ନିରବ ପ୍ରେମିକ ନୱାଜୁଦ୍ଦିନ ଓ ପାରିବାରିକ ମର୍ଡର ମିଷ୍ଟ୍ରୀ ‘ରାତ୍ ଅକେଲି ହୈ’

ନିରବ ପ୍ରେମିକ ନୱାଜୁଦ୍ଦିନ ଓ ପାରିବାରିକ ମର୍ଡର ମିଷ୍ଟ୍ରୀ ‘ରାତ୍ ଅକେଲି ହୈ’

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଏଇ କିଛିଦିନ ପୂର୍ବରୁ ହନି ତ୍ରେହନଙ୍କ ଡେବ୍ୟୁ ନିର୍ଦ୍ଦେଶନାରେ ରିଲିଜ ହୋଇଛି ବଲିଉଡ ଫିଲ୍ମ ‘ରାତ୍ ଅକେଲି ହୈ’। ନୱାଜୁଦ୍ଦିନ ସିଦ୍ଦିକ ଓ ରାଧିକା ଆପତେ ଅଭିନୀତ ଏହି ସିନେମାର କାହାଣୀ ଏକ ମର୍ଡର ମିଷ୍ଟ୍ରୀକୁ ନେଇ ଗଢ଼ି ଉଠିଛି। ନିର୍ଦ୍ଦେଶକ ତିଗମାନସୁ ଧୁଲିଆଙ୍କୁ ଏଥିରେ ଅଭିନେତା ତିଗମାନସୁ ରୂପରେ ଦେଖିବାକୁ ମିଳିଛି। ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିବା ଏହି ସିନେମା ପାରିବାରିକ କାହାଣୀ ଉପରେ ଆଧାରିତ। ଜମିଦାର ରଘୁବୀର ସିଂହଙ୍କ ହତ୍ୟାକୁ ନେଇ ଆଗକୁ ବଢ଼ୁଥିବା ଏହି ସିନେମାର ପ୍ରତିଟି ଦୃଶ୍ୟରେ ଏକ ନୂଆ ସସପେନ୍ସ ଭରି ରହିଛି। ଫିଲ୍ମଟି ରାତିକାଳୀନ ଏକ ଦୃଶ୍ୟରୁ ଆରମ୍ଭ ହେଉଛି। ରାତିର ଅନ୍ଧାର ଭିତରୁ ଗାଡ଼ିର ଦୁଇଟି ଲାଇଟ୍ କେବଳ ଦେଖାଯାଉଛି ଏବଂ ଧୀରେଧୀରେ କ୍ୟାମେରାର ମୋସନ୍ ପରିବର୍ତ୍ତନ ହେଉଛି। ଏହାପରେ କାହାଣୀଟି ଗତିଶୀଳ ଢଙ୍ଗରେ ଆଗକୁ ବଢ଼ୁଛି। ଜଟିଲ ଯାଦବ ନାମକ ଜଣେ ପୋଲିସ ଅଫିସର ଭୂମିକାରେ ନୱାଜୁଦ୍ଦିନ ସିଦ୍ଦିକ ନିଜର ଅଭିନୟକୁ ସୁଚାରୁ ରୂପେ ତୁଲାଇଛନ୍ତି। ବେଶ୍ କିଛିଦିନ ଧରି ଶିଥିଳ ଅଭିନୟ କରିଥିବା ନୱାଜୁଦ୍ଦିନ ଏହି ସିନେମାରେ ପୁଣି ଥରେ ନିଜର ନିଆରା ଅନ୍ଦାଜରେ କମବ୍ୟାକ୍ କରିଛନ୍ତି। ସଂଳାପ କହିବାର ଶୈଳୀ, ଅଭିନୟର ଦୃଷ୍ଟିଭଙ୍ଗୀ ଆଦିକୁ ଠିକ୍ ଭାବେ ପରିଚାଳନା କରିଛନ୍ତି ନୱାଜୁଦ୍ଦିନ। ଖାକି ପୋଷାକରେ କଳା ଚଷମା ପିନ୍ଧି ବୁଲେଟ୍ ଗାଡ଼ି ଚଢ଼ୁଥିବା ଜଟିଲ ଯାଦବ ଏହି ସିନେମାରେ କେତେବେଳେ ନିରବ ପ୍ରେମିକ ସାଜି ରାଧିକା ଆପତେଙ୍କ ପ୍ରତି ନରମ ମନୋଭାବ ଦେଖାଇଛନ୍ତି ତ ଆଉ କେତେବେଳେ ପୋଲିସ ଅଫିସର ସାଜି ହତ୍ୟା ଘଟଣାର ତଦନ୍ତ କରିଛନ୍ତି। ତିଗମାନସୁ ଧୁଲିଆଙ୍କ ଅଭିନୟ କିନ୍ତୁ ହାରାହାରି ରହିଛି।

ଯଦି ଆପଣ ଦୀର୍ଘଦିନ ଧରି ଏକ ନିଖୁଣ ଅଭିନୟ ଦେଖି ନ ଥିବେ, ତେବେ ଏହି ଫିଲ୍ମ ଦେଖନ୍ତୁ। କାରଣ, ରାଧିକା ଆପତେ ଏବଂ ନୱାଜୁଦ୍ଦିନ ସିଦ୍ଦିକଙ୍କ ଅଭିନୟ ଆପଣଙ୍କ ମନ କିଣିନେବ। ଏହି ଫିଲ୍ମର କାହାଣୀର ଅଧିକାଂଶ ଦୃଶ୍ୟ ବାସ୍ତବ ଲାଗୁଛି। କେତେକ ଦୃଶ୍ୟ ବ୍ୟତୀତ ବାକି ସବୁଥିରେ ଆପଣ ଉପଭୋଗ କରିବେ। ରାଧିକା ଆପତେଙ୍କୁ ଆରମ୍ଭରୁ ପ୍ରକୃତ ହତ୍ୟାକାରୀ ଭାବେ ନିର୍ଦ୍ଦେଶକ ପ୍ରଦର୍ଶନ କରିଥିବା ଆପଣ ଭାବୁଥିବେ, କିନ୍ତୁ ଶେଷରେ କାହାଣୀର ଶେଷ ଭାଗରେ ଅଲଗା ଟ୍ୱିଷ୍ଟ ଦେଖିବାକୁ ପାଇବେ। ସେହିପରି ମର୍ଡର ମିଷ୍ଟ୍ରୀର କାହାଣୀକୁ ଏମିତି ଢଙ୍ଗରେ ଲେଖାଯାଇଛି, ଯାହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ନିଶାନ୍ତ ଦହିୟା ଏବଂ ସ୍ୱାନନ୍ଦ କିରକିରେ ନିଜ ଅଭିନୟକୁ ସୁଚାରୁ ରୂପେ ତୁଲାଇଛନ୍ତି। ସେହିପରି ମହିଳା କଳାକାର ଭିତରେ ବସୁଧା ସିଂହ ଭୂମିକାରେ ଅଭିନୟ କରିଥିବା ଶିବାନୀ ରଘୁବଂଶୀ ନିଜ ଦାୟିତ୍ୱକୁ ଠିକ୍ ସମ୍ଭାଳିଛନ୍ତି। ‘ମେଡ୍ ଇନ୍ ହେଭେନ୍’, ‘ତିତଲି’, ‘ପୋଷମ ପା’ ଭଳି ସିନେମାରେ ଅଭିନୟ କରିଥିବା ଶିବାନୀ ଏହି ଫିଲ୍ମର ଶେଷ ଦୃଶ୍ୟ ଯାଏ ଭରପୁର ସସପେନ୍ସ ଅଭିନୟ କରିଛନ୍ତି। ସିନେମାର କାହାଣୀ ଏମିତି ଗଢ଼ା ହୋଇଛି ଯେ, ଶିବାନୀଙ୍କ ଚରିତ୍ରକୁ ଆପଣ ଶେଷ ପର୍ଯ୍ୟନ୍ତ ନିରିଖି ପାରିବେନି।

‘ରାତ୍ ଅକେଲି ହୈ’ ସିନେମାର ସିନେମାଟୋଗ୍ରାଫି ମଧ୍ୟ ଖୁବ୍ ସୁନ୍ଦର ଭାବରେ ସଜା ହୋଇଛି। ‘ମକଡି’, ‘ମକବୁଲ’, ‘କମିନେ’, ‘ଆକ୍ରୋଶ’, ‘ଇସ୍କିଆ’, ‘ଉଡତା ପଞ୍ଜାବ’, ‘ହିନ୍ଦୀ ମିଡିୟମ’ ଭଳି ସିନେମାରେ କାଷ୍ଟିଂ ଡାଇରେକ୍ଟର ଥିବା ହନି ତ୍ରେହାନଙ୍କ ଏହା ହେଉଛି ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ। ଡେବ୍ୟୁ ଡାଇରେକ୍ଟର ହିସାବରେ ସେ ଏହି ସିନେମାରେ ଅତି ନିଖୁଣ କାମ କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ବାସ୍ତବବାଦୀ ଦୁନିଆର ନାୟକ ନୱାଜୁଦ୍ଦିନ ଓ ପାରିବାରିକ ମର୍ଡ ମିଷ୍ଟ୍ରୀ ‘ରାତ୍ ଅକେଲି ହୈ’ ଏକ ଦେଖିବା ଭଳି ସିନେମା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: