ନୂଆ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରି ନୂଆ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀ ଏହି ଅବସରରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମୃତିଚାରଣ କରିବା ସହ ଉଲ୍ଲେଖ କରିଛନ୍ତି ଯେ, ‘ଗଣତନ୍ତ୍ରରେ ଲୋକମାନେ ହିଁ ପ୍ରକୃତ ମାଲିକ। ଲୋକଙ୍କ ଉନ୍ନତି ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ବିଜୁବାବୁ ଥିଲେ ଅଗ୍ରଗଣ୍ୟ। ତାଙ୍କ ଅବଦାନକୁ ସ୍ମରଣ କରି ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ଆସନ୍ତୁ ଏକ ନୂଆ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବା।‘

ସୂଚନା ଥାଉ କି ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କର ସ୍ମୃତି ଚାରଣ କରାଯାଇଛି । ଅନ୍ୟପଟେ ରାଜ୍ୟ ସରକାର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଞ୍ଚାୟତ ରାଜ ଦିବସ ଭାବେ ପାଳନ କରୁଛନ୍ତି।

ଆଜି ପଞ୍ଚାୟତିରାଜ ଦିବସ ପାଇଁ ସମସ୍ତ  ସ୍କୁଲ ଓ ଜୁନିୟର କଲେଜ ଛୁଟି ରହିଛି। ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପର୍ଯ୍ୟନ୍ତ ସମସ୍ତ ର୍ନିବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ନିଷ୍ପତି ନିଆଯାଇଛି।

୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ସହ ସେ ହିଁ ବାସ୍ତବ କ୍ଷେତ୍ରରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ କଲେ। ପଞ୍ଚାୟତିରାଜ ବ୍ୟବସ୍ଥା ଅନୁସୂଚିତ ଜାତି ଓ ଜନଜାତିର ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରହିଲା। ବିଧାନସଭାରେ ଏସଂପର୍କିତ ବିଲ୍ ପାସ କରି ବିଜୁବାବୁ ଏ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଏପରିକି ସାରା ଦେଶରେ ଏନେଇ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ। ତେଣୁ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଉଛି।

%d bloggers like this: