ଚମତ୍କାର: ୧୨୫ ବର୍ଷ ପରେ ଦେଖାଗଲା ବିଲୁପ୍ତ ପ୍ରଜାତିର ପେଚା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା କଟକଣା ଏବଂ ଲକଡାଉନ୍ ଯୋଗୁଁ ଲୋକମାନେ ଗୃହବନ୍ଦୀ ଜୀବ କାଟୁଛନ୍ତି । ଏହା ପରିବେଶ ପାଇଁ ବେଶ ବରଦାନ ସାବ୍ୟସ୍ତ ହୋଇଛି । ବହୁତ କମ୍ ମାତ୍ରାରେ ଲୋକେ ବାହାରକୁ ଯାଉଥିବାରୁ ପରିବେଶ ପ୍ରଦୂଷଣର ମାତ୍ରା କମିଛି। ଫଳରେ ବିଲୁପ୍ତ ହେବାକୁ ବସିଥିବା ବା ମଣିଷ ସମାଜ ପାଇଁ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଥିବା ଅନେକ ପ୍ରଜାତିର ଜୀବଜନ୍ତୁ ପୁଣି ଥରେ ଦୃଶ୍ୟମାନ ହେଉଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ନାରଙ୍ଗୀ ରଙ୍ଗ ଆଖି ଥିବା ବୋର୍ନିଆନ୍ (Bornean)) ପ୍ରଜାତିର ରାଜ ସ୍କପ୍ ପେଚା । ଏହି ପେଚାମାନେ ପ୍ରାୟ ଶହେ ପଚିଶ(୧୨୫) ବର୍ଷ ପରେ ମାଲେସିଆର ଜଙ୍ଗଲରେ ଦେଖା ଯାଇଛନ୍ତି।

ରାଜ ସ୍କପ୍ ପେଚା ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ରୂପ ଏବଂ ଜୀବନଶୈଳୀ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି ପ୍ରଜାତିର ପେଚା ବିଷୟରେ ଅଧିକ ବିବରଣୀ ଆମ ସମାଜରେ ନାହିଁ । କିନ୍ତୁ ଜଙ୍ଗଲ ନଷ୍ଟ ହେବା ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଏହି ପ୍ରଜାତିର ପେଚାକୁ ହରାଇଥିବା କୁହାଯାଉଛି । କିନ୍ତୁ ବର୍ତ୍ତମାନ ପୁଣିଥରେ ଏହି ପେଚା ଦୃଶ୍ୟମାନ ହେତୁ ବୈଜ୍ଞାନିକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

୧୮୯୨ ମସିହାରେ ରିଚାର୍ଡ ବୋଡଲର୍ ଶାର୍ପଙ୍କ ଦ୍ଵାରା ଏହି ପେଚା ବିଷୟରେ ସୂଚନା ଦିଆଯିବା ସହ ଦୁନିଆରେ ଏକ କମଳା ଆଖିର ପେଚା ରହିଛି ବୋଲି କୁହାଯାଇଥିଲା। ଏହାର ନାମ ମାଲେସିଆର ରାଜାଙ୍କ ନାମରେ ରଖାଯାଇଥିଲା । ଅନୁସନ୍ଧାନକାରୀମାନେ ଆଶା ଛାଡିଦେଇଥିଲେ ଯେ, ଏହି ପେଚା ଆଉ ଥରେ କେବେ ଦେଖାଯିବ ବୋଲି । କିନ୍ତୁ ୧୨୫ ବର୍ଷ ପରେ ଅସମ୍ଭବ ସମ୍ଭବ ହେଲା ପରି ଏହି ପେଚା ଦେଖାଯିବା ପରେ ପରିବେଶବିତ୍ ମାନେ ବେଶ ଖୁସି ପ୍ରକଟ କରିଛନ୍ତି । ବୈଜ୍ଞାନିକମାନେ ବର୍ତ୍ତମାନ ଏହି ପେଚା ଉପରେ ଅଧିକ ଅନୁସନ୍ଧାନ କରି ଜାଣିବାକୁ ଚେଷ୍ଟା କରିବେ ଯେ, ସେମାନେ ଏତେ ବର୍ଷ ପର୍ଯ୍ୟନ୍ତ କେଉଁଠି ଲୁଚି ରହିଥିଲେ? ଏହାର ବଂଶ ବୃଦ୍ଧି ପାଇଁ ମଧ୍ୟ ପ୍ରୟାସ କରାଯିବ । ତେବେ କରୋନା କାଳରେ ପ୍ରଦୂଷଣ ମାତ୍ରା କମିବା ଏହି ପେଚା ଓ ସମାଜ ପାଇଁ ବରଦାନ ହୋଇଛି ବୋଲି ଅନେକ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *