ UNESCOର ବିଶ୍ୱ ଐତିହ୍ୟସ୍ଥଳ ତାଲିକାରେ ଭୁବନେଶ୍ୱରକୁ ସ୍ଥାନିତ କରିବା ପାଇଁ ଦାବିକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଏ। ପୁରୀ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏକାମ୍ରକ୍ଷେତ୍ର ଯୋଜନା ହେଉଛି ରାଜ୍ୟ ସରକାରଙ୍କର ୫-ଟି ପ୍ରୋଗ୍ରାମ ଅନ୍ତର୍ଗତ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏକାମ୍ରକ୍ଷେତ୍ରର ସାଂସ୍କୃତିକ ଐତିହ୍ୟର ଅନ୍ୟତମ ଆକର୍ଷଣ, ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ, ଅଶୋକାଷ୍ଟମୀ ରଥଯାତ୍ରା ଓ ଶୀତଳ ଷଷ୍ଠୀକୁ ନ୍ୟାସନାଲ କ୍ୟାଲେଣ୍ଡର ଅଫ୍ ଫେଷ୍ଟିଭାଲରେ ସ୍ଥାନିତ ପାଇଁ ପଦକ୍ଷେପ ନିଆଯିବ।


Leave a Reply

Your email address will not be published.