ଶିମିଳିପାଳ ଅଗ୍ନିକାଣ୍ଡ: ନିଆଁର ଆକ୍ସନ ଓ ରିଆକ୍ସନ ରୂପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏସିଆ ମହାଦେଶର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ଲାଗିଛି ନିଆଁ। ଦୀର୍ଘ ଦଶ ଦିନ ଧରି ଲାଗିଥିବା ଏହି ନିଆଁ ହୁ ହୁ ହୋଇ ଜଳୁଛି। କିନ୍ତୁ, ଥମିବାର ନାଁ ନେଉନି। ଅନ୍ୟପଟେ ଶିମିଳିପାଳ ଅଗ୍ନିକାଣ୍ଡ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୈଠକ ପରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ନିଆଁ ପ୍ରତି ସତର୍କ ରହିବା ସହିତ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି-ଶିମିଳିପାଳ କେବଳ ଓଡ଼ିଶା ବା ଭରତର ନୁହେଁ ଏହା ସମଗ୍ର ବିଶ୍ଵର ଏକ ଅମୂଲ୍ୟ ସମ୍ପଦ । ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ପ୍ରତିଷେଧ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଏଥିସହିତ ଶିମିଳିପାଳ ଅଭୟାରଣ୍ୟ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ସଚିବ ମୋନା ଶର୍ମା କହିଛନ୍ତି ଯେ, ଶିମିଳିପାଳରେ ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ଅଛି । ଏଥିରେ କୌଣସି ଜୀବନ ହାନି ଘଟିନାହିଁ। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସଓପି ଜାରି କରାଯାଇଛି ।ଅଗ୍ନିକାଣ୍ଡ ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପିସିସିଏଫ୍ ଓ୍ୱାଇଲ୍ଡଲାଇଫ ଘଟଣା ସ୍ଥଳରେ ଉପସ୍ଥିତ ଥିବା ସହିତ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ପ୍ରଥମେ ମୟୂରଭଞ୍ଜ ବେଲଗାଡ଼ିଆ ପ୍ୟାଲେସର ରାଜକୁମାରୀ ତଥା ରାଜପ୍ରାସାଦର ନିର୍ଦ୍ଦେଶକ ଅକ୍ସିତା ଏମ୍. ଭଞ୍ଜଦେଓ ଘଟଣାକୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ତୁରନ୍ତ ଆକ୍ସନ ନେବାକୁ ଟ୍ୱିଟ୍ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ କୁଇକ୍ ରିଆକ୍ସନ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପିସିସିଏଫକୁ ରିପୋର୍ଟ ତଲବ କରିଛନ୍ତି। ଅନ୍ୟପଟେ ନିଆଁ ଲିଭା କାର୍ଯ୍ୟରେ ପ୍ରାୟ ଏକ ହଜାର କର୍ମଚାରୀ ନିୟୋଜିତ ଥିବା ଶିମିଳିପାଳ ଅଭୟାରଣ୍ୟ ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ନିଆଁ ନିୟନ୍ତ୍ରଣକୁ ଆସିବା ଅଧିକ ଜରୁରୀ ନା ଲିଭାଇବା ? ଦଶ ଦିନ ହେଲା ଯଦି ସେଠାରେ ନିଆଁ ଜଳୁଛି, ତେବେ ସରକାର ବା ପ୍ରଶାସନ କରୁଥିଲେ କ’ଣ ? ସେଠାରେ ଅନେକ ଔଷଧୀୟ ବୃକ୍ଷ ରହିଛି। ସେଗୁଡ଼ିକ ଜଳି ପାଉଁଶ ହୋଇଗଲା ପରେ ସେଥିପାଇଁ କିଏ ଦାୟୀ ରହିବ ? ଏକ ସପ୍ତାହରୁ ଅଧିକ ସମୟ ଧରି ଅଭୟାରଣ୍ୟକୁ ଅଗ୍ନି ଗ୍ରାସି ଚାଲିଥିବାବେଳେ କାହାରି ଦୃଷ୍ଟି ପଡ଼ିଲାନି କେମିତି ? ଶିମିଳିପାଳ ଜଙ୍ଗଲ ନିଆଁକୁ ଆଳ କରି କଟା ହୋଇଥିବା ଏକର ଏକର ଶାଳ ଜଙ୍ଗଲ ନିଆଁର ଆଁ ଭିତରେ ହଜିଗଲା ଦର୍ଶାଇ ଦିଆଯିବନି ତ ? ସରକାରଙ୍କ ଇଏ ଆଖିରେ ଆଙ୍ଗୁଳି ଗେଞ୍ଜା ରାଜନୀତି ନୁହେଁ ତ ? ଅକ୍ସିତା ଭଞ୍ଜଦେଓ କରିଥିବା ଟ୍ୱିଟରେ ଉଲ୍ଲେଖ ଅଛି ଯେ, ଏକ ସପ୍ତାହ ପୂର୍ବେ ଅଭୟାରଣ୍ୟରୁ ୫୦ କେଜି ହାତୀ ଦାନ୍ତ ଜବତ ହୋଇଥିଲା। ଏହି ହାତୀ ଦାନ୍ତ କିଏ ଆଣିଥିଲା ? ସବୁବେଳେ ଶିକାରୀ ଓ ମାଫିଆଙ୍କ କବଜାରେ ଶିମିଳିପାଳ ଥିବା ନେଇ ଅଭିଯୋଗ ହେଉଛି। ସେଥିପ୍ରତି ସରକାର କେତେଦୂର ପଦକ୍ଷେପ ନେଇଛନ୍ତି ? ତେଣୁ, ଏହାକୁ ପଲିଟିକାଲ ଫାୟାରର ରୂପ ନ ଦେଇ ସରକାର ତୁରନ୍ତ ହେଲିକପ୍ଟର କିମ୍ୱା ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ି ନିଆଁ ଲିଭାନ୍ତୁ। ନଚେତ୍ ୨ ହଜାର ୭୦୫ ବର୍ଗ କିଲୋମିଟର ବିଶିଷ୍ଟ ଅଭୟାରଣ୍ୟର ଅବସ୍ଥା ପାଉଁଶ ଗଦା ପାଲଟି ଯିବ।

%d bloggers like this: