ଆଇସିଜେରେ ରୁଷିଆକୁ କଡ଼ା ସମାଲୋଚନା

ଆଇସିଜେରେ ରୁଷିଆକୁ କଡ଼ା ସମାଲୋଚନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସରେ ରୁଷିଆ-ୟୁକ୍ରେନ ବିବାଦ । ସୋମବାର ନେଦରଲ୍ୟାଣ୍ଡ୍‌ସ ସ୍ଥିତ ଆଇସିଜେରେ କଡ଼ା ସମାଲୋଚନାର ଶିକାର ହୋଇଛି ରୁଷିଆ । ୟୁକ୍ରେନ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ ରୁଷିଆ ପ୍ରତିପକ୍ଷ ଅନୁପସ୍ଥିତ ଥିଲେ । ଫଳରେ କୋର୍ଟ ରୁଷିଆ ଉପରେ ଖପ୍ପା ହୋଇଛନ୍ତି । ଏହାସହ ମାମଲାର ଶୁଣାଣି ଖୁବଶୀଘ୍ର କରିବାକୁ କୋର୍ଟ କହିଛନ୍ତି। ତେବେ ରୁଷିଆ ଉପରେ ୟୁକ୍ରେନ ନରସଂହାର ଅଭିଯୋଗ ଆଣିବା ସହ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆଇସିଜେ ନିକଟରେ ଅନୁରୋଧ କରିଛି ।


ସେପଟେ ରୁଷିଆକୁ ନିଜ ପକ୍ଷ ରଖିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହା ପୂର୍ବରୁ ପ୍ରଥମ ଦିନରେ ରୁଷିଆ ଶୁଣାଣି ସମୟରେ ଅନୁପସ୍ଥିତ ରହିଛି । ଫଳରେ ରୁଷିଆ ପ୍ରତିନିଧି ଆସନ ଖାଲି ଥିବା ଦେଖି ଆଇସିଜେ ମୁଖ୍ୟ ଜୋନ ଡନହ୍ୟୁ ଦୁଃଖ ପ୍ରକାଶ କରିଛନ୍ତି । ତେଣେ, ରାଷ୍ଟ୍ରଦୂତ ଆଲେକଜାଣ୍ଡର ସଲଜିନ୍ ରୁଷିଆର ଅନୁପସ୍ଥିତିକୁ ନେଇ ମତ ରଖିଛନ୍ତି । ତାଙ୍କରି କହିବା କଥା, ପୁଟିନ ସରକାର ଏହି ମାମଲାର ଶୁଣାଣିରେ ଭାଗ ନ ନେବାକୁ ସ୍ଥିର କରିଛନ୍ତି । ଏହି ପ୍ରସଙ୍ଗରେ କୋର୍ଟଙ୍କୁ ଲିଖିତ ଭାବେ ମଧ୍ୟ ଅବଗତ କରାଯାଇଥିବା ସେ କହିଛନ୍ତି।

ସେହିପରି ୟୁକ୍ରେନ ପ୍ରତିନିଧି ଏଣ୍ଟନ କୋରେୟନଭିଚ୍ ମଧ୍ୟ କୋର୍ଟରେ ପକ୍ଷ ରଖିଛନ୍ତି । ସେ କହିଛନ୍ତି ଯେ, ରୁଷିଆ ବର୍ତ୍ତମାନ ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ସହ ଲଢ଼େଇ କରୁଛି । ସେଥିପାଇଁ କୋର୍ଟରେ ଉପସ୍ଥିତ ନାହିଁ । ଏହି ଯୁଦ୍ଧ ବନ୍ଦ ହେବା ଦରକାର । ଏହାକୁ ବନ୍ଦ କରିବାରେ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତେଣୁ କୋର୍ଟ ଏ ଦିଗରେ ତୁରନ୍ତ ରାୟ ଶୁଣାନ୍ତୁ ବୋଲି ଏଣ୍ଟନ କହିଛନ୍ତି। ଏହାସହ ରୁଷିଆର ପଦକ୍ଷେପ ନେଇ ସେ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: