ହର୍ସଦ ମେହେଟ୍ଟାଙ୍କ ପତ୍ନୀ ଏବେ କେଉଁଠି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତର ପୂର୍ବତନ ଷ୍ଟକ୍ ବ୍ରୋକର ହର୍ସଦ ମେହେଟ୍ଟାଙ୍କ ୧୯୯୨ ମସିହାର ଦୁର୍ନୀତିକୁ ନେଇ ନିର୍ମାଣ ହୋଇଥିବା ୱେବ ସିରିଜ ‘ସ୍କାମ-1992’କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ସିରିଜ ପାଇଁ ଦର୍ଶକ ଏବେ କ୍ରେଜି ଥିବାବେଳେ ହର୍ସଦ ମେହେଟ୍ଟାଙ୍କ ପତ୍ନୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଦେଖିବାକୁ ମିଳିଛି। ତାଙ୍କ ପତ୍ନୀ ଏବେ କେଉଁଠି ଅଛନ୍ତି, କ’ଣ କରୁଛନ୍ତି, ଏମିତି ନାନା ପ୍ରସଙ୍ଗକୁ ନେଇ ଦେଶରେ ଆଲୋଚନା ହେଉଛି।

ହର୍ସଦ ମେହେଟ୍ଟାଙ୍କ ପତ୍ନୀ କିଏ ?
ହର୍ସଦ ମେହେଟ୍ଟାଙ୍କ ପତ୍ନୀଙ୍କ ନାଁ ଜ୍ୟୋତି। ଉଭୟେ କମ୍ ବୟସରୁ ବିବାହ କରିଥିଲେ। ତେବେ ଜ୍ୟୋତି ଜଣେ ଗୃହିଣୀ ଥିଲେ। ମାତ୍ର, ୧୯୯୨ ମସିହାରେ ଯେତେବେଳେ ହର୍ସଦ ମେହେଟ୍ଟାଙ୍କୁ ଦୁର୍ନୀତି ଅଭିଯୋଗରେ ସିବିଆଇ ଗିରଫ କରିଥିଲା, ସେହି ସମୟରେ ଜ୍ୟୋତି ନିଜର ପରିବାରର ଦାୟିତ୍ୱ ନେଇଥିଲେ। ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି। ମାତ୍ର, ୨୦୦୧ ମସିହାରେ ହର୍ସଦଙ୍କ ହୃତଘାତରେ ମୃତ୍ୟୁ ହେବାପରେ ଜ୍ୟୋତି ଭାଙ୍ଗି ପଡ଼ିଥିଲେ ଏବଂ ତାଙ୍କର ପାରିବାରିକ ଜୀବନରେ କଳାବାଦଲ ଘୋଟି ଆସିଥିଲା।

ହର୍ସଦ ମେହେଟ୍ଟାଙ୍କ ପତ୍ନୀ ଏବେ କେଉଁଠି ?

ହର୍ସଦଙ୍କ ମୃତ୍ୟୁ ପରେ ଜ୍ୟୋତି ତାଙ୍କ ସ୍ୱାମୀଙ୍କ ଆର୍ଥିକ ହେରଫେର ନେଇ ଏକ ଦୀର୍ଘ ଆଇନଗତ ବିବାଦରେ ଛନ୍ଦି ହୋଇ ପଡ଼ିଥିଲେ। ସ୍ୱାମୀଙ୍କ ସମ୍ପତ୍ତି ଅଧିକାର ପାଇବା ପାଇଁ ତାଙ୍କୁ ଦୀର୍ଘଦିନ ଧରି କୋର୍ଟର ଦରଜା ବାଡ଼େଇବାକୁ ପଡ଼ିଥିଲା। ଏପରିକି ଆୟକର ବିଭାଗ, ଆପିଲେଟ୍ ଟ୍ରିବ୍ୟୁନାଲ ହର୍ସଦ, ଜ୍ୟୋତି, ହର୍ସଦଙ୍କ ଭାଇ ଅଶ୍ୱିନଙ୍କ ଉପରେ ୨ ହଜାର କୋଟି ଟଙ୍କାର ବୋଝ ଦେଇଥିଲା। ମାତ୍ର, ୨୭ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ୨୦୧୯ରେ ଜ୍ୟୋତିଙ୍କ ଉପରୁ ଟ୍ୟାକ୍ସର କଳାବାଦଲ ହଟି ଯାଇଥିଲା। ସେହିବର୍ଷ ଫେଡେରାଲ ବ୍ୟାଙ୍କ ଓ ଷ୍ଟକ୍ ବ୍ରୋକର କିଶୋର ଜନାନୀଙ୍କ ବିରୋଧରେ ଜ୍ୟୋତି ଏକ ମାମଲା ଜିତିଥିଲେ, ଯେଉଁଥିରେ ୧୯୯୨ରୁ ହର୍ସଦଙ୍କ ସହ ଯୁଗ୍ମ ଭାବରେ ତାଙ୍କ ନାଁରେ ୬ କୋଟି ଟଙ୍କା ଥିଲା। ଜ୍ୟୋତି ଯେହେତୁ ତାଙ୍କର ଏକମାତ୍ର ଉତ୍ତରାଧିକାରୀ, ସେଥିପାଇଁ ସେ ୧୮ ପ୍ରତିଶତ ସୁଧ ସହ ସମସ୍ତ ଟଙ୍କା ପାଇବାକୁ ଯୋଗ୍ୟ ବିବେଚିତ ହେଲେ। କିଛି ମିଡିଆ ରିପୋର୍ଟର ତଥ୍ୟ ଅନୁସାରେ, ଜ୍ୟୋତି ନିଜର ଏକମାତ୍ର ପୁଅ ଅତୁରଙ୍କ ସହ ମୁମ୍ୱାଇ ଛାଡ଼ି ଆମେରିକାରେ ଗୋପନରେ ବାସ କରୁଛନ୍ତି। ଅବଶ୍ୟ ଏହା ଏକ ଗୁଜବ ମାତ୍ର। ଜ୍ୟୋତି ବର୍ତ୍ତମାନ କୌଣସି ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ନାହାନ୍ତି। ତାଙ୍କ ସମ୍ପର୍କରେ ବା ତାଙ୍କ ପତିଙ୍କ କୋଟିକୋଟି ଟଙ୍କାର ଦୁର୍ନୀତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ବର୍ତ୍ତମାନ କୌଣସି ଖିଅ ବଞ୍ଚିନାହିଁ। ତେଣୁ, ଏନେଇ ବା ଜ୍ୟୋତି କେଉଁଠି ରହୁଛନ୍ତି, ସେନେଇ ଖୋଳତାଡ଼ କରୁଥିବା ସଂସ୍ଥା ବା ବ୍ୟକ୍ତି ବିଶେଷ ଅନ୍ଧାରରେ ବାଡ଼ି ବୁଲାଇବା ବ୍ୟତୀତ କିଛି ଲାଭ ହେବ ନାହିଁ।

%d bloggers like this: