ଏହି ମନ୍ଦିରରେ ସନ୍ଧ୍ୟା ପରେ ରହିବା ମନା, ମଣିଷ ହୋଇଯାନ୍ତି ପଥର

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆମ ଦେଶରେ ବିଭିନ୍ନ ଶୈଳୀ କଳାକୃତିର ମନ୍ଦିରମାନ ଦେଖିବାକୁ ମିଳିଥାଏ। ତେବେ ଏହି ମନ୍ଦିର ଗୁଡିକ ଦେଖିବାକୁ ଯେତିକି ସୁନ୍ଦର ଆଉ ପୁରୁଣା, ତାହାର କାହାଣୀ ମଧ୍ୟ ସେତିକି ରହସ୍ୟମୟ ଓ ରୋଚକ ହୋଇଥାଏ। ସେହି ଲୁଚି ରହିଥିବା ରହସ୍ୟ ଅତ୍ୟନ୍ତ ପ୍ରାଚୀନ। ଏପରି ହିଁ ଏକ ରହସ୍ୟମୟ ମନ୍ଦିର ହେଉଛି ରାଜସ୍ଥାନର କିରାଡୁ ମନ୍ଦିର। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ରୁହନ୍ତି ନାହିଁ। ଏହାର ପଛରେ ଏକ ଭାୟଙ୍କର ରହସ୍ୟ ରହିଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ବିଶ୍ୱାସ କରାଯାଏ ଯେ, ରାତିରେ ଏଠାରେ ରହିବା ଦ୍ୱାରା ଲୋକମାନେ ପଥର ହୋଇ ଯାଆନ୍ତି।

ରାଜସ୍ଥାନର ବାରମେର ଜିଲ୍ଲାରେ ରହିଛି ଏହି ମନ୍ଦିରଟି ଅବସ୍ଥିତ । ଏହି ମନ୍ଦିର ରାଜସ୍ଥାନର ଖଜୁରାହୋ ମନ୍ଦିର ଭାବେ ମଧ୍ୟ ପରିଚିତ। ମନ୍ଦିରଟି ଦକ୍ଷିଣ ଭାରତୀୟ ଶୈଳୀରେ ତିଆରି ହୋଇଛି। ଏହି ମନ୍ଦିର ଯେତିକି ରହସ୍ୟମୟ ତାର ସ୍ଥାପତ୍ୟ କଳା ସେତିକି ସୁନ୍ଦର । ଏହି ସ୍ଥାନଟିକୁ ଖ୍ରୀଷ୍ଟପୂର୍ବ ୧୧୬୧ରେ କିରାଟ କୁପ ବୋଲି କୁହାଯାଉଥିଲା।

କିରାଡୁ ମନ୍ଦିର ହେଉଛି ପାଞ୍ଚଟି ମନ୍ଦିରର ଏକ ମିଳନ ସ୍ଥଳ । ଯେଉଁଠି ଭଗବାନ ବିଷ୍ଣୁଙ୍କ ମନ୍ଦିର ଓ ଶିବ ମନ୍ଦିର ଭଲ ଅବସ୍ଥାରେ ଥିବା ବେଳେ ଅନ୍ୟ ମନ୍ଦିର ଗୁଡିକ ଭଗ୍ନ ଅବସ୍ଥାରେ ରହିଛି। ଏହି ମନ୍ଦିରଟି କେବେ ଓ କିଏ ନିର୍ମାଣ କରାଇଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହି ମନ୍ଦିର ବିଷୟରେ ବିଶ୍ୱାସ ରହିଛି ଯେ, ବହୁ ବର୍ଷ ପୂର୍ବେ ଜଣେ ସାଧୁ ତାଙ୍କର କିଛି ଶିଷ୍ୟ ସହ ଏଠାକୁ ଆସିଥିଲେ। ଏହାପରେ ସେ ନିଜ ଶିଷ୍ୟଙ୍କୁ ସେଠାରେ ଛାଡି ଅନ୍ୟତ୍ର ଭ୍ରମଣ ପାଇଁ ଯାଇଥିଲେ। ସେହି ସମୟରେ ତାଙ୍କ ଶିଷ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେମାନେ ଗ୍ରାମବାସୀଙ୍କୁ ସାହାଯ୍ୟ ମାଗିଥିଲେ। ମାତ୍ର କେହି ସାହାଯ୍ୟ କଲେ ନାହିଁ। ସାଧୁ ଆସି ପହଞ୍ଚିବା ପରେ ସମସ୍ତ ଘଟଣା ବିଷୟରେ ଜାଣି କ୍ରୋଧିତ ହୋଇ ସେଠାକୁ ସୂର୍ଯ୍ୟାସ୍ତ ପରେ ଆସିଲେ ପଥର ହୋଇଯିବେ ବୋଲି ଅଭିଶାପ ଦେଇଥିଲେ। ସମସ୍ତ ଗ୍ରାମବାସୀ ସାଧୁଙ୍କ ଅଭିଶାପରେ ପଥର ହୋଇ ଯାଇଥିଲେ।

କିନ୍ତୁ କୁହାଯାଏ ଯେ, ସେହି ଗ୍ରାମର ଜଣେ କୁମ୍ଭାରୁଣୀ ଶିଷ୍ୟମାନଙ୍କୁ ସାହାଯ୍ୟ କରିଥିବାରୁ ସାଧୁ ତାଙ୍କୁ ଅନ୍ୟତ୍ର ପଳାଇବାକୁ କହିଥିଲେ। ପଛକୁ ଅନାଇବାକୁ ମଧ୍ୟ ବାରଣ କରିଥିଲେ। ହେଲେ ହେଲେ ସେ ଯିବା ସମୟରେ ସାଧୁଙ୍କ କଥା ସତ ନା ମିଛ ଜାଣିବା ପାଇଁ ପଛକୁ ଅନାଇଵାରୁ ପଥର ହୋଇ ଯାଇଥିଲେ । ଏବେ ସୁଦ୍ଧା ସେହି କୁମ୍ଭାରୁଣୀ ସେଠାରେ ସେମିତି ପଥର ହୋଇ ରହିଥିବାର କୁହାଯାଏ।  ଏହାସହ ଜାଗାଟା ନିଛାଟିଆ ସ୍ଥାନରେ ଥିବାରୁ କାଳେ କିଛି ଅଘଟଣ ଘଟି ପାରେ ସେଥି ପାଇଁ ସନ୍ଧ୍ୟା ପରେ ସେଠିକି କେହି ଯାଆନ୍ତି ନାହିଁ।

Leave a Reply

Your email address will not be published. Required fields are marked *