‘ଗ୍ରାମ ଉତଥାନ’ ପକ୍ଷରୁ ସାମୁଦାୟିକ ଶିକ୍ଷଣ କେନ୍ଦ୍ର ଉଦଘାଟିତ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋନପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମ ଉତଥାନ’ ପକ୍ଷରୁ ସାମୁଦାୟିକ ଶିକ୍ଷଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏସ୍. ପତ୍ରାପାଲି ସ୍ଥିତ ଗିନ୍ଧଲାମାଲ ଏବଂ ଲମତୋଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୋନପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଏସ୍. ପତ୍ରାପାଲିର ସରପଞ୍ଚ ସୁରମା ମହାଲିଙ୍ଗ, ନାଏବ ସରପଞ୍ଚ ଗୋରସେବା କଣ୍ଡୁଲୁନା, ସମିତି ସଭ୍ୟ ନମିତା ପଣ୍ଡା, ସମାଜସେବୀ ସନାତନ ମହାଲିଙ୍ଗ ପ୍ରମୁଖ ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ‘ଗ୍ରାମ ଉତଥାନ’ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ବର୍ତ୍ତମାନର ଶିକ୍ଷାର ବିକାଶ ପାଇଁ ଏବଂ ପିଲାଙ୍କୁ ଶିକ୍ଷିତ କରିବା ପାଇଁ ଏହି ଅନୁଷ୍ଠାନ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛି। ବିଶେଷ କରି ସାମୁଦାୟିକ ଶିକ୍ଷଣ କେନ୍ଦ୍ର ଓ ବିଦ୍ୟାଳୟ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଗୁଣାତ୍ମକ ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି। ସଂସ୍ଥାର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଶତପଥୀଙ୍କ ପୌରୋହିତ୍ୟରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରତାପ କୁମାର ଏହାର ସଂଯୋଜନା ଦାୟିତ୍ୱ ସମ୍ଭାଳିଥିଲେ।

%d bloggers like this: